ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂସଦର ମୌସୁମୀ ଅଧିବେଶନର ଶେଷଦିନରେ ରାଜ୍ୟସଭାରେ ହୋଇଥିବା ହଙ୍ଗାମା ଯୋଗୁଁ ସରକାର ଓ ବିରୋଧି ସାମ୍ନା ସାମ୍ନି ହୋଇଛନ୍ତି। ଗୁରୁବାର ବିରୋଧୀ ଦଳର ସାଂସଦମାନେ ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ଶୋଭାଯାତ୍ରା କରି ସରକାରଙ୍କ ଉପରେ ବର୍ଷିଥିଲା ବେଳେ ୭ ଜଣ କେନ୍ଦ୍ରମନ୍ତ୍ରୀ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିରୋଧୀଙ୍କ ଏଭଳି ଆଚରଣକୁ ବିରୋଧ କରିଛନ୍ତି।

ଗତକାଲି ବିରୋଧୀମାନେ ଗୃହରେ ଯେଉଁଭଳି ପ୍ରଦର୍ଶନ କରିଥିଲେ ସେଥିପାଇଁ କ୍ଷମା ମାଗନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀମାନେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ପ୍ରହଲ୍ଲାଦ ଯୋଶୀ, ମୁଖତାର ଅବ୍ବାସ, ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ଅନୁରାଗ ଠାକୁର, ଅର୍ଜୁନ ମେଘବାଲ, ବି.ମୁରଲୀଧରନ ଉପସ୍ଥିତ ଥିଲେ।

ଅଧିବେଶନରେ ସବୁ ଦଳକୁ କହିବା ପାଇଁ ସୁଯୋଗ ଦିଆଯାଇଛି। କିନ୍ତୁ କଂଗ୍ରେସ ଓ ଅନ୍ୟ କେତେକ ଦଳ ମିଶି ପ୍ରଥମରୁ ହିଁ ସଂସଦକୁ ନଚଲେଇ ଦେବା ପାଇଁ ଯୋଜନା କରିଥିଲେ। ସଂସଦରେ ଯାହା ଘଟିଥିଲା ତାହା ଇତିହାସରେ କଳଙ୍କିତ ଅଧ୍ୟାୟ। ବିଶୃଙ୍ଖଳିତଙ୍କ ପ୍ରତି ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀମାନେ କହିଛନ୍ତି।

ବୁଧବାର ଅଧିବେଶନର ଶେଷଦିନରେ ବିରୋଧୀମାନେ ପ୍ରବଳ ହଙ୍ଗାମା କରିଥିଲେ। କଂଗ୍ରେସ, ଟିଏମ୍‌ସି ଓ ଆପ୍‌ ଦଳର ନେତାଙ୍କ ସହିତ ଅନ୍ୟ ବିରୋଧୀ ନେତାମାନେ ଗୃହର ମଧ୍ୟଭାଗକୁ ଯାଇ ହଙ୍ଗାମା କରିଥିଲେ। ଏମିତିକି କଂଗ୍ରେସ ନେତାମାନେ ଟେବୁଲ ଉପରକୁ ଚଢ଼ି ସରକାରୀ ଫାଇଲ ଫୋପାଡ଼ି ଦେଇଥିଲେ। ଫଳରେ  ଗତମାସ ୧୯ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୧ ତାରିଖରେ ଶେଷ ହୋଇଥିଲା । ଅଧିବେଶନ ୧୩ ତାରିଖରେ ସରିବାକୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଅଚଳାବସ୍ଥା କାରଣରୁ ଦୁଇଦିନ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଭୟ ଗୃହକୁ ମୁଲତବି ରଖିଛନ୍ତି।

Comment