ଭାସ୍କର ପରିଚ୍ଛା

  • ଲୋକସଭାରେ ଅଛନ୍ତି ଓଡ଼ିଶାର ୭ ମହିଳା ସାଂସଦ
  • ରାଜ୍ୟର ମହିଳା ସାଂସଦଙ୍କ ଅନୁପାତ ଦେଶରେ ସର୍ବାଧିକ
  • ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟଙ୍କୁ ପଛରେ ପକାଇଛି ଓଡ଼ିଶା

ଏବେ ମହିଳା ସଂରକ୍ଷଣ ବିଲ୍ ସଂସଦର ଉଭୟ ସଦନରୁ ପାରିତ ହୋଇଯାଇଛି। ଦେଶର ଲୋକସଭା ତଥା ସବୁ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରହିବା ପାଇଁ ବାଟ ଫିଟିଛି। ତେବେ ଏହି ବିଲ୍ ଆସିବା ପୂର୍ବରୁ ରାଜନୀତିରେ ମହିଳାମାନଙ୍କୁ ସଂରକ୍ଷଣ ଦେବା କ୍ଷେତ୍ରରେ ଭାରତରେ ଏକ ଅଗ୍ରଣୀ ରାଜ୍ୟ ପାଲଟି ସାରିଥିଲା ଓଡ଼ିଶା। ଏବେ ମହିଳା ସଂରକ୍ଷଣ ବିଲ୍ ପାସ ହେବାକୁ ରାଜ୍ୟ ସରକାର ସ୍ଵାଗତ କରିଛନ୍ତି।

ବର୍ତ୍ତମାନ ଲୋକସଭାରେ ଓଡ଼ିଶାର ମୋଟ ୨୧ ଜଣ ସାଂସଦଙ୍କ ମଧ୍ୟରୁ ୭ ଜଣ ମହିଳା ରହିଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକର ମହିଳା ସାଂସଦଙ୍କ କଥା ବିଚାରକୁ ନେଲେ ଓଡ଼ିଶାର ସ୍ଥିତ ବେଶ୍ ଭଲ ରହିଛି। ତେବେ ଏଭଳି ଉପଲବ୍ଧି ହାସଲ କରିବା ପାଇଁ ଓଡ଼ିଶା ଅନେକ ଦିନ ଆଗରୁ ପ୍ରୟାସ ଆରମ୍ଭ କରିଥିଲା।

୨୦୧୯ ମାର୍ଚ୍ଚ ୧୦ ତାରିଖରେ ଭାରତରେ ସାଧାରଣ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହେବାର କିଛି ଘଣ୍ଟା ପୂର୍ବରୁ ବିଜେଡି ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ଏକ ରାଲିରେ ଘୋଷଣା କରିଥିଲେ ଯେ, ତାଙ୍କ ଦଳ ପକ୍ଷରୁ ସଂସଦୀୟ ନିର୍ବାଚନ ପାଇଁ ମହିଳାମାନଙ୍କୁ ୩୩ ପ୍ରତିଶତ ଟିକେଟ୍ ଦିଆଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ, “ଯଦି ବିଶ୍ୱରେ ଭାରତ ଆଗେଇବାକୁ ଚାହୁଁଛି, ଭାରତ ଯଦି ଆମେରିକା ଏବଂ ଚୀନ୍ ଭଳି ଏକ ଉନ୍ନତ ରାଷ୍ଟ୍ର ହେବାକୁ ଆଶା ରଖିଛି, ତେବେ ମହିଳା ସଶକ୍ତିକରଣ ହିଁ ଏକମାତ୍ର ଉତ୍ତର।”

ଏହି ଘୋଷଣା ପରେ ବିଜୁ ଜନତା ଦଳ ସାତ ଜଣ ମହିଳାଙ୍କୁ ଲୋକସଭା ପାଇଁ ଟିକେଟ ଦେଇଥିଲା। ଏହାପୂର୍ବରୁ ୨୦୧୪ ନିର୍ବାଚନରେ ବିଜେଡି ମାତ୍ର ଦୁଇଟି ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା। ତା’ ପୂର୍ବ ନିର୍ବାଚନ ଅର୍ଥାତ ୨୦୦୯ ରେ, ଯେତେବେଳେ ନବୀନଙ୍କ ଦଳ ଏନସିପି ଏବଂ ବାମ ଦଳ ସହ ମିଳିତ ଭାବରେ ନିର୍ବାଚନ ଲଢ଼ିଥିଲା ସେତେବେଳେ ବିଜେଡିରେ ଜଣେ ବି ମହିଳା ପ୍ରାର୍ଥୀ ନଥିଲେ।

୨୦୧୪ ମସିହା ସଂସଦୀୟ ନିର୍ବାଚନରେ ବିଜେଡିର ଦୁଇ ଜଣ ଯାକ ମହିଳା ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ୨୦୧୯ରେ ଦଳର ସାତଜଣ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ପାଞ୍ଚଜଣ ନିର୍ବାଚନ ଜିତିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଆସ୍କା ଲୋକସଭା ଆସନରେ ୭୦ ବର୍ଷ ବୟସ୍କା ସ୍ୱୟଂ ସହାୟକ ଗୋଷ୍ଠୀ ନେତ୍ରୀ ପ୍ରମିଳା ବିଶୋଇ ୨ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ଜିତିଥିଲେ। ସେହିପରି ବିଜେପିରୁ ୨ ଜଣ ମହିଳା ନିର୍ବାଚନରେ ବିଜୟୀ ହୋଇଥିଲେ।

ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ଅଧିକ ମହିଳାଙ୍କୁ ସଂରକ୍ଷଣ

କେବଳ ଲୋକସଭା ନିର୍ବାଚନ ନୁହେଁ, ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କୁ ସଂରକ୍ଷଣ ଦେବାର ନୀତି ଓଡ଼ିଶା ବହୁ ଆଗରୁ ଅପଣେଇଛି। ୨୦୧୧ ମସିହାରେ ଓଡ଼ିଶା ସରକାର ରାଜ୍ୟର ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାଙ୍କ ପାଇଁ ସଂରକ୍ଷଣକୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ। ଏହାପରେ ପୌର ସଂସ୍ଥାଗୁଡ଼ିକରେ ମଧ୍ୟ ମହିଳାମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେବକୁ ନିଷ୍ପତ୍ତି ନିଆଯାଇଥିଲା।

ଏହିସବୁ ପଦକ୍ଷେପ ଗ୍ରାମାଞ୍ଚଳର ମହିଳା ଭୋଟ୍ ହାତେଇବାରେ ବିଜେଡିକୁ ବହୁତ ସହାୟକ ହୋଇଛି ବୋଲି ବିଶ୍ୱାସ କରାଯାଏ। ଗ୍ରାମାଞ୍ଚଳ ମହିଳାମାନେ ପାରମ୍ପରିକ ଭାବେ ବିଜେଡିର ସମର୍ଥକ ହୋଇଆସିଛନ୍ତି। ମହିଳା-କେନ୍ଦ୍ରିକ ଯୋଜନା ଓ ପଦକ୍ଷେପଗୁଡ଼ିକ ଦଳର ପାରମ୍ପାରିକ ନୀତି ରହିଆସିଛି।

ନବେ ଦଶକର ପ୍ରାରମ୍ଭରେ ଜନତା ଦଳରେ ଥିବା ସମୟରେ ହିଁ ନବୀନ ପଟ୍ଟନାୟକଙ୍କ ପିତା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟରେ ପଞ୍ଚାୟତ ଓ ପୌର ସଂସ୍ଥାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଥିଲେ।

ରାଜନୀତିରେ ମହିଳାଙ୍କୁ ସଂରକ୍ଷଣ ପାଇଁ ଓଡ଼ିଶା ବିଧାନସଭାରେ ସଂକଳ୍ପ

୨୦୧୮ ମସିହାରେ ଦେଶର ରାଜନୀତିରେ ମହିଳାମାନଙ୍କୁ ସଂରକ୍ଷଣ ଦେବାକୁ ସଂସଦରେ ବିଜେଡି ପକ୍ଷରୁ ଦୃଢ଼ ଯୁକ୍ତି ବଢ଼ାଯାଇଥିଲା। ସେହିବର୍ଷ ରାଜ୍ୟ ବିଧାନସଭାରେ ମଧ୍ୟ ଏହି ସଙ୍କ୍ରାନ୍ତୀୟ ଏକ ସଂକଳ୍ପ ଗୃହୀତ ହୋଇଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ଏ ବାବଦରେ ନିଜର ବୟାନ ରଖିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, “ଆମ ରାଜ୍ୟ ତଥା ଭାରତର ସର୍ବୋଚ୍ଚ ରାଜନୈତିକ ଅନୁଷ୍ଠାନ ଓ ଅନ୍ୟ ବଡ଼ ସଂସ୍ଥାଗୁଡ଼ିକରେ ଆମର ମା’ ଏବଂ ଝିଅଙ୍କ ଭୂମିକା ରହିଲେ ଦେଶ ଆହୁରି ଆଗକୁ ବଢ଼ିବ। ଓଡ଼ିଶା ନିଶ୍ଚିତ ଭାବରେ ସମଗ୍ର ଦେଶ ପ୍ରତି ନିଜର ପ୍ରତିବଦ୍ଧତା ଏବଂ ସଂକଳ୍ପକୁ ଦର୍ଶାଇ କହିବ ଯେ ଏହା ହେଉଛି ସେହି ଦେଶ ଯେଉଁଠାରେ ମହିଳାମାନେ ପ୍ରକୃତରେ ସଶକ୍ତ ଏବଂ ରାଷ୍ଟ୍ର ନିର୍ମାଣରେ ଜଡ଼ିତ ଅଛନ୍ତି।”

ଲୋକସଭାରେ ଓଡ଼ିଶାର ମହିଳା ସାଂସଦଙ୍କ ଏକ ତୁଳନାତ୍ମକ ବିବରଣୀ

ଏବେ ଲୋକସଭାରେ ମୋଟ ୭୮ ଜଣ ମହିଳା ସାଂସଦ ଅଛନ୍ତି। ଏଠାରେ ଓଡ଼ିଶାର ୭ ଜଣ ମହିଳା ସାଂସଦ ରହିଛନ୍ତି। ରାଜ୍ୟର ମୋଟ ୨୧ ଆସନ ଦେଖିବାକୁ ଗଲେ ଅନ୍ୟ ରାଜ୍ୟ ତୁଳନାରେ ଏହି ଅନୁପାତ ସର୍ବାଧିକ ରହିଛି।

ଓଡ଼ିଶା ପରେ ଲୋକସଭାରେ ମହାରାଷ୍ଟ୍ରରୁ ୮ ଜଣ ଏବଂ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ୧୧ ଜଣ ଲେଖାଏଁ ମହିଳା ସାଂସଦ ରହିଛନ୍ତି। ହେଲେ ଉକ୍ତ ରାଜ୍ୟମାନଙ୍କ ମୋଟ ଆସନକୁ ଦେଖିଲେ ମହିଳାଙ୍କ ଅନୁପାତ ଖୁବ କମ ରହିଛି। ଅନ୍ୟପଟେ କେରଳ ଓ ତେଲଙ୍ଗାନା ଭଳି ରାଜ୍ୟରୁ ମାତ୍ର ଜଣେ ଲେଖାଏଁ ମହିଳା ସାଂସଦ ରହିଛନ୍ତି।

Tags: #WomenReservationBill #WomeninPolitics #Parliament #Politics #Odisha #India

Comment