ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କୁହାଯାଏ ଯଦି କୌଣସି ରାଜନୈତିକ ଦଳ ଅଧିକ ଦିନ ଧରି କ୍ଷମତାରେ ରୁହେ ତାହାଲେ ସେହି ଦଳ ବିରୋଧରେ ଏକ ବିରୋଧୀ ହାୱା ବହିଥାଏ। ସାଧାରଣ ଜନତା ପରିବର୍ତ୍ତନ ଚାହିଁଥାନ୍ତି। କିନ୍ତୁ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ୨୨ ବର୍ଷ ଧରି ବିଜୁ ଜନତା ଦଳ ରାଜ୍ୟର ଶାସନ ଡୋର ଧରିଥିଲେ ମଧ୍ୟ ଏହି ଦଳ ବିରୋଧରେ ଏଯାଏଁ ବିରୋଧାଭାସ ସୃଷ୍ଟି ହୋଇ ନାହିଁ। ଫଳରେ ବିଜେଡି ଏବଂ ଏହାର ସଭାପତି ନବୀନ ପଟ୍ଟନାୟକ ଜନସାଧାରଣଙ୍କ ପାଖରେ ଲୋକପ୍ରିୟ ରହିଛନ୍ତି। ଏହାର ପ୍ରମାଣ ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରୁ ଜଣାପଡ଼ିଛି। ୮୫୨ ଜିଲ୍ଲା ପରିଷଦ ଆସନରୁ ବିଜେଡି ଏକାକୀ ୭୬୬ ଆସନରେ ବିଜୟୀ ହେବା ରାଜନୀତି ପଣ୍ଡିତମାନଙ୍କୁ ବିସ୍ମିତ କରିଛି।

ସବୁଠୁ ବଡ଼ କଥା ହେଉଛି, ବିଜେଡିର ଆସନ ସଂଖ୍ୟା ଏଥର କମିବ ବୋଲି ଯେଉଁ ଆକଳନ କରାଯାଉଥିଲା ତାହା ଭୁଲ୍ ପ୍ରମାଣିତ ହୋଇଛି। ବିରୋଧୀ ବିଜେପି ଏବଂ କଂଗ୍ରେସକୁ କ୍ଷତି ସହିବାକୁ ପଡ଼ିଛି। ଦୀର୍ଘ ବର୍ଷ ଧରି ଏକତରଫା ବିଭିନ୍ନ ନିର୍ବାଚନ ବୈତରଣୀ ପାର୍ ହୋଇ ଆସୁଥିବା ବିଜେଡି ବିରୋଧରେ ବିରୋଧୀ ହାୱା ସୃଷ୍ଟି କରିବାରେ ବିରୋଧୀ ଦଳମାନେ କାହିଁକି ସମର୍ଥ ହୋଇପାରୁ ନାହାନ୍ତି ତାହା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ଗାଁରେ ନବୀନ ପଟ୍ଟନାୟକଙ୍କ ମ୍ୟାଜିକ୍ କାମ କରିଛି। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ବିଶ୍ୱାସ କରି ଭୋଟରମାନେ ସେମାନଙ୍କ ଭୋଟ  ଅଜାଡ଼ି ଦେଇଛନ୍ତି। ବିଜେଡିର ଭୋଟ୍ ବଢ଼ିଛି, ବିରୋଧୀ ପୂର୍ବ ନିର୍ବାଚନ ତୁଳନାରେ ୨୦ ଲକ୍ଷ ଭୋଟରଙ୍କ ଆସ୍ଥା ହରାଇଛନ୍ତି। ସାଧାରଣତଃ ଗୋଟିଏ ସରକାର ଅଧିକ ସମୟ ରହିଲେ ଏକ ଜନବିରୋଧୀ ଅନ୍ତଃସ୍ରୋତ ବହେ, ହେଲେ ଏ ସବୁ ଥିଓରି ନବୀନଙ୍କ ପାଖରେ ଭୁଲ୍ ପ୍ରମାଣିତ ହୋଇଛି। ତେବେ ଏସବୁ କେମିତି ହେଲା, କାହିଁକି ଦିନକୁ ଦିନ ବିଜେଡି ସପକ୍ଷରେ ଭୋଟ୍ ବଢ଼ିବାରେ ଲାଗିଛି ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି।

