ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ‘ୟାସ୍’ ବୁଧବାର ସକାଳ ସମୟରେ ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫ୍ଲ କରିବ। ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିମି ବେଗରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିସହ ମେ’୨୬, ମେ’୨୭ ଓ ମେ’୨୮ତାରିଖ ପର୍ଯ୍ୟନ୍ତ କେଉଁ ଜିଲ୍ଲା କେଉଁ ଜୋନରେ ରହିବ, ପାଣିପାଗ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି।ମେ’୨୬ତାରିଖରେ ବାତ୍ୟା ୟାସ୍ ଲ୍ୟାଣ୍ଡଫଲ କରିବ। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାଗୁଡ଼ିକୁ ଜୋନ୍ରେ ବିଭକ୍ତ କରାଯାଇଛି। ତେଣୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ, ୟେଲୋ ୱାର୍ଣ୍ଣିଂ ଭିତରେ ରହିଛି କେଉଁଝର, ଢ଼େଙ୍କାନାଳ ଓ ଗଞ୍ଜାମ।ମେ’୨୭ରେ ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ଆସନ୍ତା ୨୭ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ଏଥିସହ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଖୋର୍ଦ୍ଧା ଓ ପୁରୀରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ମେ’୨୮ତାରିଖରେ କୌଣସିବି ଅଞ୍ଚଳରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇନାହିଁ। କିନ୍ତୁ ସୁନ୍ଦରଗଡ଼, ଦେବଗଡ଼ ଓ କେଉଁଝର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଅନ୍ୟପକ୍ଷରେ ବାତ୍ୟା ୟାସ୍ ଘଣ୍ଟା ପ୍ରତି ୧୬କିମି ବେଗରେ ସ୍ଥଳଭାଗ ଆଡ଼କୁ ଗତି କରୁଛି। ଦିନ ୩ଟା ସୁଦ୍ଧା ପାରାଦୀପଠାରୁ ୨୨୦କିମି ଦୂରରେ ଓ ବାଲେଶ୍ୱରଠାରୁ ୩୩୦କିମି ଦୂରରେ ରହିଥିଲା ବାତ୍ୟା ୟାସ୍।