କପିଳାସ ଭୂୟାଁ

ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରତ୍ୟେକଟି ଜୀବନ ମୂଲ୍ୟବାନ। ତେଣୁ ରାଜ୍ୟରେ କୋଭିଡ ସଂକ୍ରମଣରେ ଗୋଟିଏ ବି ମୃତ୍ୟୁ ଗ୍ରହଣୀୟ ନୁହେଁ। ତେବେ ରାଜ୍ୟ ରାଜଧାନୀ ତଥା ସ୍ମାର୍ଟ ସିଟି ଭୁବନେଶ୍ଵରରେ ମନୁଷ୍ୟକୃତ କୃତ୍ରିମ ବନ୍ୟାରେ, ବର୍ଷା ଜଳର ପ୍ରବଳ ସ୍ରୋତରେ ଜଣେ ବାଳକ ଭାସିଯାଇ ପ୍ରାଣ ହରାଇବା କ’ଣ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଗ୍ରହଣୀୟ?

ଏଭଳି ଲେଖିବା ପଛର ଉଦ୍ଦେଶ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ନୁହେଁ। ବରଂ ରାଜଧାନୀ ଭୁବନେଶ୍ଵରକୁ ଆଖି ଚମକିଲା ପରି ଗୋଟିଏ ସ୍ମାର୍ଟ ସିଟିର ରୂପ ଦେବାକୁ  ବିକାଶର ଯେଉଁ ଧାରା ଚାଲିଛି, ତାହାର ପ୍ରଚ୍ଛଦରେ ଥିବା କେତେକ ଦୀର୍ଘ ଦିନର ସମସ୍ୟାର କାହିଁକି ସମାଧାନ କରାଯାଉ ନାହିଁ ବୋଲି ସିଧା ସଳଖ ପ୍ରଶ୍ନ କରିବା ଏହି ଆଲେଖ୍ୟର ପ୍ରକୃତ ଉଦ୍ଦେଶ୍ୟ।

ବରମୁଣ୍ଡା ଗାଁର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରା ଓରଫ ରାଜା ଗତ ରବିବାର ଦିନ ଅପରାହ୍ନରେ ଟ୍ୟୁସନ ଗଲାବେଳେ ଶତାବ୍ଦୀ ନଗରଠାରେ ବର୍ଷା ପାଣି ଉବୁଟୁବୁ ରାସ୍ତାରେ ମୁକୁଳା ଡ୍ରେନକୁ ଜାଣି ନପାରି ସେଥିରେ ପଡିଗଲେ। ସ୍ଥାନୀୟ କିଛି ଯୁବକ ରାଜାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ବି ପାଣିର ପ୍ରଖର ସ୍ରୋତ ଯୋଗୁ ତାଙ୍କୁ ରକ୍ଷା କରି ପାରିଲେ ନାହିଁ। ପରବର୍ତ୍ତୀ ସମୟରେ ଦମକଳ ବାହିନୀର ୩୦ କର୍ମଚାରୀ ୮ ଘଣ୍ଟା ଧରି ପ୍ରାୟ ୧୦ କିମି ଡ୍ରେନରେ ରୋପିଙ୍ଗ ରେସକ୍ୟୁ ଅପରେସନ କରିଥିଲେ ବି ରାଜାଙ୍କୁ ଖୋଜି ପାଇଲେ ନାହିଁ। ଶେଷକୁ ସୋମବାର ସକାଳେ ରାଜା ଭାସି ଯିବାର ୧୯ ଘଣ୍ଟା ପରେ ଦମକଳ ବାହିନୀ ତାଙ୍କ ମୃତ ଶରୀରକୁ ସେ ଭାସି ଯାଇଥିବା ସ୍ଥାନ ଠାରୁ ୭ କିମି ଦୂର ପଞ୍ଚସଖା ନଗର ଡ୍ରେନରୁ ଉଦ୍ଧାର କରିଛି।ସ୍ମାର୍ଟ ସିଟି ଭୁବନେଶ୍ଵରରେ ଖୋଲା ଡ୍ରେନରେ ପଡି ମୃତ୍ୟୁ ହେବା ଘଟଣା ଭାବେ ଏହା ପ୍ରଥମ ନୁହେଁ। ଗତ ଛଅ ବର୍ଷ ଭିତରେ ଏଭଳି ଦୁର୍ଘଟଣାରେ ସାତଟି ଅପମୃତ୍ୟୁ ଘଟିଲାଣି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଛଅ ବର୍ଷ ପୂର୍ବେ ପ୍ରଥମେ ନୟାପଲ୍ଲୀ ଅଞ୍ଚଳରେ ଏହି ଭଳି ଆଉ ଜଣେ ନାବାଳକ ମୁକୁଳା ଡ୍ରେନରେ ଭାସିଯାଇ ପ୍ରାଣ ହରାଇଥିଲେ। ସେହି କ୍ରମରେ ରାଜାଙ୍କ ଅପମୃତ୍ୟୁ ସପ୍ତମ ଘଟଣା। ସେହି ରବିବାର ଦିନ ମଧ୍ୟ ଆଉ ଏକ ଘଟଣା କ୍ରମରେ ଶ୍ୟାମପୁର ପଣ୍ଡାକୁଦିଆଠାରେ ସ୍ଵର୍ଣ୍ଣଲତା ଦିଗାଲ ନାମକ ଜଣେ ମହିଳା ସନ୍ଧ୍ୟାରେ ଅଫିସରୁ ଘରକୁ ଫେରୁଥିବାବେଳେ ପାଣି ଭର୍ତ୍ତି ଡ୍ରେନକୁ ରାସ୍ତା ଭାବି ନିଜ ସ୍କୁଟି ସହ ଡ୍ରେନରେ ପଶି ଭାସି ଯାଇଥିଲେ। ତେବେ ନିକଟରେ ଥିବା କିଛି ଯୁବକ ତାହା ଦେଖି ତାଙ୍କୁ ଉଦ୍ଧାର କରିଥିଲେ।

କାହିଁକି ବାରମ୍ବାର ଏଭଳି ହେଉଛି ଓ ଏହାର ସମାଧାନ କ’ଣ?

ବିରୋଧୀ ବିଜେପି ଓ କଂଗ୍ରେସ ଦଳ ଥାନାରେ ଏତଲା କରିବା ସହ ପଚାଶ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ମୁକୁଳା ଡ୍ରେନରେ ତୁରନ୍ତ କଭର ପକାଇବା ପାଇଁ ଦାବି କରିଥିଲେ। ସୋମବାର ଦିନ ବିଜେପି ଦଳ ପକ୍ଷରୁ ବିଏମସି ଘେରାଉ କରିବା ସହ କମିସନରଙ୍କୁ ହଟାଇବା ଓ କୋଟିଏ ଟଙ୍କାର କ୍ଷତିପୂରଣ ଦାବି କଲେ। ତେବେ ରାଜାଙ୍କ ଅପମୃତ୍ୟୁ ପାଇଁ ମନ୍ତ୍ରୀ ଅଶୋକ ପଣ୍ଡା ରିଲିଫ କୋଡ ଅନୁଯାୟୀ ମାତ୍ର ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହା ହେଲା ଏକ ନିଷ୍ପାପ ବାଳକ ଅପମୃତ୍ୟୁ ପରବର୍ତ୍ତୀ  ରାଜନୈତିକ ଘଟଣାବଳୀ।

ମନ୍ତ୍ରୀ ଅଶୋକ ପଣ୍ଡା ହୁଏତ ନିଶ୍ଚୟ ଜାଣିଥିବେ ଯେ ପ୍ରାକୃତିକ ବନ୍ୟା ସମୟରେ କାହାର ଅପମୃତ୍ୟୁ ହେଲେ ସେଥିପାଇଁ ସରକାରଙ୍କ ପକ୍ଷରୁ ରିଲିଫ କୋଡ ଅନୁଯାୟୀ ଅନୁକମ୍ପାମୂଳକ କ୍ଷତି ପୂରଣ ଦିଆଯାଏ। କିନ୍ତୁ ସହରାଞ୍ଚଳରେ, ବିଶେଷ କରି ରାଜଧାନୀ ଭୁବନେଶ୍ଵରରେ ବନ୍ୟା ଯେତେବେଳେ ମନୁଷ୍ୟକୃତ, ତହିଁରେ ଦୁର୍ଘଟଣାଜନିତ ଅପମୃତ୍ୟୁ କ’ଣ ସମାନ କଥା? ଏଥିପାଇଁ ରିଲିଫ କୋଡ କେମିତି ଲାଗିବ? ବନ୍ୟା ଯେତେବେଳେ ମନୁଷ୍ୟକୃତ ଓ ମୁକୁଳା ଡ୍ରେନ ଯେତେବେଳେ ସମ୍ପୃକ୍ତ କଣ୍ଟ୍ରାକ୍ଟର ଓ ଇଞ୍ଜିନିୟରମାନଙ୍କ ଅବହେଳା, ସେତେବେଳେ ରାଜାଙ୍କ ପ୍ରାଣହାନୀକୁ ଅପମୃତ୍ୟୁ କହିବା ନା ହତ୍ୟା? ଅବଶ୍ୟ ବର୍ତ୍ତମାନ ଯେହେତୁ ଏହି ଘଟଣାର ଅଭିଯୋଗ ଜାତୀୟ ମାନବାଧିକାର ଆୟୋଗରେ ପହଞ୍ଚିଲାଣି, ସେଠାରେ ଉପଯୁକ୍ତ ବିଚାରଣା ହୋଇ ହୁଏତ ରାଜାଙ୍କୁ ଠିକ ନ୍ୟାୟ ମିଳିବ ବୋଲି ଆଶା କରାଯାଇପାରେ।ତେବେ ବର୍ଷା ଦିନେ ରାଜଧାନୀରେ କୃତ୍ରିମ ବନ୍ୟା ସମସ୍ୟାର କୌଣସି ଦୀର୍ଘସ୍ଥାୟୀ ସମାଧାନ ହୋଇ ପାରିବକି?