୨୦୧୯ରେ ସାଧାରଣ ନିର୍ବାଚନ ହୋଇଥିଲା। ବିଧାନସଭା ସାଙ୍ଗକୁ ଲୋକସଭା ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ବିଜେଡି ସରକାର ଗଠନ କରିଥିଲା ସତ, ହେଲେ ମୁଖ୍ୟ ବିରୋଧୀ ଦଳ ଆସନରେ ବିଜେପି ବସିଥିଲା। ବିଜେପି ୨୩ଟି ବିଧାନସଭା ଆସନ ସହ ୮ଟି ଲୋକସଭା ଆସନ ପାଇଥିଲା। ଏହି ଫଳାଫଳକୁ ନେଇ ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଥିଲା। କିନ୍ତୁ ବିଜେପିର ସେହି ୮ ସାଂସଦଙ୍କ ସଂସଦୀୟ କ୍ଷେତ୍ରରେ ସାଂଘାତିକ ପରାଜୟର ସମ୍ମୁଖୀନ ହୋଇଛି। ବିଜେପି ସାଂସଦମାନେ ଭୋଟରଙ୍କ ଆସ୍ଥା ଜିତିବାରେ ବିଫଳ ହୋଇଛନ୍ତି। ବିଜେଡି ସପକ୍ଷରେ ବିପୁଳ ଜନମତ ପଛରେ ନବୀନଙ୍କ ଦୃଢ଼ ନେତୃତ୍ୱ, ସ୍ୱଚ୍ଛ ଚେହେରା ଆଜି ବି ରହିଥିବା ସ୍ପଷ୍ଟ ପ୍ରମାଣ ମିଳିଛି।

ଗୋଟିଏ ପଟେ ବିଜେଡିର ଭୋଟ ହାର ବୃଦ୍ଧି ପାଇ ଚାଲିଥିବାବେଳେ ବିଜେପି ଏବଂ କଂଗ୍ରେସର ଭୋଟ ହାର କମିବା ବିରୋଧୀଙ୍କ ପାଇଁ ସତର୍କଘଣ୍ଟି ବଜାଇଛି। ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ରେସ୍‌ରେ ନଥିଲା। ଗୋଷ୍ଠୀ କନ୍ଦଳ ଏବଂ ନେତୃତ୍ୱ ସଙ୍କଟ ଯୋଗୁଁ ଏହି ଦଳ ଶାସକ ବିଜେଡିକୁ ଟକ୍କର ଦେଇ ପାରିବ ନାହିଁ ବୋଲି ଆଲୋଚନା ହେଉଥିଲା। କଂଗ୍ରେସରୁ ବହୁ ବରିଷ୍ଠ ନେତାଙ୍କ ଦଳ ପରିବର୍ତ୍ତନ ଏବଂ ତୃଣମୂଳ ସ୍ତରରେ ଦୁର୍ବଳ ସଙ୍ଗଠନ ଯୋଗୁଁ କଂଗ୍ରେସ ବିକଳ୍ପ ହୋଇପାରିବ ନାହିଁ ବୋଲି ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଥିଲା।

ଗତ ୫ ବର୍ଷ ହେଲା ଲୋକେ ବିଜେଡିର ବିକଳ୍ପ ଭାବେ ବିଜେପିକୁ ଦେଖି ଆସୁଥିଲେ। ବିଜେପି ହିଁ ବିଜେଡିକୁ ସିଧାସଳଖ ଟକ୍କର ଦେଇପାରିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଥିଲା। କିନ୍ତୁ ବିଜେପି ଉପରେ ମଧ୍ୟ ଗାଁ ଭୋଟର ଭରସା କରିପାରିଲେ ନାହିଁ। ତେଣୁ ଏହି ଦଳକୁ ୮୫୨ ଆସନରୁ ମାତ୍ର ୪୨ଟିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ୨୦୧୭ରେ ଯେଉଁ ବିଜେପି ୨୫୦ରୁ ଅଧିକ ଆସନ ପାଇବା ସହ ବିଭିନ୍ନ ଜିଲ୍ଲାରେ ପରିଷଦ ଗଠନ କରିଥିଲା ସେହି ଦଳ ୨୦୨୨ରେ କାହିଁକି ଫେଲ୍ ମାରିଲା ତାକୁ ନେଇ କାରଣ ଖୋଜା ଚାଲିଛି।

