ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗର କୂଳରେ ପ୍ରତି ବର୍ଷ ଅନେକ ସଂଖ୍ୟକ ବାତ୍ୟା ଆସିଥାଏ। ଏହି ସବୁ ଘୁର୍ଣ୍ଣିବାତ୍ୟା ମୁଖ୍ୟତଃ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ବାଂଲାଦେଶରେ ହିଁ ମାଡ଼ କରିଥାଏ। ବିଶ୍ୱ ଘୁର୍ଣ୍ଣିବାତ୍ୟା ଇତିହାସରେ ବଙ୍ଗୋପସାଗର ଓ ମିଆଁମାରରେ ଆସିଥିବା ସାମୁଦ୍ରିକ ଝଡ଼ ସବୁଠାରୁ ଅଧିକ ଘାତକ ବୋଲି ଧରା ଯାଇଛି।

୨୦୧୯ର ଫନି ପରେ ଏ ବର୍ଷର ୟାସ୍ ଥିଲା ତିନି ବର୍ଷ ମଧ୍ୟରେ ଓଡ଼ିଶା ପାଇଁ ଦ୍ଵିତୀୟ ବଡ଼ ସାମୁଦ୍ରିକ ଝଡ଼। ଗତ ବର୍ଷ ହୋଇଥିବା ସାମୁଦ୍ରିକ ଝଡ଼ ‘ଅମ୍ଫନ’ ପଶ୍ଚିମବଙ୍ଗକୁ ମାଡ଼ କରିଥିଲା। ଓଡ଼ିଶାରେ କେବଳ ବାଲେଶ୍ଵର ଜିଲ୍ଲା ଉପରେ କିଛି ପ୍ରଭାବ ପଡ଼ିଥିଲା। କିନ୍ତୁ ଏବର୍ଷ ଓଡ଼ିଶାର କୌଣସି ପଡ଼ୋଶୀ ରାଜ୍ୟ ଏ ପର୍ଯ୍ୟନ୍ତ ବାତ୍ୟାର ସମ୍ମୁଖୀନ ହୋଇନାହାନ୍ତି।ଉତ୍ତର-ପୂର୍ବ ଉପକୂଳ ଘୁର୍ଣ୍ଣିବାତ୍ୟା ପାଇଁ ଅନୁକୂଳ ହେବାର କାରଣ କଣ ଓ କାହିଁକି ଏହି ଅଞ୍ଚଳରେ କ୍ଷୟକ୍ଷତି ସର୍ବାଧିକ?

ଭୁଗୋଳବିତଙ୍କ କହିବା ଅନୁଯାୟୀ ବଙ୍ଗୋପସାଗରର ଉତ୍ତର ଭାଗଟି ଫମ୍ପା ଓ ଅଣଓସାରିଆ। ଏଣୁ ଯେତେବେଳେ ବାତ୍ୟା ସମୟରେ ସମୁଦ୍ରରେ ଜୁଆର ଉଠେ ଏକ ସୁଡ଼ଙ୍ଗ ଭଳି ସ୍ଥିତି ସୃଷ୍ଟି ହୁଏ, ଯାହାକି ସମତଳ ଅଞ୍ଚଳରେ ଧସେଇ ପଶିଯାଇଥାଏ। ତେଣୁ ଉତ୍ତର-ପୂର୍ବ ଉପକୂଳ ଘୂର୍ଣ୍ଣିବାତ୍ୟା ପାଇଁ ଅନୁକୁଳ ହୋଇଥାଏ।

ସେହିପରି ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେବା ପଛରେ ଗୋଟିଏ ବଡ଼ କାରଣ ହେଲା ଜନସଂଖ୍ୟାର ସାନ୍ଧ୍ରତା। ବିପୁଳ ସଂଖ୍ୟାରେ ଲୋକ ଉତ୍ତର-ପୂର୍ବ ଉପକୂଳବର୍ତ୍ତୀ ଦେଶମାନଙ୍କରେ ବାସ କରୁଥିବା କାରଣରୁ ଜୀବନ ହାନି ବି ସେହି ପରିମାଣରେ ହୋଇଥାଏ। ଅନ୍ୟ ଏକ କାରଣ ହେଉଛି ବଙ୍ଗୋପସାଗର କୂଳରେ କୃଷି ହେଉଛି ପ୍ରଧାନ ଜୀବିକା। କୃଷି କର୍ମରେ ବ୍ୟସ୍ତ ରହୁଥିବାରୁ ଅନେକ ସମୟରେ ଲୋକମାନେ ବାତ୍ୟା ସମ୍ପର୍କିତ ପୂର୍ବ ସୂଚନାକୁ ଖାତିର କରି ନଥାନ୍ତି। ଆହୁରି ମଧ୍ୟ ଆବଶ୍ୟକୀୟ ସଂଖ୍ୟକ ବାତ୍ୟାସ୍ଥଳୀର ଅଭାବ ଯୋଗୁଁ ଠିକଣା ସମୟରେ ନିରାପଦ ସ୍ଥାନକୁ ଯିବା ସମ୍ଭବ ହୁଏନାହିଁ।

ବିଗତ କିଛି ବର୍ଷ ଧରି ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ରରେ ପୂର୍ବ ଅପେକ୍ଷା ଅଧିକ ଉଚ୍ଚ ଜୁଆର ଆସୁଥିବାରୁ ସମୁଦ୍ର କୂଳରେ ଥିବା ତଳିଆ ଅଞ୍ଚଳ ପାଇଁ ଅଧିକ ବିପଦ ସୃଷ୍ଟି ହେବାର ଆଶଙ୍କା ବୃଦ୍ଧି ପାଇଛି। ଆଗାମୀ ଦିନରେ ସମୁଦ୍ର ଜୁଆରର ଉଚ୍ଚତା ବୃଦ୍ଧି ପାଇବା ସମ୍ଭାବନା ଥିବାରୁ ଏଣିକି ଅଧିକରୁ ଅଧିକ କ୍ଷୟ କ୍ଷତି ଘଟିବା ସୁନିଶ୍ଚିତ।

ଏଣୁ ବାତ୍ୟା ବେଳେ ଲୋକଙ୍କ ସ୍ଥାନାନ୍ତରଣ ଉପରେ ଅଧିକ  ଗୁରୁତ୍ୱ ଦେବା ଜରୁରୀ ହୋଇଥାଏ, ଯାହାକି ଓଡ଼ିଶା ସରକାର ଫାଇଲିନ ବାତ୍ୟା  ପରଠାରୁ କରିଆସିଛନ୍ତି।

Comment