ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କେନାଲ ଭିତରକୁ ବସ୍ ଖସି ପଡ଼ିବାରୁ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶର ରାଓ୍ଵା-ସିଦ୍ଧି ସୀମା ନିକଟରେ ଘଟିଛି ଏହି ଦୁର୍ଘଟଣା। ବସ୍ ଚାଳକ ଭାରସାମ୍ୟ ହରାଇବା ଫଳରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି।

ବସ୍‌ଟି ସିଦ୍ଧି ଜିଲ୍ଲାରୁ ସାନ୍ତା ଅଭିମୁଖେ ଯାଉଥିଲା। ଏଥିରେ ୫୪ ଜଣ ଯାତ୍ରୀ ଥିଲେ। ମଙ୍ଗଳବାର ସକାଳ ପ୍ରାୟ ୮ଟା ୩୦ରେ ରାଓ୍ଵା-ସିଦ୍ଧି ରୋଡଠାରେ ବସ୍‌ଟି ଏକ କେନାଲକୁ ଖସି ପଡ଼ିଥିଲା। ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ପାଣି ଭିତରେ ବୁଡ଼ି ରହିବା ପରେ ତାକୁ ବାହାରକୁ ଆଣିବାରେ ଏନ୍‌ଡିଆର୍‌ଏଫ୍ ଦଳ ସଫଲ ହୋଇଥିଲେ।ବସ୍‌ଟି କେନାଲକୁ ଖସିବା ପରେ ଡ୍ରାଇଭର ସମେତ ପ୍ରାୟ ୭ ଜଣ ବ୍ୟକ୍ତି କୌଶଳକ୍ରମେ ପହଁରି ପହଁରି ବାହାରକୁ ବାହାରି ଆସିଥିଲେ। ତେବେ ଏନ୍‌ଡିଆର୍‌ଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏଯାବତ୍ ଘଟଣାସ୍ଥଳରୁ ୩୫ ଜଣଙ୍କର ମୃତଦେହ ମିଳିଛି।

ଦୁର୍ଘଟଣା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଇଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇଥିବା ସୂଚନା ମିଳିଛି। ଅନ୍ୟପଟେ ଦୁର୍ଘଟଣା ପରେ ମଧ୍ୟପ୍ରଦେଶ ସରକାର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଦ୍ଵାରା ଭୋପାଲରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମକୁ ବାତିଲ୍ କରିଛନ୍ତି।

Comment