ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମନି ଲଣ୍ଡ୍ରିଂ ମାମଲାରେ ଦିଲ୍ଲୀ ହେରାଲ୍ଡ ବିଲ୍ଡିଂରେ ଥିବା ୟଙ୍ଗ ଇଣ୍ଡିଆନ କମ୍ପାନିର ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରିଛି ଇଡି। ୟଙ୍ଗ ଇଣ୍ଡିଆ କାର୍ଯ୍ୟାଳୟ ସିଲ ହେବା ପରେ ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ, କଂଗ୍ରେସ ଅଧ୍ୟକ୍ଷା ସୋନଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ଇଡିର ଏହି କାର୍ଯ୍ୟାନୁଷ୍ଠାନ ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି କେନ୍ଦ୍ର ସରକାର କିଛି ଶିଳ୍ପପତିଙ୍କ ଲାଗି କାମ କରୁଛନ୍ତି। ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ସରକାର ଏହି ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀ ଦୁଇଦିନଆ କର୍ଣ୍ଣାଟକ ଗସ୍ତରେ ଯାଇଥିଲେ, କିନ୍ତୁ ୟଙ୍ଗ ଇଣ୍ଡିଆ କାର୍ଯ୍ୟାଳୟ ସିଲ ହେବା ଖବର ପାଇ ସେ ଦିଲ୍ଲୀ ଫେରିଆସିଥିଲେ।

ଏପଟେ ଇଡିର କାର୍ଯ୍ୟାନୁଷ୍ଠାନ ଏବଂ ପୋଲିସର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ଜାହିର କରିବାରେ ଲାଗିଛି କଂଗ୍ରେସ। ୟଙ୍ଗ ଇଣ୍ଡିଆ କାର୍ଯ୍ୟାଳୟ ସିଲ ହେବା ପୂର୍ବରୁ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ଇଡିର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଇଥିଲା। କଂଗ୍ରେସ ସାଂସଦ ଜୟରାମ ରମେଶ, ଅଜୟ ମାକନ ଏବଂ ଅଭିଷେକ ମନୁ ସିଙ୍ଗଭୀ କହିଥିଲେ, କେନ୍ଦ୍ର ସରକାର ନିଜର ଦୋଷ ଦୁର୍ବଳତାକୁ ଘୋଡ଼ାଇବା ଲାଗି କଂଗ୍ରେସକୁ ବଦନାମ କରିବାକୁ ଅପଚେଷ୍ଟା ଚଳାଇଛନ୍ତି। ଇଡି ମାଧ୍ୟମରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଜେରା କରି ଅପମାନିତ କରାଯାଇଛି।

ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ, କେନ୍ଦ୍ର ସରକାର ଦରଦାମ ବୃଦ୍ଧି ପ୍ରସଂଗରେ ଆଲୋଚନା କରିବାକୁ ଚାହୁନାହାନ୍ତି, ତେଣୁ ଭୟର ବାତବରଣ ସୃଷ୍ଟି କରାଯାଉଛି। ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ ବିରୋଧରେ ଆତଙ୍କବାଦୀଙ୍କ ଭଳି ଆଚରଣ କରାଯାଉଛି। ଆସନ୍ତା ଅଗଷ୍ଟ ୫ ତାରିଖରେ ଦରଦାମ ବୃଦ୍ଧି ପ୍ରତିବାଦରେ ସାରା ଦେଶରେ କଂଗ୍ରେସ ପ୍ରଦର୍ଶନ କରିବ ବୋଲି ସୂଚନା ଦେଇଛନ୍ତି।

ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କୁ ୫୦ ଘଣ୍ଟା, ସୋନିଆଙ୍କୁ ୧୨ ଘଣ୍ଟା ଜେରା

ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଅଲଗା ଅଲଗା ଦିନରେ ସମ୍ପୂର୍ଣ୍ଣ ୫୦ ଘଣ୍ଟା ଧରି ଜେରା କରିଛି ଇଡି। ଏହା ସହିତ ସୋନିଆ ଗାନ୍ଧୀ ମଧ୍ୟ ୧୨ ଘଣ୍ଟା ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି। ମଙ୍ଗଳବାର ଦିନ ନ୍ୟାସନାଲ ହେଲାଲ୍ଡ ସମେତ ୧୨ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଏହା ପରେ ବୁଧବାର ସନ୍ଧ୍ୟାରେ ଦିଲ୍ଲୀରେ ୟଙ୍ଗ ଇଣ୍ଡିଆନର କାର୍ଯ୍ୟାଳୟକୁ ସିଲ୍ କରିଥିଲା ଇଡି।

Tags: #NationalHeraldCase #ED #YoundIndianOfficeSealed #Congress #RahulGandhi #SoniaGandhi

Comment