ଓଡ଼ିଶାଲାଇଭ୍ ବ୍ୟୁରୋ

ନିଶା ଔଷଧ ଦେଇ ସ୍ଵାମୀକୁ ହତ୍ୟା କରିବା ପରେ ଶବର ୧୦ ଖଣ୍ଡ କରିଥିଲା ସ୍ତ୍ରୀ। ରାତିର ଅନ୍ଧାରରେ ପାପ ଘୋଡ଼ାଇବାକୁ ଚାଲିଥିଲା ପ୍ରୟାସ।

ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଦିଲ୍ଲୀରୁ ଆସିଲା ଆଉ ଏକ ଛାତିଥରା ଘଟଣା। ପୁରୁଷ ବନ୍ଧୁ ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ୩୬ ଖଣ୍ଡ କରିବାଥିବାବେଳେ ଜଣେ ସ୍ତ୍ରୀ ସ୍ଵାମୀକୁ ୧୦ ଖଣ୍ଡ କରି ହତ୍ୟା କରିଛି। ଏହି ବିଭତ୍ସ ହତ୍ୟାକାଣ୍ଡ ଦିଲ୍ଲୀର ପାଣ୍ଡବ ନଗରରେ ଘଟିଛି। ପୋଲିସ୍ ଅଭିଯୁକ୍ତ ପତ୍ନୀ ପୁନମ ଏବଂ ପୁଅ ଦୀପକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବର୍ତ୍ତମାନ ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ଉପରୁ ସମ୍ପୂର୍ଣ୍ଣ ପରଦା ହଟିନ ଥିବାବେଳେ ଅଞ୍ଜନ ଦାସ ହତ୍ୟାକାଣ୍ଡକୁ ନେଇ ଦିଲ୍ଲୀରେ ଆତଙ୍କ ସୃଷ୍ଟି ହୋଇଛି। ସ୍ଵାମୀକୁ ହତ୍ୟା କରିବା ପରେ ୧୦ ଖଣ୍ଡ କରି କାଟି ପକାଇଥିଲେ ପତ୍ନୀ ଓ ପୁଅ। ଫ୍ରିଜରେ ଲୁଚାଇ ରଖିଥିଲେ ଖଣ୍ଡ ଖଣ୍ଡ ହୋଇଥିବା ଅଞ୍ଜନଙ୍କ ଶରୀର। ମା’ର ଏହି ଅପରାଧରେ ଭରପୁର ସହଯୋଗ କରୁଥିଲା ପୁଅ ଦୀପକ। ପ୍ରତିଦିନ ରାତିରେ ମା’ ଓ ପୁଅ ମିଶି ନିଛାଟିଆ ସ୍ଥାନକୁ ଯାଇ ଖଣ୍ଡେ ଖଣ୍ଡେ ମାଂସ ଖଣ୍ଡ ପିନ୍ଧି ଦେଇଆସୁଥିଲେ। ଏହି ଘଟଣା ଉପରୁ ପରଦା ହଟାଇଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ।

କ’ଣ ଥିଲା ପୁରା ଘଟଣା?

କ୍ରାଇମବ୍ରାଞ୍ଚ ଡିସିପି ଅମିତ ଗୋଏଲଙ୍କ ସୂଚନା ଅନୁସାରେ ଗତ ଜୁନ ୫ ତାରିଖରେ ରାମଲୀଳା ମଇଦାନରେ ପୋଲିସୁ କୌଣସି ବ୍ୟକ୍ତିଙ୍କ ଶରୀରର ବିଭିନ୍ନ ଅଂଶ ମିଳିଥିଲା। ଲଗାତର ଚାରି ଦିନ ପର୍ଯ୍ୟନ୍ତ ଏହିପରି ଚାଲିଥିଲା। ପୋଲିସ୍ ମାଂସ ଖଣ୍ଡ ଏକାଠି କରି ଶବ ଚିହ୍ନଟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ସଫଳତା ମିଳିପାରିନଥିଲା। କିନ୍ତୁ ହାର ମାନିନଥିଲା ପୋଲିସ୍। ପୋଲିସ୍ ଲାଗି ପଡ଼ିଥିଲା ଏହି ଘଟଣାର ରହସ୍ୟ ଉନ୍ମୋଚନ କରିବାକୁ।

