ଓଡିଶାଲାଇଭ୍ ବ୍ୟୁରୋ

ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ଓଡ଼ିଶା ରିଅଲ ଇଷ୍ଟେଟ୍ ଆପିଲାଟ୍ ଟ୍ରିବ୍ୟୁନାଲ(ଓଆର୍‌ଇଏଟି)ର ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହେବ। କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଓଆର୍‌ଇଏଟି ପକ୍ଷରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମାମଲାଗୁଡ଼ିକର ଶୁଣାଣି ହେବ। ଏଥିସହ ଇ-ମେଲ ମାଧ୍ୟମରେ ଆଗ୍ରହୀ ବ୍ୟକ୍ତିବିଶେଷଙ୍କ ଲାଗି ଆଦେଶଗୁଡ଼ିକୁ ଉପଲବ୍ଧ କରାଯିବ ବୋଲି ସୂଚନା ମିଳିଛି।

ରାଜ୍ୟ ସରକାର ରିଅଲ ଇଷ୍ଟେଟ୍(ରେଗୁଲେସନ ଏବଂ ବିକାଶ) ଆଇନ୍, ୨୦୦୬ ଅନୁଯାୟୀ ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି(ଓରେରା) ପ୍ରତିଷ୍ଠା କରିଥିଲେ। ଏକ ପ୍ରତିଷ୍ଠିତ ଅନୁଷ୍ଠାନରେ ପରିଣତ ହୋଇଥିବା ଓରେରାରେ ବର୍ତ୍ତମାନ ପ୍ରକଳ୍ପ ପଞ୍ଜୀକରଣ ଏବଂ ବିବାଦର ସମାଧାନ ପାଇଁ ଆବେଦନ ସଂଖ୍ୟା ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଓରେରା ଦ୍ଵାରା ଜାରି କରାଯାଉଥିବା ନିର୍ଦ୍ଦେଶ ବିରୁଦ୍ଧରେ ଅଭିଯୋଗ ମଧ୍ୟ ବୃଦ୍ଧି ପାଇବା ନେଇ ସମ୍ଭାବନା ଦେଖାଦେଇଛି।ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଅଭିବୃଦ୍ଧି ଏକ ସୁସ୍ଥ ଅର୍ଥନୀତିର ସୂଚକ ହୋଇଥିଲେ ମଧ୍ୟ ଏଥିରେ ଅନେକ ଚ୍ୟାଲେଞ୍ଜ ରହିଛି ଯାହାକି ବଜାରକୁ ଅତ୍ୟନ୍ତ ଅସୁରକ୍ଷିତ ଏବଂ ଅପ୍ରତ୍ୟାଶିତ କରିଥାଏ। ଆନ୍ତଃ-ନିର୍ଭରଶୀଳତା, ଆନୁଷ୍ଠାନିକ ବିଚାରଧାରା, ନୀତି ନିୟମର ଭିନ୍ନତା ଆଦି ଅନେକ ବିଷୟ ଏହି କ୍ଷେତ୍ରକୁ ପ୍ରଭାବିତ କରିଥାଏ। ତେବେ ରିଅଲ ଇଷ୍ଟେଟ୍ ଡେଭେଲପର୍ ଏବଂ ଘର କ୍ରେତାଙ୍କ ମଧ୍ୟରେ ବିଶ୍ଵାସ ନ ରହିଲେ ଏହି କ୍ଷେତ୍ରରେ ଅନେକ କ୍ଷତି ହୋଇଥାଏ।

