ଓଡ଼ିଶାଲାଇଭ୍ ବ୍ୟୁରୋ

  • ବିଜେପିର ବିଶାଳ ସମାବେଶ
  • ଏସଆଇଟିକୁ ତଦନ୍ତ ଭାର ଦିଆଯାଉ: କଂଗ୍ରେସ
  • ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହତ୍ୟା କାରଣ ସ୍ପଷ୍ଟ ହେବ: କ୍ରାଇମବ୍ରାଞ୍ଚ ଏଡିଜି
  • ମୋ ସ୍ଵାମୀଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତି କରାନଯାଉ: ସୁଭଦ୍ରା
  • ଦୋଷୀକୁ ନିଶ୍ଚିତ ଦଣ୍ଡ ମିଳିବ: ସଞ୍ଜୟ ଦାସବର୍ମା

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲାଇ ହତ୍ୟାକାଣ୍ଡ ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ହତ୍ୟାକାଣ୍ଡ ପଛରେ ସଞ୍ଜୟଙ୍କ ସଂପୃକ୍ତି ଥିବା ଅଭିଯୋଗ ଆସିବା ପରେ ବିରୋଧୀମାନେ ଏବେ ବିଜେଡିକୁ ଟାର୍ଗେଟ କରିଛନ୍ତି।ରାସ୍ତାକୁ ଓହ୍ଲାଇଲା ବିଜେପି

ଚିତ୍ତରଞ୍ଜନଙ୍କୁ ନ୍ୟାୟ ଦେବା ଦାବିରେ ଶୁକ୍ରବାର ବିଜେପି ପକ୍ଷରୁ ପୁରୀରେ ଏକ ବିଶାଳ ସମାବେଶ କରାଯାଇଥିଲା। ଲୋକନାଥ ମନ୍ଦିରଠାରୁ ବିଜେପି କର୍ମୀମାନେ ଏକ ରାଲି ବାହାରକରି ବ୍ରହ୍ମଗିରି ଢ଼ାବାଛକଠାରେ ପହଞ୍ଚିଥିଲା। ସେଠାରେ ଏକ ବିଶାଳ ସମାବେଶ କରି ଚିତ୍ତରଞ୍ଜନଙ୍କୁ ନ୍ୟାୟ ଦେବା ପାଇଁ ସେମାନେ ଦାବି କରିଥିଲେ। ସମାବେଶରେ ପୁରୀ ସଦର ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଉପସ୍ଥିତ ଥିଲେ। ତୁରନ୍ତ ଚିତ୍ତରଞ୍ଜନଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଠୋର ଦଣ୍ଡ ଦେବାକୁ ଦଳ ପକ୍ଷରୁ ଦାବି କରାଯାଥିଲା।

ଏସଆଇଟି ନେଉ ତଦନ୍ତ ଦାୟିତ୍ଵ: କଂଗ୍ରେସ

ଚିତ୍ତରଞ୍ଜନ ହତ୍ୟା ମାମଲାର ତଦନ୍ତ ଭାର ଏସଆଇଟିକୁ ଦେବା ଲାଗି ବିରୋଧୀ କଂଗ୍ରେସ ଦାବି କରିଛି। ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ଵ କ୍ରାଇମବ୍ରାଞ୍ଚକୁ ମିଳିଥିବା ବେଳେ କଂଗ୍ରେସ ଅଭିଯୋଗ କରିଛି ଯେ, କ୍ରାଇମବ୍ରାଞ୍ଚ ଅପରାଧୀଙ୍କୁ ସୁରକ୍ଷା ଦେଉଛି। ତେଣୁ ଏହି ଘଟଣାର ତଦନ୍ତ ପାଇଁ ସ୍ଵତନ୍ତ୍ର ଏସଆଇଟି ଗଠନ କରିବାକୁ କଂଗ୍ରେସ ଦାବି କରିଛି। ଦୋଷୀକୁ ନିଶ୍ଚିତ ଦଣ୍ଡ ମିଳିବ: ସଞ୍ଜୟ ଦାସବର୍ମା