ବିଜେପି ପରାଜୟ ପାଇଁ ଅନେକ କାରଣ ରହିଥିବା କୁହାଯାଉଛି। ବଡ଼ କାରଣ ହେଉଛି, ଆଜି ପର୍ଯ୍ୟନ୍ତ ବିଜେପି ବୁଥ୍ ସ୍ତରରେ ସଙ୍ଗଠିତ ହୋଇପାରିଲା ନାହିଁ। ୨୦୧୨ ପଞ୍ଚାୟତ ନିର୍ବାଚନ ପରେ ତତ୍କାଳୀନ ରାଷ୍ଟ୍ରୀୟ ସଭାପତି ଅମିତ ଶାହ ମୋ ବୁଥ୍ ସବୁଠୁ ମଜଭୁତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ଓଡ଼ିଶାର ବିଭିନ୍ନ ସ୍ଥାନରୁ ସଭ୍ୟ ସଂଗ୍ରହ କରିଥିଲା। ହେଲେ ୨୦୧୯ ନିର୍ବାଚନ ପରେ ଏହି କାର୍ଯ୍ୟକ୍ରମ କୁଆଡ଼େ ବୋଲି ପ୍ରଶ୍ନ ଉଠିଛି। ବିଜେଡି ତୃଣମୂଳ ସ୍ତରକୁ ଜଗିଥିବାବେଳେ ବିଜେପି କେବଳ ରାଜଧାନୀ ଭୁବନେଶ୍ୱରରେ ସୀମିତ ରହି ସଭା ସମିତି କରୁଥିବା ଚର୍ଚ୍ଚା ହେଉଛି।

୨୦୦୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟରେ ବିଜେପି-ବିଜେଡିର ମେଣ୍ଟ ସରକାର ଚାଲିଥିଲା। ବିଜେପିର ଅନେକ ନେତା ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ। କିନ୍ତୁ ସେମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କ ସହ ଯୋଡ଼ି ହୋଇ ନରହିବାରୁ ମେଣ୍ଟ ଭାଙ୍ଗିବା ପରେ ସେମାନେ ପରାଜିତ ହୋଇ ଆସୁଛନ୍ତି। ଏହି ପରମ୍ପରା ଏବେ ଯାଏଁ ବଳବତ୍ତର ରହିଛି। ଗତ ୨୦୧୯ ନିର୍ବାଚନରେ ବିଜେପି ୨୩ଟି ବିଧାୟକ ଆସନ ପାଇଛି। ହେଲେ ଏହି ବିଧାୟକମାନେ ଲୋକଙ୍କ ସହ ଯୋଡ଼ି ହୋଇପାରୁ ନଥିବା କୁହାଯାଉଛି। ଫଳରେ ବିଜେପିକୁ କ୍ଷତି ସହିବାକୁ ପଡ଼ିଛି।

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଗତ ବର୍ଷକ ତଳୁ ରଣନୀତି ପ୍ରସ୍ତୁତ କରିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଏବଂ ନିର୍ବାଚନ ପୂର୍ବରୁ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ବଡ଼ ଗେମ୍‌ଚେଞ୍ଜର ବୋଲି କୁହାଯାଉଛି। ଏହି କାରଣ ପାଇଁ ବିଜେଡି ଭୋଟ ବ୍ୟାଙ୍କ ବଢ଼ିଥିବା ଚର୍ଚ୍ଚା ହେଉଛି। କିନ୍ତୁ କେନ୍ଦ୍ରର ମଧ୍ୟ ଅନେକ ଲୋକପ୍ରିୟ ଯୋଜନା ରହିଛି। ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଜାତୀୟ ରାଜନୀତିରେ ଭଲ ପ୍ରଭାବ ରହିଛି। ହେଲେ ଏହାକୁ ବିଜେପି ନେତା ଓ କର୍ମୀ ଅସ୍ତ୍ର କରି ଗାଁ ସ୍ତରକୁ ନେଇପାରିଲେ ନାହିଁ।

ଲୋକଙ୍କୁ ମୋଦୀ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସଚେତନ କରିବା ବଦଳରେ ବିଜେପି କେବଳ ବିଜେଡି ସରକାରର ଦୋଷ ଦୁର୍ବଳତାକୁ ପଦାକୁ ଆଣୁଥିଲା। ବିଜେପି ଭାବିଥିଲା ଯେ, ବିଜେଡିର ଦୋଷ ଦେଖାଇଲେ ଲୋକେ ବିଜେପି ମୁଣିରେ ଭୋଟ ଅଜାଡ଼ିଦେବେ। ହେଲେ ଏହା ବିଜେପି ପାଇଁ ବୁମେରାଂ ପାଲଟିଗଲା।

