ଓଡ଼ିଶାଲାଇଭ୍ ବ୍ୟୁରୋ

  • ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ ୨୦୨୨
  • ରାଜ୍ୟରେ ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ଏଥର ବି ଛାତ୍ରଙ୍କୁ ଟପିଲେ ଛାତ୍ରୀ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ଵାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି। ଚଳିତବର୍ଷର ରେଜଲ୍ଟ ରେକର୍ଡ ସୃଷ୍ଟି କରିଛି। ଏଥର ମୋଟ୍ ପାସ୍ ହାର ରହିଛି ୯୦.୫୫ ପ୍ରତିଶତ। ଆଶାତୀତ ଫଳାଫଳ ପାଇବା ପରେ ଛାତ୍ରଛାତ୍ରୀଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।ମାଟ୍ରିକ ଫଳ ବାହାରିକା ପରେ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ଲାଗି ବିଭିନ୍ନ ସ୍କୁଲରେ ସ୍ଵତନ୍ତ୍ର ଆୟୋଜନ କରାଯାଇଥିଲା। ମିଠା ଖୁଆଇ, ଫୁଲତୋଡ଼ା ଦେଇ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ପାଛୋଟି ଆଣିଥିଲେ ଶିକ୍ଷକ ଶିକ୍ଷୟିତ୍ରୀମାନେ। ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖି ସ୍କୁଲର ଗୌରବକୁ ଆହୁରି ଉଚ୍ଚକୁ ଆଣିଥିବାରୁ ଗୁରୁଜୀ ଗୁରୁମା’ଙ୍କ ସମେତ ସାନ ଭାଇଭଉଣୀମାନେ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସ୍କୁଲଗୁଡ଼ିକରେ ଏକ ପ୍ରକାର ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। “କୋଭିଡ୍ ସମୟ ପରେ ଏହା ପ୍ରଥମ ପରୀକ୍ଷା ଥିଲା। ତେଣୁ ପରୀକ୍ଷାକୁ ନେଇ ଟିକେ ନର୍ଭସ ଥିଲି। ହେଲେ ପରୀକ୍ଷା ପୂର୍ବରୁ ସ୍କୁଲ ସାର୍, ମ୍ୟାଡାମଙ୍କ ଡାଉଟ କ୍ଲିୟର କ୍ଲାସ୍, ସାଙ୍ଗସାଥୀଙ୍କ ସହଯୋଗ ଏବଂ ବାପା-ମାଆଙ୍କ ଆକଟ ମୋ ପାଇଁ ବିଶେଷ ସହାୟ ହେଲା। ମାଟ୍ରିକ ପରୀକ୍ଷାରେ ମୁଁ ୯୫.୦୫ ପ୍ରତିଶତ ମାର୍କ ରଖି ଏ-୧ ଗ୍ରେଡ୍ ପାଇଛି। ସବୁଠାରୁ ବଡ଼ କଥା ହେଉଛି ମୁଁ ବିନା କୌଣସି କୋଚିଂରେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲି, ଯାହାର ଫଳାଫଳ ବେଶ୍ ଭଲ ହୋଇଛି। ଯଦି ବିନା କୋଚିଂରେ ମୁଁ ଏତେ ଭଲ ସ୍କୋର୍ କରିପାରିଛି, ତେବେ ଅନ୍ୟମାନେ ମଧ୍ୟ ଏହା ନିଶ୍ଚୟ କରିପାରିବେ। ମୋ ରେଜଲ୍ଟକୁ ନେଇ ମୁଁ ବେଶ୍ ଉତ୍ସାହିତ ଅଛି”, କହିଛନ୍ତି ଭୁବନେଶ୍ଵରର ୟୁନିଟ-୪ ସ୍ଥିତ କ୍ୟାପିଟାଲ ହାଇସ୍କୁଲର କୃତୀ ଛାତ୍ର ରୋହନ ପାଣିଗ୍ରାହୀ।

ମାଟ୍ରିକ ରେଜଲ୍ଟ ବାହାରିବା ପରେ ଛାତ୍ରଛାତ୍ରୀଙ୍କ ଆଗରେ ଭବିଷ୍ୟତ ଗଢ଼ିବା ପାଇଁ ବାଟ ଫିଟିଛି। ଚଳିତବର୍ଷ ଫଳାଫଳ ବି ବେଶ୍ ଭଲ ହୋଇଥିବାରୁ ଆଗକୁ ନିଜ ଲକ୍ଷ୍ୟପଥରେ ପହଞ୍ଚିବାର ଆଶା ଆହୁରି ମଜଭୁତ ହୋଇଥିବା ଛାତ୍ରଛାତ୍ରୀମାନେ ମତ ରଖିଛନ୍ତି।“ମାଟ୍ରିକ ପରୀକ୍ଷା ପାଇଁ ଦିନକୁ ୧୦ରୁ ୧୨ ଘଣ୍ଟା ପାଠ ପଢୁଥିଲି। ତେଣୁ ୯୦ ପ୍ରତିଶତରୁ ଅଧିକ ମାର୍କ ଆସିବ ବୋଲି ମୋର ଆଶା ଥିଲା। ରେଜଲ୍ଟ ବାହାରିବା ପରେ ଜାଣିବାକୁ ପାଇଲି ମୁଁ ୯୬.୦୫ ପ୍ରତିଶତ ମାର୍କ ରଖିଛି। ପରିଶ୍ରମ ଅନୁଯାୟୀ ଫଳ ପାଇଥିବାରୁ ମୁଁ ବେଶ୍ ଖୁସି ଅଛି। ଆଗକୁ ସଫ୍ଟଓ୍ଵେୟାର ଇଂଜିନିୟର ହେବାକୁ ମୁଁ ଲକ୍ଷ୍ୟ ରଖିଛି”, କହିଛନ୍ତି ଭୁବନେଶ୍ଵରର ୟୁନିଟ-୪ ସ୍ଥିତ କ୍ୟାପିଟାଲ ହାଇସ୍କୁଲର କୃତୀ ଛାତ୍ର ଅଭିଷେକ ପଣ୍ଡା।

ସେହିପରି ବିବେକାନନ୍ଦ ଶିକ୍ଷା କେନ୍ଦ୍ରର କୃତୀ ଛାତ୍ରୀ ସୁହାନି ସାହୁ ନିଜ ରେଜଲ୍ଟକୁ ନେଇ କହଛନ୍ତି ଯେ, “ମୋର ୫୪୦ ମାର୍କ ରହିଛି। ଆଶା ଥିଲା ଆଉ ଟିକେ ଭଲ ହୋଇଥାନ୍ତା। ବିଶେଷକରି ବିଜ୍ଞାନ ବିଷୟରେ ଭଲ ମାର୍କ ଆଶା ଥିଲା। ଏଥର ନୂଆ ପଦ୍ଧତିରେ ପରୀକ୍ଷା ହୋଇଥିବାରୁ ଟିକେ ଚ୍ୟାଲେଜିଂ ଥିଲା। ତେବେ ସବୁ ଦୃଷ୍ଟିରୁ ଫଳାଫଳ ଭଲ ହୋଇଛି। ଆଗକୁ ଯୁକ୍ତ ଦୁଇ ବିଜ୍ଞାନ ପଢ଼ି ନିଟ୍ ପରୀକ୍ଷା କ୍ଲିୟର କରିବା ମୋର ଲକ୍ଷ୍ୟ।“

ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଅନ୍ୟଜଣେ କୃତୀ ଛାତ୍ର ହୃଷିକେଶ ବେହେରା ମାଟ୍ରିକ ଫଳାଫଳକୁ ନେଇ କହିଛନ୍ତି ଯେ, ମୁଁ ପରିଶ୍ରମ ଅନୁଯାୟୀ ରେଜଲ୍ଟ ପାଇଛି। ୬୦୦ରୁ ୫୧୫ ମାର୍କ ରହିଛି। ଏହି ସଫଳତା ମୋର ଆଗାମୀ ଭବିଷ୍ୟତ ଲାଗି ମୋତେ ଉତ୍ସାହିତ କରିବ। ଆଗକୁ ମଧ୍ୟ ମୁଁ ସବୁ ପରୀକ୍ଷାରେ ଭଲ ରେଜଲ୍ଟ କରି ମୋ ପରିବାର, ସ୍କୁଲ ତଥା ମୋ ରାଜ୍ୟର ନାଁ ରଖିବି। ଭବିଷ୍ୟତରେ ମୁଁ ସଙ୍ଗୀତଜ୍ଞ ହେବାକୁ ଲକ୍ଷ୍ୟ ରଖିଛି।“କୋଭିଡ୍ ସମୟରେ ଏଥର ମାଟ୍ରିକ ପରୀକ୍ଷାକୁ ନୂଆ ପଦ୍ଧତିରେ କରାଯାଇଥିଲା। ଆମ କ୍ୟାପିଟାଲ ହାଇସ୍କୁଲର ଛାତ୍ରଛାତ୍ରୀମାନେ ପୂର୍ବବର୍ଷ ଅପେକ୍ଷା ଭଲ ରେଜଲ୍ଟ କରିଛନ୍ତି। ଏଥର ଆମ ସ୍କୁଲର ମୋଟ୍ ପାସ୍‌ହାର ରହିଛି ୯୬ ପ୍ରତିଶତ। ତେଣୁ ସମସ୍ତ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅନେକ ଅଭିନନ୍ଦନ। ତେବେ ଯେଉଁ କିଛି ଛାତ୍ରଛାତ୍ରୀ ଚଳିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି, ସେମାନେ ଏହାକୁ ବିଫଳତା ମନେ ନ କରି ଆଗକୁ କିପରି ପରୀକ୍ଷାରେ ଭଲ ସ୍କୋର୍ କରିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ”, କହିଛନ୍ତି କ୍ୟାପିଟାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଜିତେନ୍ଦ୍ର ନାୟକ।

ଚଳିତବର୍ଷ ରାଜ୍ୟରେ ମୋଟ୍ ୫,୨୬,୮୧୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ମୋଟ୍ ୫,୧୭,୮୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରିଛିନ୍ତି। ପାସ୍‌ହାର ରହିଛି ୯୦.୫୫ ପ୍ରତିଶତ। ତିନୋଟି ଆସେସମେଣ୍ଟ ପରୀକ୍ଷା ମେଥଡକୁ ଆଧାର କରି ଏଥର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ବି ଛାତ୍ରଙ୍କଠାରୁ ଆଗରେ ରହିଛନ୍ତି ଛାତ୍ରୀ। ରାଜ୍ୟରେ ମୋଟ୍ ୨,୬୦,୯୭୦ ଜଣ ଛାତ୍ରୀ ପାସ୍ କରିଥିବାବେଳେ ୨,୫୬,୮୭୭ ଜଣ ଛାତ୍ର ପାସ୍ କରିଛନ୍ତି। ଛାତ୍ରୀଙ୍କ ପାସ୍‌ହାର ରହିଛି ୯୨.୩୭ ପ୍ରତିଶତ ଏବଂ ଛାତ୍ରଙ୍କର ପାସ୍‌ହାର ରହିଛି ୮୮.୭୭ ପ୍ରତିଶତ।ଏ-୧ରେ ୮,୧୧୯ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ଏ-୨ରେ ରହିଛନ୍ତି ୫୪,୮୮୯ ଜଣ। ସେହିପରି ବି-୧ରେ ୧,୨୦,୩୧୨ ଛାତ୍ରଛାତ୍ରୀ ରହିଥିବାବେଳେ ବି-୨ରେ ରହିଛନ୍ତି ୧,୪୨,୫୯୯ ଜଣ ଛାତ୍ରଛାତ୍ରୀ। ରାଜ୍ୟର ମୋଟ୍ ୧,୧୭୦ଟି ହାଇସ୍କୁଲର ରେଜଲ୍ଟ ଶତ ପ୍ରତିଶତ ହୋଇଛି। ମାତ୍ର ୩ଟି ସ୍କୁଲର ଫଳାଫଳ ଶୂନ ରହିଛି। ଏହି ସ୍କୁଲଗୁଡ଼ିକ ମଧ୍ୟରେ ଦୁଇଟି ମାଲକାନଗିରି ଜିଲ୍ଲାର ଓ ଗୋଟିଏ ଅନୁଗୁଳ ଜିଲ୍ଲାର। ଚଳିତ ମାଟ୍ରିକ ପରୀକ୍ଷାରେ ୮,୬୯୯ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି।

Tags: #MatricResult #MatricResult2022 #Odisha #10thResult #HSCExam #ମାଟ୍ରିକପରୀକ୍ଷା

Comment