ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଟଣାଓଟରା ଥମୁନି। ଫଳରେ ବୁଧବାର ସପ୍ତମ ଦିନରେ ମଧ୍ୟ ବିଧାନସଭାରେ ଅଚଳାବସ୍ଥାରେ ଲାଗି ରହିଛି। ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ପାଇଁ ପ୍ରଥମେ ସାଢ଼େ ୧୧ଟା ଯାଏଁ ଗୃହକୁ ମୁଲତବୀ ରଖାଯାଇଥିଲା। ହେଲେ ଏହାପରେ ମଧ୍ୟ ଗୃହ କାର୍ଯ୍ୟ ସ୍ଵାଭାବିକ ହୋଇପାରିଲା ନାହିଁ। ଫଳରେ ଅପରାହ୍‌ଣ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।ବୁଧବାର ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀ ବିଜେପି ଘଣ୍ଟ ପିଟିବା ସହ ହାତରେ ପ୍ଲା-କାର୍ଡ ଧରି ମମିତା ମେହେର ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରି ହୋହଲ୍ଲା ଓ ନାରାବାଜି କରିଥିଲେ। ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ନବୀନ ନିବାସକୁ ଆସିଥିବାର ଏକ ଫଟୋ ପୋଷ୍ଟର ଦେଖାଇ ସରକାରଙ୍କୁ ଟାର୍ଗେଟ କରିଥିଲା ବିଜେପି।ଶାସକ ଦଳ ବିଜେଡି ମଧ୍ୟ ବିଜେପିକୁ କାଉଣ୍ଟର ଟାର୍ଗେଟ କରି ଗୋବିନ୍ଦ ସାହୁଙ୍କ ଓକିଲ ମୋହନ ଲାଲ ଶର୍ମାଙ୍କ ଫଟୋ ପୋଷ୍ଟର ବିଧାନସଭାରେ ଦେଖାଇଥିଲା। ବିଜେପିର ବଡ ବଡ ନେତାଙ୍କ ସହ ମୋହନଲାଲ ବସି ଫଟୋ ଉଠାଇଥିବାର ଫଟୋ ଦେଖାଇ ବିଜେପିକୁ କାଉଣ୍ଟର କରିଥିଲା ବିଜେଡି। ବିଜେଡି ଅଭିଯୋଗ କରିଛି କି ଗୋଟିଏ ପଟେ ବିଜେପି ମମିତାଙ୍କୁ ନ୍ୟାୟ ଦେବା କଥା କହୁଥିବା ବେଳେ ଅଭିଯୁକ୍ତ ଗୋବିନ୍ଦ ସାହୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି।

ତେବେ ଟଣାଓଟରା, ହୋହଲ୍ଲା, ନାରାବାଜି ଫଳରେ ବିଧାନସଭା ଆରମ୍ଭ ହେବାର ସାତ ଦିନ ହୋଇସାରିଥିଲେ ସୁଦ୍ଧା ସଠିକ୍ ଭାବେ ଗୃହକାର୍ଯ୍ୟ ଚାଲିପାରୁ ନାହିଁ। ଫଳରେ ରାଜ୍ୟର କେତେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

Comment