ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜନୀତି କ୍ଷେତ୍ରରେ ଅଭିନେତା ଅଭିନେତ୍ରୀ ଅଂଶଗ୍ରହଣ କରିବା କିଛି ନୂଆ କଥା ନୁହେଁ। ଅନେକ ଅଭିନେତା ଓ ଅଭିନେତ୍ରୀ ରାଜନୀତିରୁ ସଫଳତା ସାଉଣ୍ଟିଥିବାବେଳେ, ଆଉ କିଛି ନିଜର ବିଫଳତା ପାଇଁ ରାଜନୀତିରୁ ଦୂରେଇ ଯାଇଛନ୍ତି। ଏହାରି ମଧ୍ୟରେ ପଶ୍ଚିମବଙ୍ଗ ରାଜନୀତି ମଇଦାନରେ ସକ୍ରିୟ ରହିଛନ୍ତି କିଛି ବଙ୍ଗୀୟ ଅଭିନେତ୍ରୀ। ନିର୍ବାଚନକୁ ନେଇ ସମସ୍ତେ ନିଜ ନିଜର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଚଳିତ ବର୍ଷ କିଛି ଅଭିନେତ୍ରୀଙ୍କୁ ଟିଏମସି ଟିକେଟ ଦେଇ ପ୍ରତିଦ୍ୱନ୍ଦ୍ୱି ତାଲିକାରେ ସାମିଲ କରିଛି। ନିର୍ବାଚନ ପୂର୍ବରୁ ଟିଏମସି ସହ ଯୋଡ଼ି ହୋଇଛନ୍ତି ଅନେକ ବଙ୍ଗୀୟ ଅଭିନେତ୍ରୀ।

ଟିଏମସିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅଭିନେତ୍ରୀ

ସାୟନ୍ତିକା ବାନାର୍ଜୀ

କିଛିଦିନ ପୂର୍ବରୁ ସାୟନ୍ତିକା ଟିଏମସିରେ ସାମିଲ ହୋଇଥିଲେ। ଏବେ ତାଙ୍କୁ ଟିଏମସି ପକ୍ଷରୁ ବାଙ୍କୁରା ବିଧାନସଭା ଆସନ ପାଇଁ ଟିକେଟ ମିଳିଛି। ସାୟନ୍ତିକା ନିଜର ଅଭିନୟ ଓ ନାଚ ପାଇଁ ପଶ୍ଚିମବଙ୍ଗରେ ବେଶ ଜଣାଶୁଣା। ୨୦୧୨ରେ ରିଲିଜ ହୋଇଥିବା ଫିଲ୍ମ ‘ଆୱାରା’ ତାଙ୍କୁ ପରଦାରେ ପରିଚୟ ଦେଇଥିଲା। ୨୦୦୯ ରୁ ସେ ବଙ୍ଗଳା ଫିଲ୍ମରେ ସକ୍ରିୟ ରହିଛନ୍ତି।

ଲବଲୀ ମୋଇତ୍ରା

ଟିଏମସି ସୋନାରପୁର ଦକ୍ଷିଣରୁ ଲବଲୀଙ୍କୁ ମନୋନୀତ କରିଛି। ଲଭଲୀଙ୍କୁ ପ୍ରାର୍ଥୀ କରାଯିବାପରେ, ନିର୍ବାଚନ ଆୟୋଗ ତାଙ୍କ ସ୍ୱାମୀ ସୌମ୍ୟ ରାୟଙ୍କୁ ହାଓଡ଼ା ଗ୍ରାମୀଣ ପୋଲିସ ସୁପରିଟେଣ୍ଡେଣ୍ଟ ପଦରୁ କାଢ଼ି ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ କହିବାନୁସାରେ, ତାଙ୍କ ପତ୍ନୀ ନିର୍ବାଚନରେ ପ୍ରାର୍ଥୀ ହୋଇଥିବାରୁ, ସେ କୌଣସି ପ୍ରକାରେ ନିର୍ବାଚନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିପାରିବେ ନାହିଁ।

କୌଶାନୀ ମୁଖାର୍ଜୀ

କୌଶାନୀ ୨୦୧୧ରେ ଟିଏମସିରେ ଯୋଗ ଦେଇଥିଲେ। ସେ ନଦିଆ ଜିଲ୍ଲାର କୃଷ୍ଣନଗର ଉତ୍ତରରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୨୦୧୫ରେ ସେ ‘ପାରବୋନା ଆମି ଚାରତେ ତୋକେ’ ଫିଲ୍ମରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ସୁଧା ସେ ୧୦ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି।

ଜୁନ ମଲିୟା

୧୯୯୬ ମସିହାରୁ ସେ ଫିଲ୍ମ ଦୁନିଆରେ ସକ୍ରିୟ ରହିଛନ୍ତି। ସେ ଅନେକ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି। ବର୍ତ୍ତମାନ ସେ ପଶ୍ଚିବଙ୍ଗର ମେଦିନିପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଜୁନଙ୍କ ବିପକ୍ଷରେ ଲଢୁଛନ୍ତି ବିଜେପିର ଶମିତ ଦାଶ ଓ ସିପିଆଇର ତରୁଣ କୁମାର।