ଯେମିତି କୌଣସି ରୋଗର ଉପଚାର ପାଇଁ ଜଣେ ଡାକ୍ତର ପ୍ରଥମେ ରୋଗର କାରଣକୁ ନିର୍ଦ୍ଧାରିତ କରନ୍ତି ଓ ସେହି ଅନୁଯାୟୀ ଔଷଧ ଦିଅନ୍ତି, ଠିକ ସେମିତି ଭୁବନେଶ୍ଵରରେ ବର୍ଷା ଜଳ ନିଷ୍କାସନ ନହୋଇ କାହିଁକି ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଛି ତାହାକୁ ଜାଣିବା ଦରକାର। କିନ୍ତୁ ପରିତାପର ବିଷୟ ହେଲା, ରାଜଧାନୀର ସମ୍ପ୍ରସାରଣ କାଳରେ ସମସ୍ତେ ଆଖିବୁଜି ଏଠାରେ ଥିବା ସମସ୍ତ ପ୍ରାକୃତିକ ପ୍ରଣାଳୀକୁ କୋଠାବାଡି ନିର୍ମାଣ ଦ୍ଵାରା ଏପରି ଅବରୋଧ କରି ରଖିଛନ୍ତି ଯେ ଲଗାଣ ବର୍ଷା ବେଳେ ଜଳ ନିଷ୍କାସନ ଆଦୌ ହୋଇ ପାରୁନାହିଁ। ସମସ୍ତଙ୍କୁ ଏହି କାରଣ ଜଣା। କିନ୍ତୁ ସମାଧାନର ବାଟ କାହାକୁ ଜଣା ନାହିଁ!ସୋମବାର ବିଜେପି ବିଏମସି ଘେରାଉ କଲା। କିନ୍ତୁ ସମସ୍ୟା ସୃଷ୍ଟି କରିଥିବା ବିଡିଏ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ଭୁଲିଗଲା। ରାଜଧାନୀ ଭୁବନେଶ୍ଵରକୁ ଏକ ବ୍ୟବସ୍ଥିତ ସହର ରୂପେ ଗଢି ତୋଳିବାକୁ ଏଠାରେ ହେଉଥିବା ସମସ୍ତ ନିର୍ମାଣ କାର୍ଯ୍ୟର ପ୍ଳାନକୁ ବିଡିଏ ପକ୍ଷରୁ ମଞ୍ଜୁରୀ ଦିଆଯାଏ। ଗତ ଚାଳିଶି ବର୍ଷ ଭିତରେ ବିଡିଏ ନିଜର ଏହି ଗୁରୁ ଦାୟିତ୍ଵକୁ ଠିକ ରୂପେ ତୁଲେଇଛି କି? ଏହାର ସଂକ୍ଷିପ୍ତ ଉତ୍ତର ହେଉଛି “ନା!”। ଯଦି ତାହା ହୋଇଥାନ୍ତା ଆମେ ଏହି ଲଗାତାର ଜଳବନ୍ଦି ସମସ୍ୟାକୁ ଆଦୌ ଭୋଗୁ ନଥାନ୍ତେ। ଖାଲି ସେତିକି ନୁହେଁ, କୋଠବାଡି ଭିନ୍ନ ରାସ୍ତା ଘାଟ ନିର୍ମାଣ ବେଳେ ଭୁବନେଶ୍ଵରରେ ରହିଥିବା ସମୁଦାୟ ପ୍ରାକୃତିକ ନିଷ୍କାସନ ପ୍ରଣାଳୀଗୁଡିକ ପ୍ରତି ଧ୍ୟାନ ଦେଇ ପ୍ଳାନ କରାଯାଇଛି କି? ଜମା ନୁହେଁ, ବିଡିଏର ଏହି ଅପରିଣାମଦର୍ଶୀ ପଦକ୍ଷେପ ପାଇଁ କେବଳ ହତାଶ ହେବା ଛଡା କ’ଣ ଆଉ କରାଯାଇ ପାରିବ? ଯଦି ପ୍ରଶ୍ନ କରିବ ତ’ କାହାକୁ ପ୍ରଶ୍ନ କରିବ?