ଚୁକ୍ତିନାମା କରିବା ସମୟରେ ଉଭୟ ପକ୍ଷଙ୍କ ଉଦ୍ଦେଶ୍ୟରେ ସ୍ଵଚ୍ଛତା ଏବଂ ସମ୍ପର୍କକୁ ବଜାୟ ରଖିବା ପାଇଁ କରାଯାଉଥିବା ପ୍ରୟାସ ଏହି କ୍ଷେତ୍ରରେ ସଫଳତା ପ୍ରଦାନ କରିଥାଏ। ଏହି କ୍ଷେତ୍ରରେ ଅତ୍ୟଧିକ ପୁଞ୍ଜି ନିବେଶ ଆବଶ୍ୟକ ହେଉଥିବାରୁ କୌଣସି ଠକେଇ କିମ୍ବା ପ୍ରତାରଣାକୁ ରୋକିବା ପାଇଁ ଏକ ଆନୁଷ୍ଠାନିକ ବ୍ୟବସ୍ଥା ରହିବା ନିହାତି ଜରୁରୀ। ନଚେତ୍ ଅନେକ ବ୍ୟକ୍ତି ତଥା ସଂସ୍ଥା ବିପର୍ଯ୍ୟୟର ସମ୍ମୁଖୀନ ହେବେ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ସୁବାଷ ଚନ୍ଦ୍ର ପରିଜା, ଇଶାନ କୁମାର ଦାଶ ଏବଂ ମଳୟ ଚାଟାର୍ଜୀଙ୍କୁ  ଓଆର୍‌ଇଏଟି ସଦସ୍ୟ ଭାବେ ସରକାର ନିଯୁକ୍ତ କରିଛନ୍ତି। ଜିଲ୍ଲା ଜଜ୍‌ଙ୍କର ଜଣେ ଅଧିକାରୀ ଅଖିଳ କୁମାର ପଶ୍ଚିମକବାଟଙ୍କୁ ଟ୍ରିବ୍ୟୁନାଲର ରେଜିଷ୍ଟ୍ରାର ଭାବେ ନିଯୁକ୍ତି ମିଳିଛି।BGUଇତିମଧ୍ୟରେ ଓଆର୍‌ଇଏଟିର ସ୍ଥାୟୀ କାର୍ଯ୍ୟାଳୟ ପାଇଁ ତୋଷାଳି ଭବନଠାରେ ସ୍ଥାନ ଦିଆଯାଇଛି। ଏଥିସହ ଓଆର୍‌ଇଏଟିର ଅସ୍ଥାୟୀ କାର୍ଯ୍ୟାଳୟ ପାଇଁ ସରକାର ଫର୍ଚ୍ୟୁନ୍ ଟାଓ୍ଵାରରେ ଆଉ ଏକ ଭଲ ସ୍ଥାନ ଯୋଗାଇ ଦେଇଛନ୍ତି। ଟ୍ରିବ୍ୟନାଲର ଆବଶ୍ୟକତା ମୁତାବକ ସାଜସରଞ୍ଜାମ ଏବଂ ୩୮ଟି ପଦବୀକୁ ମଧ୍ୟ ସରକାର ଅନୁମୋଦନ କରିସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ଅନେକ କର୍ମଚାରୀ ଟ୍ରିବ୍ୟୁନାଲରେ ଯୋଗ ଦେଇ ସାରିଛନ୍ତି। ଏଥିସହ କାର୍ଯ୍ୟ ଆରମ୍ଭ କରିବା ପାଇଁ ଟ୍ରିବ୍ୟୁନାଲ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମଧ୍ୟବର୍ତ୍ତୀକାଳୀନ ଟ୍ରିବ୍ୟୁନାଲ ଭାବେ ଘୋଷିତ ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲରେ ଏବଂ ଅନ୍ୟାନ୍ୟ ସ୍ଥାନରେ ଦାଖଲ ହୋଇଥିବା ସମସ୍ତ ମାମଲା ଓଆର୍‌ଇଏଟିକୁ ହସ୍ତାନ୍ତର କରାଯାଇଛି।

ନିୟମିତ ଟ୍ରିବ୍ୟୁନାଲ ଗଠନ କରିଥିବା ଅଳ୍ପ କିଛି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ଏହା ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଏକ ଅଦ୍ଭୁତପୂର୍ବ ସଫଳତା ଆଣିବାରେ ସହାୟକ ହେବ। ଏଥିସହ ଆବେଦନଗୁଡ଼ିକର ପ୍ରଭାବଶାଳୀ ପରିଚାଳନା ଦ୍ଵାରା ରିଅଲ ଇଷ୍ଟେଟ୍ କାରବାରରେ ସମ୍ପୂର୍ଣ୍ଣ ସ୍ଵଚ୍ଛତା ଆସିପାରିବ ବୋଲି କୁହାଯାଉଛି।

Comment