ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୁରାତନ ରାଜଧାନୀ ଏବଂ ଭାଇଚାରାର ସହର କଟକରେ ନିର୍ବାଚନ ପାଣିପାଗ ସରଗରମ ହୋଇଛି। ବିଶେଷ କରି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଦେବା ପରେ ଗଳିକନ୍ଦିରେ ରାଜନୀତି ଉଷ୍ମତା ବଢ଼ିଛି। ଏଥର କଟକ ମେୟର ପଦବୀ କିଏ ହାତେଇବ ତାହା ହିଁ ଚର୍ଚ୍ଚାର ବିଷୟ ପାଲଟିଛି।

କଟକରେ ଏଥର ବିଜେଡି ସୁବାସ ସିଂହଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଅଭିନେତାରୁ ରାଜନେତା ପାଲଟିଥିବା ଶ୍ରୀତମ ଦାସଙ୍କୁ ଏବଂ କଂଗ୍ରେସରୁ ମହିଳା ନେତ୍ରୀ ଗିରିବାଳା ବେହେରା ପ୍ରାର୍ଥୀ ହୋଇଛନ୍ତି। ସେହିପରି ଏସୟୁସିଆଇ (ସି)ରୁ ବବି ବଳବନ୍ତରାୟ, ବସ୍ତି ନେତା ବୃନ୍ଦାବନ ଦାସ ଆଜାଦଙ୍କ ସହିତ ୨୦ରୁ ଅଧିକ ସ୍ୱାଧୀନ ବିଧାୟକ ଅଛନ୍ତି। ତେବେ ଅସଲ ଲଢ଼େଇ ସୁବାସ, ଶ୍ରୀତମ ଏବଂ ଗିରିବାଳାଙ୍କ ଭିତରେ ହେଉଥିବାରୁ କିଏ ବାଜି ମାରିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ବାଜି ଜିତିବେ କି ସୁବାସ?

ସୁବାସ ସିଂହ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ସୁବାସ ସିଂହ କଟକର ମାଟି ପାଣି ପବନ ସହ ବେଶ୍ ପରିଚିତ। କେନ୍ଦ୍ରାପଡ଼ା ତାଙ୍କ ଜନ୍ମଭୂମି, କିନ୍ତୁ କର୍ମଭୂମି ହେଉଛି କଟକ। ଯେଉଁ ଭରସାରେ ସୁବାସଙ୍କୁ ଦଳ ପ୍ରାର୍ଥୀ କରିଛି ତାହା ପୂରଣ ହୋଇପାରିବ କି ବୋଲି ପ୍ରଶ୍ନ ଉଠୁଛି।

ସୁବାସ ବିଜେଡିର ମୂଳ ନେତା ନୁହନ୍ତି। ସେ ୩୦ ବର୍ଷ ହେଲା ସିପିଆଇ(ଏମ)ରେ ରହିଥିଲେ। କଥା କଥାକେ ରାଜରାସ୍ତାକୁ ଓହ୍ଲାଇ ବିଜେଡି ସରକାର ଉପରେ ବର୍ଷୁଥିଲେ। କିନ୍ତୁ ୨୦୧୪ ନିର୍ବାଚନ ପୂର୍ବରୁ ସୁବାସ ସିପିଆଇ(ଏମ୍) ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ତାଙ୍କୁ ପ୍ରଥମେ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ କରାଯାଇଥିଲା। ଏହାପରେ ସେ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ। ଏବେ ତାଙ୍କୁ ପୁଣି କଟକରେ ମେୟର ପ୍ରାର୍ଥୀ କରିଛି ବିଜେଡି।

କଟକର ମେୟର ଲଢ଼ିବା ପାଇଁ ବିଜେଡିର ବହୁ ବରିଷ୍ଠ ନେତାମାନେ ରହିଥିଲେ ମଧ୍ୟ ସୁବାସଙ୍କୁ ଦଳ ରାଜ୍ୟସଭାରୁ ଆଣି କଟକରେ କାହିଁକି ଟିକେଟ ଦେଲା ତାକୁ ନେଇ କାରଣ ଖୋଜା ଚାଲିଛି। କୁହାଯାଉଛି ସୁବାସ ବସ୍ତି ବାସିନ୍ଦାଙ୍କ ନେତା ଥିଲେ। ତେଣୁ ବସ୍ତି ଭୋଟ୍ ହାତେଇବା ତାଙ୍କ ପାଇଁ ସହଜ ହେବ ଭାବି ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି। ହେଲେ ତାଙ୍କ ପାଇଁ ଏହା ସହଜ ହୋଇନପାରେ ବୋଲି କୁହାଯାଉଛି। ବସ୍ତି ନେତା ବୃନ୍ଦାବନ ଦାସ ଆଜାଦ୍ ମେୟର ପଦବୀ ପାଇଁ ପ୍ରାର୍ଥୀ ହୋଇଥିବାରୁ ସୁବାସଙ୍କୁ ଅଡ଼ୁଆ ହୋଇପାରେ।

ବୃନ୍ଦାବନ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ବସ୍ତିରେ ରହି ବସ୍ତି ବାସିନ୍ଦାଙ୍କ ପାଇଁ ସଂଗ୍ରାମ କରି ଆସୁଛନ୍ତି। ତେଣୁ ବସ୍ତି ଭୋଟରୁ ଅଧିକାଂଶ ଭାଗ ତାଙ୍କ ସପକ୍ଷରେ ଯିବାର ସମ୍ଭାବନା ଅଧିକ ରହିଛି ବୋଲି ଆଲୋଚନା ଚାଲିଛି। ସେହିପରି ବାମବନ୍ଥୀ ସଂଗଠନ ସହ କିଛି ଛାତ୍ର ସଂଗଠନ ସମର୍ଥନରେ ବବି ବଳବନ୍ତରାୟ ମଧ୍ୟ କଟକର ମେୟର ପ୍ରାର୍ଥୀ ହୋଇଛନ୍ତି। ଦୀର୍ଘ ୧୫ ବର୍ଷ ହେଲା ସରକାରଙ୍କ ବିଭିନ୍ନ ଗରିବ ବିରୋଧୀ ପଦକ୍ଷେପକୁ ଦୃଢ଼ତାର ସହ ପ୍ରତିବାଦ କରି ଆସୁଛନ୍ତି ବବି। ତେଣୁ ତାଙ୍କର ବି କିଛିମାତ୍ରାରେ ନିଜସ୍ୱ ଭୋଟ୍ ରହିଛି। ଏହା ବିଜେଡି ପ୍ରାର୍ଥୀ ସୁବାସ ସିଂହଙ୍କୁ ଘାଟାରେ ପକାଇପାରେ ବୋଲି ଆଲୋଚନା ହେଉଛି।

ଲୋକଙ୍କ ଭରସା ଜିତିବେ ଗିରିବାଳା!

ଏଥର କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଗିରିବାଳା ବେହେରା। ରାଜନୀତି ମଇଦାନରେ ସେ ନୂଆ ଚେହେରା ନୁହଁନ୍ତି। କଟକ ରାଜନୀତି ସହ ସେ ଭଲଭାବେ ଜଡ଼ିତ। ସେ ପୂର୍ବତନ କର୍ପୋରେଟର ମଧ୍ୟ ଥିଲେ। କଟକରେ ତାଙ୍କର ନିଜର ଭୋଟ୍ ବ୍ୟାଙ୍କ୍ ଅଛି, ଯାହା ଦଳ ପାଇଁ ସହାୟକ ହୋଇପାରେ। ତେଣୁ ଏଥର ସେ ମେୟର ପ୍ରାର୍ଥୀ ହୋଇଥିବାରୁ ଲୋକଙ୍କ ଭରସା ଜିତୁଛନ୍ତି କି ନାହିଁ ତାହା ଦେଖିବାର କଥା।  ସବୁଠୁ ବଡ଼ କଥା ହେଉଛି, ୨୦୧୯ ସାଧାରଣ ନିର୍ବାଚନରେ ବାରବାଟୀ-କଟକ ଆସନରେ ବିଜେଡି ପରାଜିତ ହୋଇଥିଲା। ଏହି ବିଧାନସଭା ଆସନଟି ଏବେ ରହିଛି କଂଗ୍ରେସ ବିଧାୟକ ମହମଦ ମୋକିମଙ୍କ ଅଧୀନରେ। ସହରର ମୋଟ୍ ୫୯ଟି ଓ୍ୱାର୍ଡରୁ ୩୧ଟି ଏହା ଅଧୀନରେ ଯାଉଛି। ସେହିପରି ୮ଟିରୁ ଅଧିକ ମୁସଲିମ୍ ଓ୍ୱାର୍ଡ ରହିଛି, ଯାହାର ଅଧିକାଂଶ ଭୋଟ୍ କଂଗ୍ରେସ ସପକ୍ଷରେ ଯିବା ଏକ ପ୍ରକାର ଥୟ ବୋଲି କୁହାଯାଉଛି।

ଗିରିବାଳାଙ୍କ ପ୍ରାର୍ଥୀତ୍ୱକୁ ଉଭୟ ମୋକିମ ଏବଂ ସୁରେଶ ମହାପାତ୍ର ସମର୍ଥନ କରୁଛନ୍ତି। ବିଭିନ୍ନ ଓ୍ୱାର୍ଡରେ କଂଗ୍ରେସ ନିର୍ବାଚନ ସଭା କରି କର୍ମୀଙ୍କ ମନରେ ଉତ୍ସାହ ଭରୁଛି। ତେଣୁ ଗିରିବାଳା ବିଜେଡି ଉପରେ ଭାରି ପଡ଼ି ପାରନ୍ତି ବୋଲି ଆଲୋଚନା ହେଉଛି।ଶ୍ରୀତମଙ୍କ ଉପରେ ନଜର

