ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ଟିକା ନେବାପାଇଁ ଏଣିକି ଆଗୁଆ ପଞ୍ଜୀକରଣ କରିବା ଜରୁରୀ ନୁହେଁ। ପଞ୍ଜୀକରଣ ନକରି ମଧ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ଵ ଯେକୌଣସି ବ୍ୟକ୍ତି ସିଧାସଳଖ ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ। ଏନେଇ ମଙ୍ଗଳବାର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ର ସରକାର କହିଛନ୍ତି ଯେ, ଟିକା ନେବାପାଇଁ ଆଗୁଆ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ। ହିତାଧିକାରୀ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଞ୍ଚିବାପରେ ସେଠାରେ କୋ-ୱିନ୍‌ ଡିଜିଟାଲ୍‌ ପ୍ଲାଟଫର୍ମ‌୍‌ରେ ତାଙ୍କ ନାମ ପଞ୍ଜୀକରଣ କରି ଟିକା ନେଇପାରିବେ। କୋଭିଡ ଟିକା ନେବାକୁ ବିଭିନ୍ନ ରାଜ୍ୟରେ ଲୋକମାନଙ୍କ ମଧ୍ୟରେ ଅନିଚ୍ଛା ବଢ଼ିବାପରେ ସରକାର ଏହି ଘୋଷଣା କରିଛନ୍ତି।ଅନ୍ୟପକ୍ଷେ ଦେଶରେ ୬୦ ପ୍ରତିଶତ ଲୋକେ ଟିକା ପାଇଁ ଅନଲାଇନ୍ ପଞ୍ଜୀକରଣ ଠିକ୍ ଭାବେ ଜାଣି ନଥିବା ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରେ ପ୍ରକାଶ ପାଇଥିଲା। ବିଶେଷ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଅଧିକାଶଂ ଲୋକଙ୍କ ପାଖରେ ସ୍ମାର୍ଟ ଫୋନ୍ ଏବଂ ଇଣ୍ଟରନେଟ୍‌ର ସୁବିଧା ଉବଲବ୍ଧ ନଥିବାରୁ ସେମାନେ ଟିକା ପାଇଁ ପଞ୍ଜୀକରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।ଏପରିକି ଟିକା ପଞ୍ଜୀକରଣ ନାଁରେ କେତେକ ସାଇବର ଅପରାଧର ଶିକାର ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। କୋ-ଓ୍ଵିନ୍ ଭଳି ଦିଶୁଥିବା ନକଲି ଆପ୍ଲିକେସନ ପ୍ରସ୍ତୁତ କରି ସାଇବର ଅପରାଧୀମାନେ ସାଧାରଣ ଲୋକମାନଙ୍କୁ ହଜାର ହଜାର ଟଙ୍କା ଠକିଥିବାର ଖବର ଦେଶରେ ଶୁଣିବାକୁ ମିଳିଛି।

Comment