ସିସିଟିଭି ଫୁଟେଜ ଏବଂ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିବା ପରେ ଏହି ମାଂସ ଖଣ୍ଡଗୁଡ଼ିକ ଅଞ୍ଜନ ଦାସ ନାମକ ବ୍ୟକ୍ତିଙ୍କର ହୋଇପାରେ ବୋଲି ପୋଲିସ୍ ଜାଣିବାକୁ ପାଇଥିଲା। ଅଞ୍ଜନ ସମ୍ପର୍କରେ ଜାଣିବାକୁ ପୋଲିସର ତନାଘନା ଜୋରଦାର ହୋଇଥିଲା। ଯାଞ୍ଚ ସମୟରେ ଅଞ୍ଜନ ୫/୬ ମାସ ହେଲା ନିଖୋଜ ଥିବା ଜାଣିବାକୁ ପାଇଥିଲା ପୋଲିସ୍। କିନ୍ତୁ ପରିବାର ପକ୍ଷରୁ ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ କରାଯାଇନଥିବାରୁ ପୋଲିସର ସନ୍ଦେହ ବଢ଼ିଥିଲା।

ପ୍ରଥମ ସ୍ତ୍ରୀ ବିହାରରେ, ଦ୍ଵିତୀୟ ପତ୍ନୀ ସହ ରହୁଥିଲେ ଅଞ୍ଜନ

ଅଞ୍ଜନ ଦାସ ନିଖୋଜ ହେବା ସମ୍ପର୍କରେ ପରିବାର ଲୋକେ ଥାନାରେ କୌଣସି ଅଭିଯୋଗ କରିନଥିବାରୁ ଏହାକୁ ନେଇ ପୋଲିସର ସନ୍ଦେହ ବଢ଼ିଥିଲା। ଦିଲ୍ଲୀ ପୋଲିସର ଏକ ଟିମ୍ ଅଞ୍ଜଙ୍କ ଦ୍ଵିତୀୟ ପତ୍ନୀ ପୁନମ ଏବଂ ପୁଅ ଦୀପକୁ ପଚରା ଉଚରା କରିବା ପରେ ଧୀରେ ଧୀରେ ଏହି ଘଟଣାରୁ ପରାଦା ହଟିଥିଲା।

ସମ୍ପର୍କର ବୁଢ଼ିଆଣି ଜାଲ

ପୋଲିସର କହିବା ଅନୁସାରେ ବିହାର ରାଜ୍ୟର ପୁନମ ମାତ୍ର ୧୩ ବର୍ଷ ବୟସରେ ସୁଖଦେବଙ୍କୁ ବିବାହ କରିଥିଲେ। ପରେ ସେମାନଙ୍କର ଗୋଟିଏ ସନ୍ତାନ ହୋଇଥିଲା। କିନ୍ତୁ ସୁଖଦେବ ପୁନମଙ୍କୁ ଛାଡ଼ି ଦିଲ୍ଲୀ ଚାଲିଆସିଥିଲେ। ସୁଖଦେବଙ୍କୁ ଖୋଜି ଖୋଜି ପୁନମ ଦିଲ୍ଲୀରେ ପହଞ୍ଚିଥିଲେ। ହେତେ ସୁକଦେବଙ୍କ ପାଇନଥିଲେ ପୁନମ। ପରେ କାଳୁ ନାମକ ଅନ୍ୟ ଏକ ବ୍ୟକ୍ତିଙ୍କୁ ପୁନମ ବିବାହ କରିଥିଲେ। ସେମାନଙ୍କର ତିନିଟି ସନ୍ତାନ ହୋଇଥିଲେ। ୨୦୧୬ ମସିହାରେ ରୋଗଗ୍ରସ୍ତ ହୋଇ କାଳୁଙ୍କର ମୃତ୍ୟୁ ହୋଇଥିଲା।

ଏହା ପରେ ପୁନମ ୨୦୧୭ରେ ଅଞ୍ଜନ ଦାସଙ୍କୁ ବିବାହ କରଥିଲା। ଏହା ପୁନମଙ୍କର ତୃତୀୟ ବିବାହ ଥିଲା। କିନ୍ତୁ ଅଞ୍ଜନ ପୂର୍ବରୁ ବିବାହିତ ଥିବାବେଳେ ତାଙ୍କର ୮ଟି ସନ୍ତାନ ଅଛନ୍ତି। ଏ ସମ୍ପର୍କରେ କିନ୍ତୁ ପୁନମଙ୍କୁ ଜଣାଇନଥିଲେ ଅଞ୍ଜନ।

