ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଆପାର୍ଟମେଣ୍ଟ ବିଲ୍‌-୨୦୨୩ ବିଧାନସଭାରେ ଆଗତ ହୋଇଛି। ଏଥିରେ ଅସାଧୁ ବିଲ୍ଡରଙ୍କ ପାଇଁ ନିୟମ କଡ଼ାକଡ଼ି କରାଯାଇଛି।

ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ୨୦୨୩ ବିଲ୍‌ ବିଧାନସଭାରେ ଆଗତ ହୋଇଛି। ଆଗକୁ ଜମିଜମା ଓ ଘରବାଡ଼ି କିଣାବିକା କ୍ଷେତ୍ରରେ ଏହି ନୂଆ ଅଧିନିୟମ ଲାଗୁ ହେବ। ଫଳରେ ବିଲ୍ଡର ଏବଂ ଗ୍ରାହକମାନଙ୍କ ଭିତରେ ଜମି ଓ ଘର କିଣାବିକାକୁ ନେଇ ଯେଉଁ ବିବାଦ ଦେଖାଦେଉଥିଲା ତାହା ଦୂର ହୋଇପାରିବ ବୋଲି ଆଶା କରାଯାଉଛି।

ରିୟଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ରେରା) ଏବଂ ୧୯୮୨ ଆପାର୍ଟମେଣ୍ଟ ମାଲିକାନା ଆଇନ ଭିତରେ ଦ୍ୱନ୍ଦ୍ୱ ରହିଥିଲା। ଏବେ ଏହି ନୂଆ ନିୟମ ଫ୍ରି ହୋଲ୍ଡ ଏବଂ ଲିଜ୍‌ ହୋଲ୍ଡଙ୍କ ପାଇଁ ଲାଗୁ ହୋଇପାରିବ।

ଏହି ନୂଆ ଆଇନରେ ବିଲ୍ଡର ଅକ୍ୟୁପାନ୍ସି ସାର୍ଟିଫିକେଟ ଦେବାର ୩୦ ଦିନ ଭିତରେ ଘୋଷଣାପତ୍ର ବା ଡିକ୍ଲାରେସନ ଦେବାର ନିୟମ ରହିଛି। ଏହାର ଉଲ୍ଲଂଘନ କଲେ ପ୍ରମୋଟର କିମ୍ବା ବିଲ୍ଡରଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।

ଅକ୍ୟୁପାନ୍ସି ସାର୍ଟିଫିକେଟ

କୌଣସି ରିୟଲ ଇଷ୍ଟେଟ ପ୍ରୋଜେକ୍ଟର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ବିଲ୍‌ଡର ବା ପ୍ରମୋଟରଙ୍କୁ ନିର୍ଦ୍ଧାରିତ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ (ଯାହାଙ୍କଠାରୁ ନିର୍ମାଣ ଲାଗି ପ୍ରକଳ୍ପର ପ୍ଲାନ ଅନୁମୋଦନ କରାଯାଇଥାଏ) ଅକ୍ୟୁପାନ୍ସି ସାର୍ଟିଫିକେଟ ଆଣିବାକୁ ପଡ଼ିଥାଏ। ଏହାର ଅର୍ଥ ହେଉଛି ସଂପୃକ୍ତ ଉନ୍ନୟନ କର୍ତ୍ତୃପକ୍ଷ ସେହି ନିର୍ମାଣ ପ୍ରକଳ୍ପକୁ ବାସ ଉପଯୋଗୀ ବା ବ୍ୟବହାର ଉପଯୋଗୀ ଘୋଷଣା କରିଥାନ୍ତି।

ପ୍ରତ୍ୟେକ ପ୍ରକଳ୍ପ ଅନୁମୋଦନ ବେଳେ ବିଲ୍‌ଡରଙ୍କୁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ନିର୍ମାଣ କାର୍ଯ୍ୟ ଲାଗି ଏକ ବିସ୍ତୃତ ପ୍ଲାନ ଜମା କରିବାକୁ ପଡ଼ିଥାଏ। ସରକାରୀ ନିୟମ ଆଧାରରେ ଏହି ପ୍ଲାନକୁ ଉନ୍ନୟନ କର୍ତ୍ତୃପକ୍ଷ ଅନୁମୋଦନ କରିଥାନ୍ତି। ଏହି ଆବେଦନ ବେଳେ ପ୍ରକଳ୍ପ ଅଧୀନରେ ପରିକଳ୍ପିତ ପ୍ରତ୍ୟେକ କୋଠାବାଡ଼ିର ବିଲ୍‌ଡିଂ ପ୍ଲାନ ସହିତ ରାସ୍ତାଘାଟ, ବିଜୁଳି ସଂଯୋଗ ଯୋଜନା, ଅଗ୍ନି ନିର୍ବାପକ ଯୋଜନା ସହ କମ୍ୟୁନିଟି ଏରିଆ (କମ୍ୟୁନିଟି ହଲ୍, ଅଫିସ, ଜିମ୍, ସ୍ଵିମିଂ ପୁଲ୍, ପାର୍କିଂ ଇତ୍ୟାଦି) ଏବଂ ଓପନ ସ୍ପେସ୍ (ପାର୍କ, ଲନ୍ ଇତ୍ୟାଦି) ଆଦି ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯାଇଥାଏ।

ସଂପୃକ୍ତ ଉନ୍ନୟନ କର୍ତ୍ତୃପକ୍ଷ ବିଲ୍‌ଡର ସଂସ୍ଥାକୁ କୌଣସି ପ୍ରକଳ୍ପ ପାଇଁ ଅକ୍ୟୁପାନ୍ସି ସାର୍ଟିଫିକେଟ ଦେବା ବେଳେ ଦେଖିଥାନ୍ତି ଯେ, ସଂପୃକ୍ତ ପ୍ରକଳ୍ପ ମୂଳ ଯୋଜନା ଅନୁଯାୟୀ ହୋଇଛି କି ନାହିଁ। ଅନୁମୋଦିତ ପ୍ଲାନରେ କୌଣସି ପ୍ରକାର ବ୍ୟତିକ୍ରମ ଥିଲେ ଉନ୍ନୟନ କର୍ତ୍ତୃପକ୍ଷ ତା’ର ସମୀକ୍ଷା କରିଥାନ୍ତି। ସେହିପରି ସାମଗ୍ରିକ ଭାବେ ପ୍ରକଳ୍ପଟି ସରକାରୀ ନିୟମ ଅନୁଯାୟୀ ହୋଇଥିବା ଦରକାର। ଏହିସବୁ ବିଷୟକୁ ଆଧାର କରି କୌଣସି ପ୍ରଜୋକ୍ଟକୁ ଅକ୍ୟୁପାନ୍ସି ସାର୍ଟିଫିକେଟ ଦିଆଯାଇ ତାକୁ ବାସ ଉପଯୋଗୀ ବା ବ୍ୟବହାର ଉପଯୋଗୀ ଘୋଷଣା କରାଯାଇଥାଏ।

 

ତେଣୁ ପ୍ରତ୍ୟେକ ରିୟଲ ଇଷ୍ଟେଟ ପ୍ରୋଜେକ୍ଟର କାର୍ଯ୍ୟ ସମାପ୍ତି କ୍ଷେତ୍ରରେ ସଂପୃକ୍ତ ବିଲ୍‌ଡର ଅକ୍ୟୁପାନ୍ସି ସାର୍ଟିଫିକେଟ ଆଣିବାକୁ ବାଧ୍ୟ। ସେହିପରି ପ୍ରକଳ୍ପର ପ୍ରତ୍ୟେକ କ୍ରେତାଙ୍କୁ ଏହି ସାର୍ଟିଫିକେଟ ପ୍ରଦାନ କରିବା ବିଲ୍‌ଡରଙ୍କର ଆଇନଗତ ଦାୟିତ୍ଵ।

ରେସିଡେନସିଲ ହେଉ ବା କମର୍ସିଆଲ, ପ୍ରତ୍ୟେକ କୋଠାବାଡ଼ି ବା ଘର ବ୍ୟବହାର ଉପଯୋଗୀ ଏବଂ ନିରାପଦ ଏହାର ଆଇନଗତ ପ୍ରମାଣ ହେଉଛି ଅକ୍ୟୁପାନ୍ସି ସାର୍ଟିଫିକେଟ। ତେଣୁ ଯେପରି ଆପଣ ଜମିର ପଟ୍ଟାକୁ ଅତି ଗୁରୁତ୍ଵପୂର୍ଣ୍ଣ ମନେକରି ସାଇତି ରଖିଥାନ୍ତି ଘର କିଣୁଥିବା ବ୍ୟକ୍ତି ଏହି ଅକ୍ୟୁପାନ୍ସି ସାର୍ଟିଫିକେଟ ସଂଗ୍ରହ କରିବା ଆବଶ୍ୟକ। କାରଣ ଏହି ସାର୍ଟିଫିକେଟ ବିନା ଘର ମାଲିକ ଭବିଷ୍ୟତରେ ଘରକୁ ଅନ୍ୟତ୍ର ବିକ୍ରି କରିପାରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ଅନେକ ସମୟରେ ବିଲ୍‌ଡରମାନେ ଅକ୍ୟୁପାନ୍ସି ସାର୍ଟିଫିକେଟ ଆଣିବାରେ ହେଳା କରିଥାନ୍ତି। କିନ୍ତୁ ନୂତନ ଆଇନ ଫଳରେ ଏବେ ସେମାନେ ଆଉ ଏହି ଦାୟିତ୍ଵରୁ ଖସିପାରିବେନି।

ଓରେରାର ଭୂମିକା କ’ଣ?

ଭାରତରେ ରିୟଲ ଇଷ୍ଟେଟ କ୍ଷେତ୍ରକୁ ନିୟନ୍ତ୍ରିତ କରିବା ସହ ଗ୍ରାହକମାନଙ୍କ ସ୍ଵାର୍ଥକୁ ସୁରକ୍ଷିତ କରିବା ଲାଗି ରିୟଲ ଇଷ୍ଟେଟ୍ ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ ଆକ୍ଟ ୨୦୧୬ (ରେରା ଆକ୍ଟ – ୨୦୧୬) ପ୍ରଣୟନ କରାଯାଇଛି। ୧ ମେ’ ୨୦୧୭ରୁ ଦେଶରେ ଏହି ଆଇନ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହେଲା। ଏହାର ଆଧାରରେ ବିଭିନ୍ନ ପ୍ରଦେଶରେ ରେରା କର୍ତ୍ତୃପକ୍ଷ ଗଠନ କରାଯାଇଛି। ଓଡ଼ିଶାରେ ୭ ଅକ୍ଟୋବର ୨୦୧୭ରୁ ଓଡ଼ିଶା ରିୟଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ଓରେରା) କାର୍ଯ୍ୟକ୍ଷମ ହୋଇ ଆସୁଛି।

ଅବସରପ୍ରାପ୍ତ ଆଇଏଫଏସ ଅଫିସର ସିଦ୍ଧାନ୍ତ ଦାସ ବର୍ତ୍ତମାନ ଓରେରାର ଅଧ୍ୟକ୍ଷ ଭାବେ କାମ କରୁଛନ୍ତି। ସେହିପରି ଅବସରପ୍ରାପ୍ତ ଆଇଏଏସ ଅଫିସର ପ୍ରଦୀପ ବିଶ୍ଵାଳ ଏହାରପ୍ରଶାସନିକ ସଦସ୍ୟ ଥିବା ବେଳେ ଅବସରପ୍ରାପ୍ତ ବିଚାରପତି ରାମନାଥ ପଣ୍ଡା ଏହାର ନ୍ୟାୟିକସଦସ୍ୟ ଭାବେ ବିଭିନ୍ନ ମାମଲାର ପରିଚାଳନା କରୁଛନ୍ତି। ଭୁବନେଶ୍ଵର ସତ୍ୟନଗରସ୍ଥିତ ତୋଷାଳୀ ଭବନରେ ଓରେରାର କାର୍ଯ୍ୟାଳୟ ରହିଛି।

Tags: #ORERA #RERA #RealEstateRegulatoryAuthority #Property #RealEstateOdisha #Housing #DevelopmentAuthority #CREDAI #REDA #ଓରେରା #ରିୟଲଇଷ୍ଟେଟ୍ #ରେରା

Comment