ଓଡ଼ିଶାରେ ୩ ଜଣ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ଏବଂ ଅଶ୍ୱିନୀ ବୈଷ୍ଣବ ମୋଦୀ ସରକାରରେ ମନ୍ତ୍ରୀ ଅଛନ୍ତି। ଏମାନେ ସମସ୍ତେ ଓଡ଼ିଶାର। ବିଶ୍ୱେଶ୍ୱର ନିଜ ଜିଲ୍ଲା ମୟୂରଭଞ୍ଜକୁ ଜଗିଥିଲେ। ହେଲେ ମୟୂରଭଞ୍ଜରେ ବିଜେଡି ବିଜୟ ବାନା ଉଡ଼ାଇଛି। ତେବେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ କାହିଁକି ପଞ୍ଚାୟତ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିଲେନି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେନ୍ଦ୍ରର ବିଜେପି ନେତାଙ୍କ ଫୋକସ୍‌ରେ ଓଡ଼ିଶା ନାହିଁ କି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

ସବୁଠୁ ବଡ଼ କଥା ହେଉଛି ତୃଣମୂଳ ସ୍ତରରେ ବିଜେପି-କଂଗ୍ରେସ ଅଘୋଷିତ ମେଣ୍ଟ। ବିଜେପି ଏବଂ କଂଗ୍ରେସର ଏକମାତ୍ର ଲକ୍ଷ୍ୟ ଥିଲା ବିଜେଡିର ପରାଜୟ। ଉପରେ ମୋଦୀ କଂଗ୍ରେସମୁକ୍ତ ଭାରତ କଥା କହୁଥିବାବେଳେ ରାହୁଲ ଗାନ୍ଧୀ ମୋଦୀଙ୍କ ବିପକ୍ଷରେ ଲଢ଼ୁଛନ୍ତି। ହେଲେ ତୃଣମୂଳ ସ୍ତରରେ ଏହି ଦୁଇ ଦଳ କୋଳାକୋଳି ହେବା ଘଟଣାକୁ ସାଧାରଣ କର୍ମୀ ଏବଂ ଭୋଟର ସହଜରେ ଗ୍ରହଣ କରିପାରିଲେନି। ଫଳରେ ବିଜେଡି ବିଶ୍ୱାସଭାଜନ ହୋଇପାରିଲା ବୋଲି ରାଜନୀତି ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି।

ଭୋଟ ହାର ବଢ଼ାଇଲା ଲୋକପ୍ରିୟ ଯୋଜନା

ବିଜେଡି ସରକାରର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅତି କମ୍‌ରେ କୌଣସି ନା କୌଣସି ଯୋଜନାର ସୁଫଳ ମିଳୁଛି। ସବୁଠାରୁ ଅଧିକ ପ୍ରଭାବିତ କରିଛି କାଳିଆ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସବୁଠାରୁ ଅଧିକ ପ୍ରଭାବୀ ହୋଇଛି। କରୋନା ସମୟରେ ଲୋକମାନେ ଯେତେବେଳେ ରୋଜଗାର ହରାଇଛନ୍ତି, ସେତେବେଳେ ସରକାରଙ୍କ ସହାୟତା ପରିବାରକୁ ସମ୍ଭାଳିବା ପାଇଁ ସହଯୋଗ କରିଛି। ଗାଁକୁ ଯୋଗାଯୋଗ ବଢ଼ିଛି। ଖାଦ୍ୟ ସୁରକ୍ଷା ଅଧିକାର ସୁରକ୍ଷିତ ହୋଇଛି। ଲୋକଙ୍କ ସନ୍ତୁଷ୍ଟି ଭୋଟରେ ପରିଣତ ହୋଇପାରିଛି।

ତୃଣମୂଳ ସ୍ତରରେ କୌଣସି ସମସ୍ୟା ହେଲେ ସରକାରଙ୍କ ପାଖରେ ପହଞ୍ଚିପାରୁଛି। ଲୋକେ ସେମାନଙ୍କ ଅସୁବିଧାର ସମାଧାନ ପାଇଁ ରାସ୍ତା ପାଉଛନ୍ତି। ସବୁଠାରୁ ବଡ଼ କଥା ହେଲା ‘୫-ଟି’ ଯୋଜନାରେ ବିଭିନ୍ନ ସରକାରୀ ବିଭାଗ ସାମିଲ ହେବା ପରେ ଅଭିଯୋଗ ପଞ୍ଜୀକରଣ ଓ ସମାଧାନର ହାର ବଢ଼ିବାରେ ଲାଗିଛି। କୌଣସି ଅଭିଯୋଗ ସରକାରଙ୍କ ପାଖରେ ପହଞ୍ଚିବା ପରେ ସରକାରୀ କଳ ତାକୁ ସମାଧାନ କରିବାରେ ଚେଷ୍ଟା କରୁଛି ବୋଲି ଭୋଟରଙ୍କ ମତ।