ଅଭିନେତାରୁ ରାଜନେତା ସାଜିଥିବା ଶ୍ରୀତମ୍ ଦାସ ମଧ୍ୟ ଫୁଲ୍ କଟକିଆ। କେବଳ ଅଭିନୟ ନୁହେଁ, ନିଜର ସମାଜ ସେବାକୁ ନେଇ ମଧ୍ୟ ଶ୍ରୀତମ୍ ଗଣମାଧ୍ୟମର ଶିରୋନାମା ପାଲଟିଥିଲେ। ଲକ୍ ଡାଉନ୍ ସମୟରେ ଶ୍ରୀତମଙ୍କ ଚା’ ଖଟିରେ ଚର୍ଚ୍ଚା କଟିକିଆଙ୍କ ମନ ଜିଣିଥିଲା। ଲକ୍ ଡାଉନରେ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବା ଠାରୁ ନେଇ ଆର୍ଥିକ ଅନଟନରେ ଥିବା କଳାକାରମାନଙ୍କୁ ଶ୍ରୀତମ୍ ସହାୟତାର ହାତ ବଢ଼ାଇଥିଲେ। ଶ୍ରୀତମଙ୍କୁ ସମସ୍ତ ଦଳୀୟ କର୍ମୀଙ୍କ ସହଯୋଗ ମିଳୁଥିବା ବେଳେ ସେ ନିଜସ୍ଵ ଭୋଟବ୍ୟାଙ୍କ ମଧ୍ୟ ସୃଷ୍ଟି କରି ପାରିଛନ୍ତି।୨୦୧୯ ନିର୍ବାଚନରେ କଟକରେ ବିଜେପି ଭଲ ପ୍ରଦର୍ଶନ କରି ନଥିଲା। ତେବେ ବିଜେଡି ସହିତ ଲଢ଼େଇ କରିଥିଲା। ତେଣୁ ଏଥର ମେୟର ନିର୍ବାଚନରେ ବିଜେପି ବିଜେଡି ଓ କଂଗ୍ରେସକୁ ମାତ୍ ଦେଇ ଭଲ ପ୍ରଦର୍ଶନ କରିବ ବୋଲି ରଣନୀତି ପ୍ରସ୍ତୁତ ହୋଇଛି। ରାଜନୀତିରେ ତୃଣମୂଳ ସ୍ତରରେ ଆଦୌ ସଙ୍ଗଠନ ନଥିବା ଶ୍ରୀତମଙ୍କୁ କଟକ ଭୋଟର କେତେ ଭରସା କରୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

କଟକରେ ଏବେ ପ୍ରଚାର ଜୋରଦାର ଚାଲିଛି। କଟକ ଭଳି ପୁରୁଣା ସହରରେ ରାଜନୀତି ଟିକେ ଅଲଗା ପ୍ରକାର। ଏଠି ଦଳୀୟ ସଂଗଠନ ବି ଅଛି, ବ୍ୟକ୍ତିଗତ ସମ୍ପର୍କର ଗୁରୁତ୍ୱ ବି ଅଛି। ପ୍ରସଂଗକୁ ବି ଅଣଦେଖା କରନ୍ତି ନାହିଁ ଭାଇଚାରା ଉପରେ ବିଶ୍ୱାସ କରୁଥିବା ଏହି ସହରର ବାସିନ୍ଦା। ତେଣୁ ସ୍ୱାଭାବିକ ଭାବେ ଏଠାରେ ଭୋଟ୍ ବି ସେମିତି ପଡ଼ିବ।

କଟକ ମହାନଗର ନିଗମ ଗଠନ ହେବା ପରେ ଏହାର ପ୍ରଥମ ମେୟର ହୋଇଥିଲେ ନିବେଦିତା ପ୍ରଧାନ ସେ ବିଜେପିର ପ୍ରାର୍ଥୀ ଥିଲେ। କିନ୍ତୁ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ବିଜେଡି କଟକ ମେୟର ପଦବୀକୁ ହାତେଇଥିଲା। ସୌମେନ୍ଦ୍ର ଘୋଷ ଏବଂ ପରେ ଅନିତା ବେହେରା ମେୟର ରହିଥିଲେ। ହେଲେ ଏହି ଦୁଇ ଜଣଙ୍କ କାର୍ଯ୍ୟକାଳ ସମୟରେ କଟକରେ ଦୁର୍ନୀତି ଚରମସୀମାରେ ପହଞ୍ଚିଥିବା ଅଭିଯୋଗ ହେଉଛି। ତେଣୁ କଟକର ସଚେତନ ଭୋଟର ଏଥର କାହା ସପକ୍ଷରେ ନିଜର ମତ ସାବ୍ୟସ୍ତ କରିବେ ତାହା ଚର୍ଚ୍ଚାର ବିଷୟ ପାଲଟିଛି।

Tag: #Election #MunicipalElection2022 #CMCElection #MayorElection #BJD #Congress #BJP

Comment