ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵରର ରେମୁଣା ବାହାନଗା ସଦରରେ ଏବେ ବାତ୍ୟା ୟାସ୍‌ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଜାରି ରହିଛି। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୩୦ରୁ ୧୪୦ ବହିବା ଫଳରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସର୍ବାଧିକ ପ୍ରଭାବ ରହିବ। ବାତ୍ୟା ଲ୍ୟାଣ୍ଡଫଲ୍ କଲା ପରେ ମଧ୍ୟ ସନ୍ଧ୍ୟା ଯାଏଁ ପବନର ବିପଦ ଅଧିକ ରହିବ। ତେଣୁ ବାତ୍ୟା ପରେ ବି ବାହାରକୁ ନ ଆସିବା ପାଇଁ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ଯେ ଆଜି ସନ୍ଧ୍ୟା ଯାଏଁ ପବନର ବେଗ ଅଧିକ ରହିବ। ତେଣୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ନ ଦିଆଗଲା ପର୍ଯ୍ୟନ୍ତ ଘରେ କିମ୍ଵା ଆଶ୍ରୟସ୍ଥଳରେ ରହନ୍ତୁ। ଖରା ହେଲେ ମଧ୍ୟ ବାହାରକୁ ବାହରନ୍ତୁ ନାହିଁ।ଅନ୍ୟପଟେ ବାତ୍ୟା ସମୟରେ ପଛୁଆ ପବନ ଅଧିକ ବିପଦପୂର୍ଣ୍ଣ ହୋଇପାରେ ବୋଲି ସତର୍କ କରିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା। ତେଣୁ ଏହି ସମୟରେ ବାଲେଶ୍ୱର ଓ ଭଦ୍ରକର ଲୋକଙ୍କୁ ପଦାକୁ ନବାହାରିବାକୁ ସେ ପରାମର୍ଶ ଦେଇଛନ୍ତି। ବାଲେଶ୍ୱର ଅତିକ୍ରମ କରିବା ପରେ ମୟୂରଭଞ୍ଜ ଦେଇ ମଧ୍ୟରାତ୍ର ସୁଦ୍ଧା ଝାଡ଼ଖଣ୍ଡ ଆଡ଼େ ବାତ୍ୟା ଗତି କରିବ। ଫଳରେ ମୟୂରଭଞ୍ଜରେ ପବନର ବେଗ ୧୦୦ କିଲୋମିଟର କିମ୍ବା ତା’ଠାରୁ ଅଧିକ ରହିବ ବୋଲି ଆକଳନ କରାଯାଉଛି।

ବାତ୍ୟା ୟାସ୍‌ର ପ୍ରଭାବରେ ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କଟକ, ଢ଼େଙ୍କାନାଳ, କେନ୍ଦୁଝରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ସେହିପରି ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ, ସୁନ୍ଦରଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Comment