ସାୟୋନୀ ଘୋଷ

ନିଜର ମିଶ୍ର ପ୍ରତିଭା ପାଇଁ ସାୟୋନୀ ଘୋଷ ବେଶ ପରିଚିତ। ସେ ଜଣେ ଭଲ ଗାୟୀକା, ଉପସ୍ଥାପିକା ଏବଂ ଅଭିନେତ୍ରୀ ଅଟନ୍ତି। ବର୍ତ୍ତମାନ ସେ ରାଜନୀତିରେ ମଧ୍ୟ ପାଦ ରଖିଛନ୍ତି। ସେ ଏବେ ଟିଏମସି ପକ୍ଷରୁ ପଶ୍ଚିମ ବର୍ଦ୍ଧମାନର ଆସନସୋଲ ଦକ୍ଷିଣ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ଅନେକ ବଙ୍ଗୀୟ ଫିଲ୍ମ ଓ ସିରିଏଲରେ କାମ କରିଛନ୍ତି।

ପୂର୍ବରୁ ଟିଏମସିରେ ଯୋଡ଼ି ହୋଇଥିବା ଅଭିନେତ୍ରୀ

ଶତାବ୍ଦୀ ରାୟ

ଶତାବ୍ଦୀ ରାୟ ୨୦୦୯ରୁ ଲଗାତାର ୩ ଥର ତୃଣମୂଳ କଂଗ୍ରେସରୁ ଟିକେଟ ପାଇ ଜିତି ଆସିଛନ୍ତି। ସେ ବୀରଭୂମ ଲୋକସଭାରୁ ଜିତି ସଂସଦରେ ପହଞ୍ଚିଛନ୍ତି। ରାଜନୀତିରେ ପାଦ ଦେବା ପୂର୍ବରୁ ସେ ଜଣେ ଅଭିନେତ୍ରୀ ଥିଲେ। ୧୯୮୬ ରେ ସେ ବଙ୍ଗାଳୀ ଫିଲ୍ମରେ କାମ ଆରମ୍ଭ କରିଥିଲେ। ପରେ ପରେ ସେ ହିନ୍ଦୀ, ଓଡ଼ିଆ ଫିଲ୍ମରେ ମଧ୍ୟ କାମ କରିଥିଲେ। ସାଂସଦ ହେବାପରେ ମଧ୍ୟ ସେ ଫିଲ୍ମର ନିର୍ଦ୍ଦେଶକ ଓ ଅଭିନେତ୍ରୀ ଭୂମିକାରେ କାର୍ଯ୍ୟ କରୁଛନ୍ତି।

ନୁସରତ ଜହାଁ

୩୧ ବର୍ଷୀୟ ନୁସରତ ଜହାଁ ୨୦୧୯ରେ ତୃଣମୂଳ କଂଗ୍ରେସ ଟିକେଟରେ ବଶୀରହାଟ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟ ହାସଲ କରିଥିଲେ। ୨୦୧୧ରୁ ସେ ଫିଲ୍ମ ଦୁନିଆରେ କାମ କରୁଛନ୍ତି। ସାଂସଦ ହେବାପରେ ମଧ୍ୟ ସେ ଅନେକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେମଧ୍ୟରୁ ଖୋକା ୪୨୦, ଖିଲାଡ଼ୀ, ସୋଣ୍ଡେ ନାମାର ଏଜେ ହେଉଛି ତାଙ୍କର ପ୍ରମୁଖ ଫିଲ୍ମ।

ମିମି ଚକ୍ରବର୍ତ୍ତୀ

୨୦୧୯ ମସିହାରେ ମିମି ଚକ୍ରବର୍ତ୍ତୀ ଟିଏମସିରୁ ଟିକେଟ ପାଇ ଜାଧବପୁରରୁ ବିଜୟ ହୋଇଥିଲେ। ୩୨ ବର୍ଷୀୟ ମିମି ଜଲପାଇଗୁଡ଼ିର କିନ୍ତୁ ତାଙ୍କର ପିଲାଦିନ ଅରୁଣାଚଳର ତିରାପ ଜିଲ୍ଲାରେ ବିତିଛି। ୨୦୦୮ ମସିହାରୁ ଟିଭି ସିରିୟଲରେ ପାଦ ଦେଇ ସେ ନିଜର କାରିଅର ଆରମ୍ଭ କରିଥିଲେ। ୨୦୧୨ ପରଠାରୁ ଲଗାତାର ବଙ୍ଗାଳୀ ଫିଲ୍ମରେ କାମ କରୁଛନ୍ତି ମିମି ଚକ୍ରବର୍ତ୍ତୀ।

ପଶ୍ଚିବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିକ ମହୋଲ ସରଗରମ ରହିଛି। ଅନେକ ପ୍ରମୁଖ ବ୍ୟକ୍ତି ଟିଏମସିରୁ ଇସ୍ତଫା ଦେଉଥିବାବେଳେ, ଅନେକ ଯୋଡ଼ି ହେଉଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଅନେକ ଚର୍ଚ୍ଚିତ ବଙ୍ଗୀୟ ଅଭିନେତ୍ରୀ। ସେମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀଙ୍କୁ ଟିଏମସି ଟିକେଟ ଦେଇ ପ୍ରତିଦ୍ୱନ୍ଦ୍ୱି କରିଛି। ଏପର୍ଯ୍ୟନ୍ତ ବିଜେପି ତା’ର ପ୍ରାର୍ଥୀ ଘୋଷଣା କରିନାହିଁ। ଅଲଗା ଦଳରୁ ଆଉ କିଛି ବଙ୍ଗୀୟ ଅଭିନେତ୍ରୀ ପ୍ରତିଦ୍ୱନ୍ଦ୍ୱି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment