ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ଲଟିଂ ସ୍କିମ ହେଉ ବା ହାଉସିଂ କିମ୍ଵା କମର୍ସିଆଲ ପ୍ରକଳ୍ପ, ପ୍ରତ୍ୟେକ ରିୟଲ ଇଷ୍ଟେଟ ପ୍ରୋଜେକ୍ଟ ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି (ଓରେରା) ନିକଟରେ ପଞ୍ଜୀକରଣ କରାଯିବା ଜରୁରୀ। ଏହି ନିୟମରେ ଖିଲାପ ହେଉଥିଲେ ଦଣ୍ଡିତ ହେବାର ଆଇନ ରହିଛି। ନିକଟରେ ଓରେରା ପକ୍ଷରୁ ୩ଟି ଅଣପଞ୍ଜୀକୃତ ପ୍ରକଳ୍ପର ବିଲ୍‌ଡରମାନଙ୍କୁ ଲକ୍ଷାଧିକ ଟଙ୍କାର ଜରିମାନା କରାଯାଇଛି।

ଭୁବନେଶ୍ଵର ଅନ୍ତର୍ଗତ ପଟିଆଠାରେ ବିଶ୍ଵଜ୍ୟୋତି ହାଉସିଂ ଡେଭେଲପମେଣ୍ଟ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର ଲିମିଟେଡ ଦ୍ଵାରା ନିର୍ମାଣାଧୀନ ‘ନନ୍ଦନଭିଲ୍ଲା’ପ୍ରକଳ୍ପ ପାଇଁ ୨୦ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ନିର୍ମାଣାଧୀନ ମୁକ୍ତେଶ୍ଵର ରେସିଡେନ୍ସି ଏବଂ ମୁକ୍ତେଶ୍ଵର ଟାଓ୍ଵାର ଆନେକ୍ସ ନାମକ ଦୁଇଟି ପ୍ରକଳ୍ପ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଧାର୍ଯ୍ୟ କରାଯାଇଛି।୫୦୦ ବର୍ଗ ମିଟରରୁ ଅଧିକ ଜମି ଉପରେ ନିର୍ମିତ କିମ୍ବା ୮ଟି ୟୁନିଟଠାରୁ ଅଧିକ ନିର୍ମାଣ କ୍ଷେତ୍ରରେ ସଂପୃକ୍ତ ପ୍ରକଳ୍ପ ଓରେରା ଅଧୀନରେ ପଞ୍ଜୀକୃତ ହେବା ଜରୁରୀ। ନଚେତ ସଂପୃକ୍ତ ବିଲ୍‌ଡରଙ୍କୁ ଜରିମାନା ଏବଂ ଜେଲଦଣ୍ଡ କିମ୍ଵା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବା ନେଇ ରିୟଲ ଇଷ୍ଟେଟ୍ ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ ଆକ୍ଟ ୨୦୧୬ (ରେରା ଆକ୍ଟ – ୨୦୧୬)ର ସେକ୍ସନ ୫୯ରେ ଉଲ୍ଲେଖ କରାଯାଇଛି।

ତେଣୁ ବାସଗୃହ କିମ୍ଵା କୌଣସି କମର୍ସିଆଲ ପ୍ରକଳ୍ପ କ୍ରୟ କରୁଥିବା ଗ୍ରାହକମାନେ, ସଂପୃକ୍ତ ପ୍ରକଳ୍ପ ଓରେରା ଅଧୀନରେ ପଞ୍ଜୀକୃତ ହୋଇଛି କି ନାହିଁ ତାହା ଯାଞ୍ଚ କରିବା ଜରୁରୀ।ଓରେରାର ଭୂମିକା କ’ଣ?

ଭାରତରେ ରିୟଲ ଇଷ୍ଟେଟ କ୍ଷେତ୍ରକୁ ନିୟନ୍ତ୍ରିତ କରିବା ସହ ଗ୍ରାହକମାନଙ୍କ ସ୍ଵାର୍ଥକୁ ସୁରକ୍ଷିତ କରିବା ଲାଗି ରିୟଲ ଇଷ୍ଟେଟ୍ ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ ଆକ୍ଟ ୨୦୧୬ (ରେରା ଆକ୍ଟ – ୨୦୧୬) ପ୍ରଣୟନ କରାଯାଇଛି। ୧ ମେ’ ୨୦୧୭ରୁ ଦେଶରେ ଏହି ଆଇନ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହେଲା। ଏହାର ଆଧାରରେ ବିଭିନ୍ନ ପ୍ରଦେଶରେ ରେରା କର୍ତ୍ତୃପକ୍ଷ ଗଠନ କରାଯାଇଛି। ଓଡ଼ିଶାରେ ୭ ଅକ୍ଟୋବର ୨୦୧୭ରୁ ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା) କାର୍ଯ୍ୟକ୍ଷମ ହୋଇଆସୁଛି।

ଅବସରପ୍ରାପ୍ତ ଆଇଏଫଏସ ଅଫିସର ସିଦ୍ଧାନ୍ତ ଦାସ ବର୍ତ୍ତମାନ ଓରେରାର ଅଧ୍ୟକ୍ଷ ଭାବେ କାମ କରୁଛନ୍ତି। ସେହିପରି ଅବସରପ୍ରାପ୍ତ ଆଇଏଏସ ଅଫିସର ପ୍ରଦୀପ ବିଶ୍ଵାଳ ଏହାର ପ୍ରଶାସନିକ ସଦସ୍ୟ ଥିବା ବେଳେ ଅବସରପ୍ରାପ୍ତ ବିଚାରପତି ରାମନାଥ ପଣ୍ଡା ଏହାର ନ୍ୟାୟିକ ସଦସ୍ୟ ଭାବେ ବିଭିନ୍ନ ମାମଲାର ପରିଚାଳନା କରୁଛନ୍ତି। ଭୁବନେଶ୍ଵର ସତ୍ୟନଗରସ୍ଥିତ ତୋଷାଳୀ ଭବନରେ ଓରେରାର କାର୍ଯ୍ୟାଳୟ ରହିଛି।

Tag : #ORERA #RERA #RealEstateProject #RealEstateReguletoryAuthority #ଓରେରା #ରେରା

Comment