nalco mahila samiti-2

ରାଜ୍ୟରେ ମହିଳା ଭୋଟର ବିଜେଡି ବିଜୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମହିଳାମାନଙ୍କୁ ସରକାରୀ ଯୋଜନାରେ ଯୋଡ଼ିବାର ଏକ ବଡ଼ ମାଧ୍ୟମ ସାଜିଛି ମିଶନ ଶକ୍ତି। ଏହି ଯୋଜନାରେ ମହିଳାମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଛି। ମହିଳାମାନେ ସ୍ୱାବଲମ୍ବୀ ହୋଇଛନ୍ତି। ଘର ଚଳାଇବାରେ ମହିଳାମାନଙ୍କ ଆର୍ଥିକ ଯୋଗଦାନ ବୃଦ୍ଧି ପାଇବାରେ ଲାଗିଛି। ଘରର ପୁରୁଷ ସଦସ୍ୟମାନଙ୍କ ଦ୍ୱାରା ପ୍ରଭାବିତ ନ ହୋଇ ମହିଳାମାନେ ସ୍ୱାଧୀନ ଭାବେ ସେମାନଙ୍କ ପସନ୍ଦର ଦଳ ଓ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ସ୍ୱାଭାବିକ ଭାବେ ମହିଳାଙ୍କ ଭୋଟ୍ ବିଜେଡିକୁ ଯାଇଛି।

୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଝଟକା ଲାଗିଥିଲା। ବିଜେଡି ଏକ ନମ୍ବର ହୋଇଥିଲେ ମଧ୍ୟ ବିଜେପି ଅପ୍ରତ୍ୟାଶିତ ଭାବେ ୩୦ ଜିଲ୍ଲା ପରିଷଦ ଆସନରୁ ୨୯୪ ଆସନ ଅକ୍ତିଆର କରିନେଇଥିଲା। ୮ଟି ଜିଲ୍ଲାରେ ଜିଲ୍ଲାପରିଷଦ ଗଠନ କରିଥିଲା ବିଜେପି। କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା। ପଞ୍ଚାୟତ ନିର୍ବାଚନର ସଫଳତାକୁ ଆଧାର କରି ୨୦୧୯ ବିଧାନସଭା ନିର୍ବାଚନରେ ୧୨୦ ଆସନ ଜିତିବ ବୋଲି ଦୃଢ଼ ଦାବି କରିଥିଲା। ହେଲେ ବିଜେଡି ଝଟକାରୁ ଶିକ୍ଷା ପାଇ ନିଜର ସ୍ଥିତି ସଜାଡ଼ିବାରେ ଲାଗିଥିଲା।

ବିଜେପି ପଞ୍ଚାୟତ ନିର୍ବାଚନର ସଫଳତାକୁ ବିଧାନସଭା ନିର୍ବାଚନ ବେଳେ ଦୋହରାଇ ପାରି ନ ଥିଲା। କିନ୍ତୁ ତୃଣମୂଳସ୍ତରରେ ନିର୍ବାଚନ ପରିଳନା ପାଇଁ ୧୧୨ ଆସନ ଜିତି ବିଜେଡି ସରକାର ଗଢ଼ିଥିଲା। ଗୋଟିଏ ପଟେ ବିଜେପି ନିଜର ସ୍ଥିତିକୁ ନେଇ ବେଶୀ ଉତ୍ସାହିତ ହୋଇଥିବାବେଳେ ବିଜେଡି କିନ୍ତୁ ସାଂଗଠନିକ ପରିବର୍ତ୍ତନ କରି ଦାୟିତ୍ୱର ବିକେନ୍ଦ୍ରୀକରଣ କରିଥିଲା। କେଉଁ ଜିଲ୍ଲାରେ ଦୁର୍ବଳତା ରହିଛି ସେଠାରେ ସଂଗଠନ ସଜାଡ଼ିବାରେ ଲାଗିଥିଲା ବିଜେଡି। ଏହା ବିଜେଡିକୁ ସଫଳତା ଦେଇଥିବା ବେଳେ ବିଜେଡିର ରଣନୀତି ଆଗରେ ବିଜେପି ଫେଲ୍ ମାରିଥିଲା।

Comment