ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ। କିଛି ଦିନ ପୂର୍ବରୁ କୋର୍ଟ ଅନୁଭବ ମହାନ୍ତିଙ୍କ ସପକ୍ଷରେ ରାୟ ଦେଇଥିଲାବେଳେ ଆଜି କିନ୍ତୁ କଟକ ଜିଲ୍ଲା ଜଜଙ୍କ ରାୟ ଝଟକା ଦେଇଛି ଅନୁଭବଙ୍କୁ।

ଏବେ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ପୈତୃକ ଘରେ ରହିପାରିବେ ବୋଲି ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଜଜ୍। ବର୍ଷା ଅନୁଭବଙ୍କ ଘରେ ରହିପାରିବେ ନାହିଁ ବୋଲି ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ ଉପରେ କଟକ ଜିଲ୍ଲା ଜଜ୍ ଅନ୍ତରୀଣ ରୋକ ଲଗାଇଛନ୍ତି। ଅଦାଲତଙ୍କ ଏହି ରାୟ ପରେ ଅନୁଭବ ମହାନ୍ତିଙ୍କୁ ଝଟକା ଲାଗିଥିବାବେଳେ ବର୍ଷାଙ୍କୁ ଆଶ୍ଵସ୍ତି ମିଳିଛି।

ଗତ ଜୁନ ୨ ତାରିଖରେ କଟକ ଏସଡିଜେଏମ୍ କୋର୍ଟଙ୍କ ରାୟ ଅନୁଭବ ମହାନ୍ତିଙ୍କ ସପକ୍ଷରେ ଯାଇଥିଲା। ବର୍ଷା ଅନୁଭବଙ୍କ ଘରେ ରହିପାରିବେ ନାହିଁ ବୋଲି ଅଦାଲତ ରାୟ ଦେଇଥିଲେ। ମାସିକ ୩୦ ହଜାର ସହ ବର୍ଷାଙ୍କ ପାଇଁ ଅନ୍ୟତ୍ର ରହଣି ବ୍ୟବସ୍ଥା କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ।

ବର୍ଷା ଏବଂ ଅନୁଭବ ମହାନ୍ତି ପାରିବାରିକ ବିବାଦ ପରେ ଅନୁଭବ ନିଜ ପୈତୃକ ଘରଛାଡ଼ି ଅନ୍ୟତ୍ର ଭଡ଼ା ଘରେ ରହୁଥିଲେ। ବର୍ଷା ତାଙ୍କ ପୈତୃକ ଘର ଛାଡ଼ନ୍ତୁ ବୋଲି ଏସଡିଜେଏମ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ଏହାର ଶୁଣାଣି କରି ଅଦାଲତ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ।  

ବର୍ଷାଙ୍କ ରହିବା ପାଇଁ ଅନୁଭବ ବ୍ୟବସ୍ଥା କରିବା ସହ ପ୍ରତି ମାସର ୧୦ ତାରିଖ ସୁଦ୍ଧା ୩୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁଭବ ଦୁଇ ମାସର ଟଙ୍କା ଦେବା ପରେ ବର୍ଷା ଘର ଛାଡ଼ିବେ ବୋଲି କୋର୍ଟ କହିଥିଲେ।

ବର୍ଷା ଏବଂ ଅନୁଭବଙ୍କ ବୈବାହିକ ଜୀବନରେ ଝଡ଼ ଉଠିବା ଦିନଠାରୁ ଅନୁଭବଙ୍କ ପୈତୃକ ଘରେ ରହିଆସୁଥିଲେ ବର୍ଷା। କିଛି ଦିନ ଅନୁଭବଙ୍କର ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟକୁ ନେଇ ବର୍ଷା ଏବଂ ଅନୁଭବଙ୍କ ମଧ୍ୟରେ ବିବାଦ ବଢ଼ିଥିଲା। ଏପରିକି ପ୍ରଥମେ ଥାନା ଏବଂ ପରେ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ ବର୍ଷା। ଏହି ଘଟଣା ପରେ ସୋସିଆଲ ମିଡିଆରେ କେହି କାହା ବିରୋଧରେ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି କୋର୍ଟ ଉଭୟଙ୍କୁ ତାଗିଦ କରିଥିଲେ। ଏହା ସହ ଅନୁଭବଙ୍କୁ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ।

Tags: #BarshaPriyadarshini #AnubhavMohanty #CelebrityCouple #CTCDistCourt #Court #Judgment

Comment