ଦିନରାତି ଝଗଡ଼ା କରୁଥିଲେ ପୁନମ-ଅଞ୍ଜନ

ଅଞ୍ଜନ କୌଣସି କାମ ଧନ୍ଧା ନକରି ଘରେ ବସି ରହୁଥିଲେ। ପୁନମ ଘରର ସବୁ ଖର୍ଚ୍ଚ ଉଠାଉଥିଲେ। ଦିନ ରାତି ଘରେ ରହୁଥିବାରୁ ଏହାକୁ ନେଇ ସବୁଦିନ ଅଞ୍ଜନ ଏବଂ ଦ୍ଵିତୀୟ ପତ୍ନୀ ପୁନମ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଏହାରି ମଧ୍ୟରେ ପୁନମର କିଛି ଗହଣା ବିକ୍ରି କରି ଅଞ୍ଜନ ବିହାରରେ ରହୁଥିବା ପ୍ରଥମ ପତ୍ନୀ ପାଖକୁ ଟଙ୍କା ପଠାଇଥିଲେ। ଏହା ଜାଣିବା ପରେ ଉଭୟଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା ହୋଇଥିଲା।

କିଛି ଦିନ ପରେ ପୁଅ ଦୀପକର ବିବାହ ହୋଇଥିଲା। ଦୀପକର ସ୍ତ୍ରୀ ସହ ଅଞ୍ଜନଙ୍କର ମିଳାମିଶାକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ ପୁନମ। ଏହାକୁ ନେଇ ମଧ୍ୟ ଉଭୟ ପୁନମ ଏବଂ ଅଞ୍ଜନଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା।

ନିଶା ଔଷଧ ଦେଇ ହତ୍ୟା କରିଥିଲେ ମା’-ପୁଅ

ଦୀପକର ପତ୍ନୀ ସହ ଅଞ୍ଜନର ଖରାପ ସମ୍ପର୍କ ଥିବା ପୁନମ ପୁଅ ଦୀପକୁ କହିଥିଲେ। ଏହା ପରେ ଉଭୟ ଅଞ୍ଜନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ। ପୂର୍ବ ଯୋଜନା ମୁତାବକ ପୁନମ ଏବଂ ଦୀପକ ଅଞ୍ଜନଙ୍କୁ ନିଶା ଔଷଦ ଦେଇଥିଲେ। ଅଞ୍ଜନ ବେହୋସ ହେବା ପରେ ମା’-ପୁଅ ମିଶି ତାଙ୍କ ବେକ କାଟି ହତ୍ୟା କରିଥିଲେ। ପରଦିନ ଉଭୟେ ଘରେ ପଡ଼ିଥିବା ରକ୍ତ ଦାଗ ସଫା କରିଥିଲେ। ପରେ ଶବକୁ ଖଣ୍ଡ ଖଣ୍ଡ କରି କାଟି ଫ୍ରିଜରେ ସାଇତି ରଖିଥିଲେ। ଅତି ଚତୁରତାର ସହ ମା’ ଓ ପୁଅ ମିଶା ରାତିରେ ଯାଇ ପାଣ୍ଡବ ନଗର ରାମଲୀଳା ମଇଦାନରେ ଶବ ଖଣ୍ଡକୁ ଥର ଥର କରି ଫିଙ୍ଗୁ ଥିଲେ ବୋଲି ପୋଲିସ୍ ଆଗରେ ମାନିଛନ୍ତି ପୁନମ ଏବଂ ତାଙ୍କ ପୁଅ ଦୀପକ।

ପୋଲିସ୍ ଶବ ଖଣ୍ଡଗୁଡ଼ିକୁ ଜବତ କରିବା ସହ ପୁନମ ଏବଂ ଦୀପକଙ୍କର ପୋଷାକ ଜବତ କରିଛି। ଶବ ଖଣ୍ଡ ସହ ସେମାନଙ୍କର ଡିଏନଏ ଟେଷ୍ଟ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

Tags: #Crime #DelhiMurderCase #RamleelaMaidan #DelhiCrimeBranch #Arrest

Comment