ଓଡ଼ିଶାଲାଇଭ୍ ବ୍ୟୁରୋ

  • ବଢୁଛି ତାପମାତ୍ରା, ଆଜିଠୁ କମିବ ଶୀତ
  • ଉତ୍ତର, ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଥଣ୍ଡା ପବନ ଦୁର୍ବଳ ହେଉଛି

କମିବ ଶୀତ ପ୍ରବାହ। ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ବୃଦ୍ଧି ପାଇବ। ସେହିପରି ଆଗାମୀ ଦୁଇ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଥଣ୍ଡା ପବନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୦.୨ରୁ ୪.୪ ଡିଗ୍ରୀ ଯାଏଁ ବୃଦ୍ଧି ଘଟିଥିବା ବେଳେ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୦.୨ରୁ ୧.୫ ଡିଗ୍ରୀ ଯାଏଁ ବୃଦ୍ଧି ପାଇଛି। ଫଳରେ ହାଡ଼ଭଙ୍ଗା ଜାଡ଼ରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ଵସ୍ତି ମିଳିଛି।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଡିଗ୍ରୀ ତଳେ ରାଜ୍ୟର ୧୧ ସହର ରହିଥିବା ବେଳେ ଫୁଲବାଣୀରୁ ସର୍ବନିମ୍ନ ୬.୫ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି।ସେହିପରି ଟୁଇନ୍ ସିଟି କଟକ ଭୁବନେଶ୍ଵରରେ ମଧ୍ୟ ଶୀତ ପ୍ରବାହ କମିଛି। ଏକ ସପ୍ତାହ ଧରି ଟୁଇନ୍ ସିଟିରେ ରାତି ତାପମାତ୍ରା ୧୦ରୁ ୧୧ ଡିଗ୍ରୀ ରହୁଥିବା ବେଳେ ଗୁରୁବାର ପାରଦ ବଢ଼ି କଟକରେ ୧୧.୬ ଏବଂ ଭୁବନେଶ୍ଵରରେ ୧୨.୪ ଡିଗ୍ରୀ ହୋଇଛି।

Comment