ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପିପିଲି ଉପନିର୍ବାଚନ। ଶୃଙ୍ଖଳାର ସହ ଭୋଟରମାନେ ମତଦାନ ଦେଉଛନ୍ତି। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା। ତେବେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ସମୁଦାୟ ୩୪୮ଟି ବୁଥରେ ୨ଲକ୍ଷ ହଜାର ୯୯୮ ଜଣ ଭୋଟର ମତଦାନ ଦେବାର ବ୍ୟବସ୍ଥା କରାଯାଇଛି। ସେଥି ମଧ୍ୟରୁ ୨୦୧ଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଘୋଷଣା କରାଯାଇଛି।

ଏହି ସମ୍ବେଦନଶୀଳ ବୁଥଗୁଡ଼ିକ ମଧ୍ୟରୁ ୧୭୫ଟିରେ ୱେବକାଷ୍ଟିଙ୍ଗ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି। ସେହିପରି ୨୩ଟି ବୁଥରେ ମାଇକ୍ରୋ ଅବଜରଭର୍ ମୁତୟନ ହୋଇଛନ୍ତି। ସମ୍ବେଦନଶୀଳ ବୁଥ ଉପରେ କଡ଼ା ନଜର ରଖାଯାଇଛି। ଆଇନ ଶୃଙ୍ଖଳା ପାଇଁ ସମସ୍ତ ବୁଥରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।କରୋନା କାଳରେ ଉପନିର୍ବାଚନ ହେଉଥିବାରୁ ସବୁ ବୁଥରେ ଭୋଟରମାନଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରାଯାଉଛି। ପ୍ରତି ବୁଥରେ କୋଭିଡ ନୋଡାଲ ଅଧିକାରୀ ରହିଛନ୍ତି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଡବଲ ଡୋଜ ଟିକା ନେଇଥିବା କର୍ମଚାରୀ ଭୋଟିଂ କେନ୍ଦ୍ରରେ ମୁତୟନ ହୋଇଛନ୍ତି। ଲକ୍ଷଣ ଥିବା ଭୋଟର ଘରେ ରହି ଶେଷ ମୁହୁର୍ତ୍ତରେ ଭୋଟ ଦେଇପାରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥି ସହିତ ପ୍ରତି ବୁଥରେ ହଜାରେ ଜଣ ମତଦାତା ଭୋଟ ଦେବାର ପ୍ରକ୍ରିୟା ରହିଛି।

ବିଜେଡି ପକ୍ଷରୁ ରୁଦ୍ର ପ୍ରତାପ ମହରାଥୀ ଏଠାରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି।

୨୦୨୦ରେ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଥିଲା। ଏହା ପରେ ୨୦୨୧ ଏପ୍ରିଲ ମାସରେ ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। କିନ୍ତୁ ଏପ୍ରିଲ ୧୭ରେ ଭୋଟ ଗ୍ରହଣ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନାରେ ମୃତ୍ୟୁ ହୋଇଯାଇଥିଲା। ତେଣୁ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଗଲା। ଏହାପରେ ରାଜ୍ୟରେ କରୋନା ସଂକ୍ରମଣରୁ ଭୟାବହତା କାରଣରୁ ମେ’ ମାସରେ ହେବାକୁ ଥିବା ଉପନିର୍ବାଚନ ତାରିଖଖୁ ପୁଣିଥରେ ସ୍ଥଗିତ ରଖାଯାଇଥିଲା। ଆଜି ସମସ୍ତ କରୋନା କଟକଣା ଭିତରେ ପିପିଲି ଉପନିର୍ବାଚନ ପାଇଁ ଭୋଟରମାନେ ମତଦାନ ଦେଉଛନ୍ତି।

Comment