ବିରୋଧୀ ବିଜେପି ଏବଂ କଂଗ୍ରେସ ଚିତ୍ତରଞ୍ଜନ ହତ୍ୟା ମାମଲାରେ ସଞ୍ଜୟଙ୍କୁ ଟାର୍ଗେଟ କରୁଥିବା ବେଳେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ସଞ୍ଜୟ। ସେ କହିଛନ୍ତି ଯେ, ଚିତ୍ତଙ୍କ ମୃତ୍ୟୁରେ ସେ ଦୁଃଖିତ। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି। ଯେ କେହି ବି ଏହି କାଣ୍ଡ ଘଟାଇଥିବ ତାକୁ ନିଶ୍ଚୟ ଦଣ୍ଡ ମିଳିବ।

ମୋ ସ୍ଵାମୀଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତି କରାନଯାଉ: ସୁଭଦ୍ରା

ଚିତ୍ତରଞ୍ଜନଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ, ଘଟଣାକୁ ନେଇ ରାଜନୀତି ନ କରିବାକୁ ଚିତ୍ତଙ୍କ ପତ୍ନୀ ସୁଭଦ୍ରା କହିଛନ୍ତି। ସେ କହିଛନ୍ତି, “ମୋ ସ୍ଵାମୀଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତି କରାନଯାଉ। ମୋର କ୍ରାଇମବ୍ରାଞ୍ଚ ଉପରେ ଭରସା ରହିଛି। କ୍ରାଇମବ୍ରାଞ୍ଚକୁ ତାଙ୍କ କାମ କରିବାକୁ ଦିଆଯାଉ। ତୁରନ୍ତ ଦୋଷୀଙ୍କୁ ଦଣ୍ଡ ମିଳିବ ଏବଂ ମୋ ସ୍ଵାମୀଙ୍କୁ ନ୍ୟାୟ ମିଳିବ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ହତ୍ୟାକାଣ୍ଡ ଦିନ ଚିତ୍ତରଞ୍ଜନଙ୍କ ସହ ତାଙ୍କ ସାଙ୍ଗ ଜଗା ରହିଥିଲା। ତେଣୁ ଏହି ହତ୍ୟାରେ ଜଗାର ହାତ ରହିଛି। ତେବେ କେବଳ ଜଗା ଏକା ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ନୁହେଁ ବରଂ ତା’ ସହିତ ଆହୁରି ଅନେକ ଅଭିଯୁକ୍ତ ସାମିଲ ଅଛନ୍ତି।

ପୁରୀରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

ଚିତ୍ତତଞ୍ଜନ ହତ୍ୟା ଘଟଣାର ପର୍ଦ୍ଦାଫାସ କରିବା ପାଇଁ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି। ଅଧିକ ତଦନ୍ତ ପାଇଁ ଶନିବାର କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପୁରୀ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି। ଘଟଣା ବାବଦରେ କିଛି ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ କିଛି ଲୋକଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି ଏଡିଜି କହିଛନ୍ତି।

ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଶନିବାର ଏକ ସାମ୍ଵାଦିକ ସମ୍ମିଳନୀରେ ଏଡିଜି ସୂଚନା ଦେଇଛନ୍ତି। ଏଥିସହ ସେ ଘଟଣା ସଂକ୍ରାନ୍ତରେ ପୁରୀ ଏସପିଙ୍କ ସହ ଆଲୋଚନା କରିଥିବା କହିଛନ୍ତି।କ’ଣ ଥିଲା ଘଟଣା?

ଡିସେମ୍ଵର ୧୧ ତାରିଖ ରାତିରେ ଚିତ୍ତରଞ୍ଜନ ପଲାଇ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇଥିଲେ। ଚିତ୍ତଙ୍କ ବନ୍ଧୁ ଜଗନ୍ନାଥଙ୍କ ଭଡ଼ା ଘରେ ଭୋଜି ଚାଲିଥିଲା। ହେଲେ ସେଦିନ ଚିତ୍ତ ଆଉ ଘରକୁ ଫେରି ନଥିଲେ। ପରେ ତାଙ୍କ ମୃତଦେହ ପୁରୀ ସଦର ଥାନା ଅନ୍ତର୍ଗତ ଗଡ଼ମୃଗଶିରା ବ୍ରିଜ୍ ପାଖରୁ ମିଳିଥିଲା। ଘଟଣାକୁ ୮ ଦିନ ବିତିଥିଲେ ମଧ୍ୟ ଚିତ୍ତଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇପାରିନାହିଁ।

Comment