ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ଖୋଲିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଏନେଇ ଦାବି କରିବା ସହିତ ଏହାର ନାମକରଣ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର କରିବାକୁ ପ୍ରସ୍ତାବ ଦେଇଛନ୍ତି।

ରାଜ୍ୟ ସରକାର ପୁରୀରେ ବିମାନ ବନ୍ଦର ନିର୍ମାଣ କରିବାକୁ ଆବଶ୍ୟକୀୟ ଜମି ଚିହ୍ନଟ କରିଛନ୍ତି। ତାସହ ଏହି କାମ କିଭଳି ଭାବେ ରେକର୍ଡ ସମୟ ଭିତରେ ଶେଷ ହେବ ସେନେଇ ମଧ୍ୟ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ନବୀନ ନିଜର ପତ୍ରରେ ଉଲ୍ଲେଖ କରିଛନ୍ତି।ନବୀନ ଚିଠିରେ ଲେଖିଛନ୍ତି ଯେ, ପୁରୀ ହିନ୍ଦୁମାନଙ୍କର ଏକ ପବିତ୍ର ଧାମ ଭାବେ ପରିଚିତ। ସାରା ବିଶ୍ୱର କୋଣ ଅନୁକୋଣରେ ଯାତ୍ରୀମାନେ ଏଠାକୁ ଦର୍ଶନ ପାଇଁ ଆସିଥାନ୍ତି। ମହାପ୍ରଭୁଙ୍କର ରଥଯାତ୍ରାରେ ମଧ୍ୟ ବିଶ୍ୱର ତମାମ ଲୋକ ସାମିଲ ହୋଇଥାନ୍ତି। ବିଦେଶରେ ମଧ୍ୟ ଏହା ବେଶ ଧୂମଧାମରେ ପାଳନ କରାଯାଏ। ତେଣୁ ପୁରୀରେ ଏକ ବିମାନ ବନ୍ଦର ସ୍ଥାପନ ହେଲେ ଲୋକମାନେ ସୁବିଧାରେ ସେଠାରେ ପହଞ୍ଚିପାରିବେ।

ଅନ୍ୟପଟେ ପୁରୀର ନିକଟରେ କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗା ବେଳାଭୂମି, ବ୍ଲୁ-ଫ୍ଲାଗ ବିଚ୍ ଥିବାରୁ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ତେଣୁ ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଏକ ପ୍ରାଥମିକ ପ୍ରକଳ୍ପ ଭାବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଗ୍ରହଣ କରିବାକୁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।

Comment