ଉଲ୍ଲେଖନୀୟ କି ପ୍ରଥମ ମାଷ୍ଟର ପ୍ଲାନ ଅନୁଯାୟୀ ଭୁବନେଶ୍ଵରରେ ଏକଦା ଅତି ସୁନ୍ଦର ନିଷ୍କାସନ ପ୍ରଣାଳୀ ରହିଥିଲା। କେବଳ ରାଜ ଭବନଠାରୁ ରାଜମହଲ ଛକ ପର୍ଯ୍ୟନ୍ତ ମୁହଁବନ୍ଦ ନାଳ ରହିଥିବାବେଳେ ଅନ୍ୟତ୍ର ସବୁଠାରେ ପଥର କାନ୍ଥିନୀର ଖୋଲା ନାଳ ନିର୍ମାଣ ହୋଇଥିଲା। ବର୍ଷା ହେବା ମାତ୍ରେ ପାଣି ସଙ୍ଗେସଙ୍ଗେ ସେହି ସବୁ ନାଳକୁ ଗଡିଯାଇ ମୁଖ୍ୟ ନାଳଗୁଡିକରେ ନିଷ୍କାସିତ ହୋଇ ଯାଉଥିଲା। ନାଳଗୁଡିକରେ ପାଣି ଢେଉ ଖେଳୁଥିବାବେଳେ ରାସ୍ତା ଉପରେ ଆଦୌ ରହୁ ନଥିଲା। ପଚାଶ ବର୍ଷରୁ ଉର୍ଦ୍ଧ୍ଵ ଅତୀତର ସେହି ସମୟକୁ ଆମେ ଆଉ ଫେରି ଯାଇ ପାରିବାନାହିଁ। ତେବେ କରିବା କ’ଣ?

ଏହା ମଧ୍ୟ ବହୁଧା ଦେଖିବାକୁ ମିଳୁଛି ଯେ ରାସ୍ତା କାମ ହେଉ କି ଡ୍ରେନ କାମ ହେଉ, କାମ କରାଯାଉଥିବା ବେଳେ ସେଠାରେ ଯେ କାମ ହେଉଛି ତାହାର କୌଣସି ସୂଚନା ଦିଆଯାଉ ନାହିଁ। ଏହା କାମ କରୁଥିବା କଣ୍ଟ୍ରାକ୍ଟର ଓ ସମ୍ପୃକ୍ତ ତଦାରଖକାରୀ ଇଞ୍ଜିନିୟରମାନଙ୍କ ମନମୁଖୀ କାର୍ଯ୍ୟ ନୁହେଁ ତ’ ଆଉ କ’ଣ? ତେଣୁ ଦୁର୍ଘଟଣା ଘଟି ଜୀବନହାନୀ ହେଲେ କିମ୍ବା କେହି ଆହତ ହେଲେ କ୍ଷତିପୂରଣ ରାଶି ବ୍ୟକ୍ତିଗତ ଭାବେ ସମ୍ପୃକ୍ତ କଣ୍ଟ୍ରାକ୍ଟର ଓ ତଦାରଖକାରୀ ଇଞ୍ଜିନିୟରମାନଙ୍କଠାରୁ ଆଦାୟ କରିବା ବ୍ୟବସ୍ଥା କାହିଁକି କରାଯାଉ ନାହିଁ? ସେଭଳି କରିବା ଦ୍ଵାରା ଅନ୍ତତଃ ସେମାନଙ୍କ ଭିତରେ କିଛିଟା ଭୟ ସୃଷ୍ଟି ହୁଅନ୍ତା ଓ ସେମାନେ କାମ ଚାଲୁଥିବା ସମୟରେ ସତର୍କତା ଅବଲମ୍ବନ କରନ୍ତେ। ତା’ ଦ୍ଵାରା କିଛି ପରିମାଣରେ ଦୁର୍ଘଟଣା ଏଡେଇବା ସମ୍ଭବ ହୋଇପାରନ୍ତା।

ଏବେ ବିଡିଏ ଓ ବିଏମସି ଚେତିବାର ସମୟ ଆସିଛି। ରାଜଧାନୀ ଭୁବନେଶ୍ଵରକୁ କେବଳ ସ୍ମାର୍ଟ ସିଟି ନୁହେଁ, ତା’ ସହିତ ଜନଜୀବନ କିପରି ସୁରକ୍ଷିତ ରହିବ ଓ ସମସ୍ତେ କିଭଳି ଉପଯୁକ୍ତ ସ୍ଵାଚ୍ଛନ୍ଦ୍ୟ ପାଇ ପାରିବେ ସେଥି ପ୍ରତି ଧ୍ୟାନ ଦେବା ଦରକାର।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment