ଓଡ଼ିଶାଲାଇଭ୍ ବ୍ୟୁରୋ

‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ଓ୍ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ କ୍ରମରେ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ଗ୍ଲୋବାଲ୍ ୟୁନିକର୍ନ ‘ଜେଟ୍‌ଓ୍ୱର୍କ’ କମ୍ପାନିର ସହ-ପ୍ରତିଷ୍ଠାତା ଓ ସିଇଓ ଅମୃତ ଆଚାର୍ଯ୍ୟଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କ ବାର୍ତ୍ତାଳପର ସଂପାଦିତ ଅଂଶ।

ଓଡ଼ିଶାରୁ ଆଇଆଇଟି ଚେନ୍ନାଇ, ତା’ପରେ ଆଇଟିସିରେ ନିଯୁକ୍ତି ପରବର୍ତ୍ତୀ କାଳରେ ଯୁକ୍ତରାଷ୍ଟ୍ର ଆମେରିକାର ସିଲିକନ୍‌ ଭ୍ୟାଲି ଏବଂ ଅଷ୍ଟ୍ରେଲିଆରେ କାମ କରିବା ପରେ ନିଜ ଦେଶକୁ ଫେରି ଏକ ଅଭିନବ ବ୍ୟବସାୟିକ ସଂସ୍ଥା ଗଢ଼ିଛନ୍ତି ତେବେ ଆପଣଙ୍କର ଆରମ୍ଭ ଓଡ଼ିଶାରେ ଓଡ଼ିଶାରେ ବଢ଼ି ଉଠିଥିବା ଦିନଗୁଡ଼ିକ କଥା କହନ୍ତୁ

– ମୋ ଜନ୍ମ ହୋଇଥିଲା କଟକରେ। ବାପା ଗୋଟିଏ ଇନ୍‌ସ୍ୟୁରାନ୍ସ କମ୍ପାନିରେ କାମ କରୁଥିଲେ। ତାଙ୍କୁ ଚାକିରି ପାଇଁ ବିଭିନ୍ନ ଜିଲ୍ଲା ବୁଲିବାକୁ ପଡୁଥିଲା। ଜୀବନର ପ୍ରଥମ ଦୁଇବର୍ଷ ତାଙ୍କ ସାଥିରେ ମୁଁ ବଲାଙ୍ଗିରରେ ବଢ଼ିଛି। ପରବର୍ତ୍ତୀ ସମୟରେ ବାପା ମା’ ଠିକ୍ କଲେ, ମୋ ପାଠ ପଢ଼ାରେ ସୁବିଧା ଦୃଷ୍ଟିରୁ ମା’ ଆଉ ମୁଁ ଭୁବନେଶ୍ୱରରେ ରହିବୁ। ବାପା କେବଳ ଶନିବାର, ରବିବାର ଘରକୁ ଆସି ପାରୁଥିଲେ।ମୋ’ର ନାଁ ଲେଖାହେଲା ରୁଚିକା ସ୍କୁଲରେ। ରୁଚିକାରେ ହିଁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା। ଆଉ ତା’ପରେ +୨ ପଢ଼ା ବିଜେବି କଲେଜରେ। ଓଡ଼ିଶାରେ ପାଠ ପଢ଼ିବା ବ୍ୟତୀତ ଅନ୍ୟ କିଛି କରିବାର ସୁଯୋଗ କମ୍‌ ଥିଲେ ବି, ମୁଁ ପାଠ ବାହାରେ ବିଭିନ୍ନ ତର୍କ ପ୍ରତିଯୋଗିତାରେ ଭାଗ ନେଉଥିଲି। ଓଡ଼ିଶା ପାଇଁ ଟେନିସ୍ ବଲ୍‌ କ୍ରିକେଟରେ ପ୍ରତିନିଧିତ୍ୱ ମଧ୍ୟ କରିବାର ସୁଯୋଗ ମିଳିଥିଲା।

ବିଜେବି କଲେଜରେ ପାଠପଢ଼ା ଶେଷ ହେବା ବେଳକୁ, ମୁଁ ନିଜକୁ ଜଣେ ଇଞ୍ଜିନିୟର ଭାବରେ ଗଢ଼ିବାକୁ ଚାହିଁଥିଲି। ତେବେ ବାପା’, ମା’ ଦୁଇଜଣ ରାଜନୀତି ବିଜ୍ଞାନର ବିଦ୍ୟାର୍ଥୀ ଥିଲେ। ବାପା ଚାହୁଁଥିଲେ, ମୁଁ ସିଭିଲ୍ ସର୍ଭିସ୍ ପରୀକ୍ଷାକୁ ଆଖିରେ ରଖି ଆଗକୁ ପାଠ ପଢ଼େ। ମା’ ଚାହୁଁଥିଲେ, ମୁଁ ଡାକ୍ତରୀ ପଢ଼େ। ମୁଁ ଚାହିଁଲି, ଆଇଆଇଟିରେ ଇଞ୍ଜିନିୟରିଂ ପଢ଼ିବି। ମୋ’ ବାପା, ମା’ ମତେ ସବୁବେଳେ, ସବୁକ୍ଷେତ୍ରରେ ସ୍ୱାଧୀନତା ଦେଇ ଆସିଥିଲେ। ସେଇଥିପାଇଁ ମୋ’ ଇଚ୍ଛାରେ ମତେ ଆଇଆଇଟି ଯିବାକୁ ରାଜି ହୋଇଗଲେ।ଜଣେ ସଫଳ ଉଦ୍ୟୋଗୀ ହିସାବରେ ବାପା, ମା’ଙ୍କର ଆପଣଙ୍କ ଉପରେ କ’ଣ ପ୍ରଭାବ ପଡ଼ିଥିଲା?

– ନିଜ ଜୀବନକୁ ନିଜ ହିସାବରେ ଗଢ଼ିବାକୁ ବାପା, ମା’ ମତେ ସ୍ୱାଧୀନତା ନିଶ୍ଚୟ ଦେଇଥିଲେ। କିନ୍ତୁ ମୋର ଚରିତ୍ର ଗଠନରେ ଉଭୟଙ୍କର ବିଶେଷ ଅବଦାନ ରହିଥିଲା। ଉଭୟ ମଧ୍ୟବିତ୍ତ ପରିବାରରୁ ଉଠିଛନ୍ତି। ବାପାଙ୍କର ପାଠ ଶେଷ ବେଳକୁ ଘରେ ପାଞ୍ଚ ଭାଇ; ସମସ୍ତେ ସାନସାନ ଥିଲେ। ସେମାନଙ୍କ ଦାୟିତ୍ୱ ନେବାକୁ, ପାଠ ସରିବା କ୍ଷଣି, ଆଗକୁ ନିଜ ଭବିଷ୍ୟତ କଥା ନ ଭାବି, ବାପାଙ୍କୁ ପ୍ରଥମରୁ ଯେଉଁ ଚାକିରିଟି ମିଳିଗଲା, ସେଇଥିରେ ପଶିଗଲେ।

ତାଙ୍କ ଜୀବନ ଆରମ୍ଭ ହୋଇଥିଲା ମାସିକ ୧୦୦୦ ଟଙ୍କାର ଦରମାରୁ। ସେଇଥିରୁ ନିଜ ପାଇଁ ୨୦୦ ଟଙ୍କା ରଖି ତାଙ୍କୁ ଘରକୁ ୮୦୦ ଟଙ୍କା ପଠାଇବାକୁ ପଡୁଥିଲା। କିନ୍ତୁ, ମୋ’ର ଯେତେବେଳେ ରୁଚିକାରେ ଦଶମ ସରିଲା, ସେତେବେଳେ ବାପା ନିଜ ଜୀବନର ପ୍ରକୃତ ଆଶାକୁ ପୁଣି ପୁନର୍ଜୀବିତ କଲେ। ୪୦ ବର୍ଷ ବୟସରେ ଇନ୍‌ସ୍ୟୁରାନ୍ସ ଚାକିରି ଛାଡ଼ି, ଅଷ୍ଟ୍ରେଲିଆରୁ ପି.ଏଚ୍.ଡି କଲେ। ସେଥିପାଇଁ ଜଣେ ସାଧାରଣ ରିସର୍ଚ୍ଚ ଆସିଷ୍ଟାଣ୍ଟ୍ ଭାବେ ତାଙ୍କୁ ପୁଣିଥରେ ଜୀବନ ଆରମ୍ଭ କରିବାକୁ ପଡ଼ିଲା। ପରବର୍ତ୍ତୀ କାଳରେ, ଶିକ୍ଷାର ଦୁନିଆରେ ନିଜର ପରିଚୟ ଠିଆ କରିଲେ।

ଠିକ୍ ସେଇପରି ଭାବରେ ମା’ଙ୍କର ଗୋଟିଏ ନିଜସ୍ୱ ସଂଜ୍ଞା ଖୋଜିବାର ଆକାଂକ୍ଷା ସବୁଦିନ ରହିଥିଲା। ବାପାଙ୍କର ପରିବାରରେ ଯେମିତି ୫ ଭାଇ, ମା’ଙ୍କର ସେମିତି ଥିଲେ ୫ ଭଉଣୀ। ସେମାନେ କେହି ଚାକିରି କରୁ ନଥିଲେ। କିନ୍ତୁ ମା’ ନିଜ ଗୋଡ଼ରେ ଠିଆ ହେବାକୁ ମନସ୍ଥିର କରିଥିଲେ। ଜୀବନ ଆରମ୍ଭ ହେଲା ଆକାଶବାଣୀରେ ଘୋଷିକା ହିସାବରେ। ପରେ କିଛିଦିନ ଅଧ୍ୟାପିକା ଥିଲେ। ତେବେ ୫୦ ବର୍ଷ ବୟସରେ ସବୁକିଛି ଛାଡ଼ି ଗୋଟିଏ ଏନ୍‌ଜିଓ ଗଢ଼ିଲେ। ଏବେବି ସଂସ୍ଥାଟି ଚଳାଉଛନ୍ତି। ନିଜର ସଂଜ୍ଞା ଖୋଜିବାର, ସବୁକିଛି ଛାଡ଼ି ଦେଇ ଜୀବନକୁ ନୂଆ କରି ଗଢ଼ିବାର ସାହସ, ନୂଆ ବାଟ ଖୋ‌ଜିବାର ଦମ୍ଭ ସେମାନଙ୍କଠାରୁ ମୁଁ ପାଇଛି।ଆଇଆଇଟି ଚେନ୍ନାଇରେ ପାଠପଢ଼ା ବ୍ୟତୀତ, ଆପଣଙ୍କୁ ପରବର୍ତ୍ତୀ ଉଦ୍ୟୋଗୀ ଜୀବନର ତିନୋଟି ଆଧାର ମିଳିଥିଲା, ଯାହାକୁ ମୁଁ ‘୩-ଏସ୍’ ବୋଲି କହିପାରେ ଏହି ତିନୋଟି ‘ଏସ୍’ ହେଲେ ସେଲିଂ, ଶ୍ରୀନାଥ ଏବଂ ଶରନ୍ୟା ଆପଣ ଆଇଆଇଟିରେ ସେଲିଂ ଅର୍ଥାତ୍ ବିକ୍ରି କରିବାର କଳା ଶିଖିଲେ, ଶ୍ରୀନାଥଙ୍କ ସାଙ୍ଗରେ ଯୋଗାଯୋଗ ହେଲା ଏବଂ ଶରନ୍ୟାଙ୍କୁ ପାଇଲେ ଏହି ତିନୋଟି ‘ଏସ୍‌’ କଥା କହନ୍ତୁ

– ଆଇଆଇଟି ଚେନ୍ନାଇରେ, ‘ସାରଙ୍ଗ’ ନାଁରେ ଗୋଟିଏ ସାଂସ୍କୃତିକ ସଂସ୍ଥା ଥିଲା। ଛାତ୍ରଛାତ୍ରୀମାନେ ତା’ର ଦାୟିତ୍ୱରେ ରହୁଥିଲେ। ଏହି ସଂସ୍ଥାର ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟକ୍ରମ ପାଇଁ ପାଣ୍ଠି ଦରକାର ହୁଏ। ଏଥିପାଇଁ ବଡ଼ ବଡ଼ ସଂସ୍ଥାମାନଙ୍କ ପାଖକୁ ଯାଇ ସ୍ପନସର୍‌ସିପ୍‌ ଆଣିବାକୁ ପଡ଼େ। କମ୍‌ ବୟସ ଏବଂ କମ୍‌ ଅଭିଜ୍ଞତା ଥିଲେ ମଧ୍ୟ, ନିଜକୁ ‘ସେଲିଂ’ କରିବାକୁ ପଡ଼େ।

ଏଇ ଦକ୍ଷତା, ଯେକୌଣସି ଷ୍ଟାର୍ଟଅପ୍ ତିଆରି କରିବା ପାଇଁ ଅତ୍ୟନ୍ତ ଆବଶ୍ୟକ। ଯିଏ ସେଲିଂ ଜାଣି ନ ଥିବ, ସେ ବ୍ୟବସାୟ ଠିଆ କରାଇପାରିବ ନାହିଁ। ନିଜର ଆଇଡିଆ, ନିଜ ସଂସ୍ଥାର ବ୍ୟବସାୟ, ନିଜ ତିଆରି ଜିନିଷ ବା ଯୋଗାଇ ଦେଉଥିବା ସର୍ଭିସ୍ ଅନ୍ୟମାନଙ୍କ ଆଗରେ ବିନା ଦ୍ୱିଧା, ସଙ୍କୋଚରେ ତୋଳି ଧରିବାକୁ ହୁଏ। ଏଥିପାଇଁ ଆତ୍ମପ୍ରତ୍ୟୟ ବ୍ୟତୀତ, ବିକ୍ରି କରିବାର କୌଶଳ ହାସଲ କରିବାକୁ ପଡ଼େ। ଏହି ଦକ୍ଷତା କମ୍‌ ବୟସରେ, ସାରଙ୍ଗର ଖେଳ ଛଳରେ ମୁଁ ପାଇଥିଲି।

ଦ୍ୱିତୀୟ ‘ଏସ୍’ ହେଲା, ଶ୍ରୀନାଥ। ଗୋଟିଏ ଉଚ୍ଚମାନର ସଂସ୍ଥା ଠିଆ କରିବାକୁ ହେଲେ, ଚିନ୍ତାଧାରା, ମାନସିକତା ଏବଂ ମୂଲ୍ୟବୋଧରେ ମେଳ ରହୁଥିବା ସହ-ପ୍ରତିଷ୍ଠାତା ଦରକାର। ଶ୍ରୀନାଥଙ୍କ ସାଙ୍ଗରେ ପାଠ ପଢ଼ିଲା ବେଳୁ ତାଙ୍କ ପ୍ରତି ମୋ’ର ଶ୍ରଦ୍ଧା ଓ ସମ୍ମାନ ଆସିଥିଲା। ପାଠ ସାରି ଆମେ ଦୁଇଜଣ ଆଇଟିସି କମ୍ପାନିରେ ଚାକିରି ଆରମ୍ଭ କରିଥିଲୁ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଥିଲା ମୋ’ର ଚାକିରି। ଅପନ୍ତରା ଜାଗା; ଛାଡ଼ିଦେବାକୁ ମନ ହୋଇଥିଲା, କିନ୍ତୁ ସେ ସମୟରେ ସେଠିକାର ମୁଖ୍ୟ, ସଂଜୀବ ମତେ ମନଦେଇ କାମ ଶିଖିବାକୁ ଏବଂ କାମ କରିବାକୁ ଉପଦେଶ ଦେଇଥିଲେ। ସେଇ ଦିନଗୁଡ଼ିକର ଅଭିଜ୍ଞତା ‌ଏବଂ ଶ୍ରୀନାଥଙ୍କ ବନ୍ଧୁତ୍ୱ ଜେଟ୍‌ୱର୍କର ମୂଳଦୁଆ ହୋଇ ଦିନେ ଉଦ୍ୟୋଗୀ ଜୀବନର ସଫଳତା ଆଣିଦେଇଥିଲା।ଏଥର ରହିଲା ତୃତୀୟ ‘ଏସ୍‌’, ଅର୍ଥାତ୍ ଶରନ୍ୟା। ଶରନ୍ୟା କେରଳର ଝିଅ, କିନ୍ତୁ ମୁମ୍ବାଇରେ ବଢ଼ିଛନ୍ତି। ଆଇଆଇଟି ଆସିବା ପରେ ତାଙ୍କ ସାଙ୍ଗରେ ମୋର ପରିଚୟ ଏବଂ ପରବର୍ତ୍ତୀ ସମୟରେ ପରିଣୟ। ଆଇଟିସିରେ କିଛି ବର୍ଷ କାମ କରିବା ପରେ, ମୁଁ ୟୁସି ବର୍କଲିରେ ଏମ୍.ବି.ଏ ପଢ଼ିବା ପାଇଁ ସିଲିକନ୍‌ ଭ୍ୟାଲିକୁ ଚାଲିଯାଇଥିଲି। ଏମ୍.ବି.ଏ ପରେ ବିଶ୍ୱପ୍ରସିଦ୍ଧ କନସଲ୍‌ଟିଙ୍ଗ୍ ସଂସ୍ଥା, ମ୍ୟାକ୍ନିସିରେ ଯୋଗଦେଲି। ଆମେରିକା, ଅଷ୍ଟ୍ରେଲିଆରେ କାମର ଅଭିଜ୍ଞତା ମିଳିଲା।

ଦିନେ ଠିକ୍ କଲି, ଭାରତ ଫେରିଯିବି। ମନକୁ ପ୍ରଶ୍ନ ଆସିଲା ଭାରତକୁ ଫେରି କେଉଁ ଧରଣର ଚାକିରି କଲେ ଭଲହେବ? ମନକୁ ପାଇଲା ପରି ଚାକିରିଟିଏ ମିଳିବ ତ? ଶରନ୍ୟା ମତେ କହିଥିଲେ, ଯଦି ଚାକିରି ହିଁ କରିବା ଜୀବନର ମୂଳ ଲକ୍ଷ୍ୟ ହୁଏ, ତେବେ ଭାରତକୁ ଫେରିଯିବାର ଆବଶ୍ୟକତା କ’ଣ? ଆମେରିକା, ଅଷ୍ଟ୍ରେଲିଆରେ ରହିବା ଶ୍ରେୟ। ନିଜ ଦେଶକୁ ଫେରି, ନିଜ ଦମ୍ଭରେ ନିଜ ଉଦ୍ୟୋଗଟିଏ ଠିଆ କରିବା ଦରକାର। ଭାରତ ଫେରିଆସିଲି।

ଏସବୁ ଭିତରେ ଶରନ୍ୟାଙ୍କ ସାଙ୍ଗରେ ବାହାଘର ଠିକ୍ ହୋଇଗଲା। ଏଣେ ହାତରେ ଚାକିରି ନାହିଁ ବା ବ୍ୟବସାୟ ନାହିଁ। ବାପା କହିଲେ, ଡିସେମ୍ବର ମାସରେ ବାହାଘର। ତା’ ଆଗରୁ ଯାହା କରିବା କଥା କର। ବାହାଘର ବେଳେ, ସମାଜ ଆଗରେ ମୁଁ ପୁଅ ବେକାର ବୋଲି କହିପାରିବିନି। ତେବେ ଯାହା ହେଉ, ଜେଟୱର୍କର ଆରମ୍ଭ ହେଲା। ଭେଞ୍ଚର୍ କ୍ୟାପିଟାଲରୁ ପୁଞ୍ଜି ଯୋଗାଡ଼ କରି ମୁଁ ଆଉ ଶ୍ରୀନାଥ କାମ ଆରମ୍ଭ କରିଦେଲୁ।ଜେଟ୍‌ୱର୍କର ବ୍ୟବସାୟ ବିଷୟରେ ପାଠକମାନଙ୍କ ପାଇଁ କିଛିଟା ଧାରଣା ଦିଅନ୍ତୁ

– ମୁଁ ଯେତେବେଳେ ଆଇଟିସି ଗୁଣ୍ଟୁରରେ କାମ କରୁଥିଲି, ସେତେବେଳେ ମୋ’ ବସ୍ ସଂଜୀବ ମତେ ଗୋଟିଏ ନୂଆ କାରଖାନା ତିଆରି କରିବାର ସଂପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ। ଏଥିପାଇଁ ବିଭିନ୍ନ ସାଜ, ସରଞ୍ଜାମ, କଳର ଆବଶ୍ୟକତା ଥିଲା। କିନ୍ତୁ ଠିକ୍ ଦାମ୍‌ରେ, ଠିକ୍ କ୍ୱାଲିଟିର, ଠିକ୍ ସମୟରେ ପାଇବା ଅତ୍ୟନ୍ତ ଦୂରୁହ ଥିଲା। ଏହିଥିରୁ ମୋ’ର ମନକୁ ଆସିଥିଲା, ବଡ଼ ବଡ଼ କାରଖାନା ତିଆରି କରିବାକୁ ଅଥବା ମେସିନ୍ ତିଆରି କରିବାକୁ, ବିଭିନ୍ନ ଶିଳ୍ପ ସଂସ୍ଥାମାନଙ୍କୁ ବେଶ୍‌ ହଟହଟା ହେବାକୁ ପଡ଼ିଥାଏ।

ଏଇଠି ଆପଣମାନଙ୍କୁ ଆଉ ଗୋଟିଏ କଥା କହି ରଖେ। ମୋ’ର ବନ୍ଧୁ ଶ୍ରୀନାଥଙ୍କ ବାପାଙ୍କର ଗୋଟିଏ ଛୋଟ ଇଞ୍ଜିନିୟରିଂ ସଂସ୍ଥା ଥିଲା। ଏହି ସଂସ୍ଥାରେ ଆଖପାଖ ଅଞ୍ଚଳର କମ୍ପାନିମାନଙ୍କୁ ଯୋଗାଇ ଦେବାପାଇଁ ମେସିନ୍, କଳକବ୍ଜା ତିଆରି ହେଉଥିଲା। ଅଥଚ ଏପରି ସଂସ୍ଥା, ଆଇଟିସି ପରି କମ୍ପାନିଙ୍କ ବ୍ୟବସାୟ ଧରିପାରୁ ନଥିଲେ। ଗୋଟେ ଆଡ଼େ ଡିମାଣ୍ଡ ବା ଚାହିଦା ରହିଛି, ଅନ୍ୟପଟେ ସପ୍ଲାଇ ଥାଇ ମଧ୍ୟ, ଦୁଇଟି ମଧ୍ୟରେ ଯୋଗାଯୋଗରେ ବାଧା ରହୁଛି। ଏହି ସମସ୍ୟାର ସମାଧାନ କରିବା ଲାଗି ଜେଟ୍‌ୱର୍କର ଆରମ୍ଭ ହୋଇଥିଲା। ଦେଶ ବିଦେଶର ବଡ଼ ବଡ଼ କାରିଗରୀ ସଂସ୍ଥା ତାଙ୍କର ଚାହିଦା ଅନୁସାରେ, ତାଙ୍କର ଇଞ୍ଜିନିୟରିଂ ନକ୍ସା ଆମକୁ ଦେଇଥାନ୍ତି। ଦେଶରେ ଥିବା ହଜାର ହଜାର କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଇଞ୍ଜିନିୟରିଂ କମ୍ପାନିମାନଙ୍କଠାରୁ ଆମେ ଏହି ନକ୍ସା ଅନୁସାରେ ଜିନିଷ ତିଆରି କରାଇଥାଉ।

ସେହି ଜିନିଷର ସଠିକ୍ ଦାମ, ଗୁଣମାନ ଏବଂ ଗ୍ରାହକମାନଙ୍କୁ ତାହା ସଠିକ୍ ସମୟରେ ପହଞ୍ଚାଇବାର ଦାୟିତ୍ୱ ଆମର। ଜେଟ୍‌ୱର୍କର ବ୍ୟବସାୟିକ ସଫଳତା ବର୍ତ୍ତମାନ କେବଳ ଭାରତ ନୁହେଁ, ଭାରତ ବାହାରକୁ ମଧ୍ୟ ବ୍ୟାପିଲାଣି। ଆସନ୍ତା ୫ ବର୍ଷରେ ଜେଟ୍‌ୱର୍କର ବାର୍ଷିକ କାରବାର ୩୦ରୁ ୪୦ ହଜାର କୋଟି ଟଙ୍କାରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି।ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ କ’ଣ ବାର୍ତ୍ତା ଦେବେ?

– ସବୁବେଳେ ଗୋଟିଏ କଥା ମନକୁ ଆଣିବା: ଆମେ କେଉଁଠୁ ଆସିଛୁ? ନିଜର ଆରମ୍ଭ କେଉଁଠୁ ହୋଇଛି, ତାହା ଭୁଲିଗଲେ ଜୀବନରେ ବଡ଼ ଜିନିଷ ଗଢ଼ିପାରିବା ଅସମ୍ଭବ। ଦ୍ୱିତୀୟ ଜିନିଷଟି ହେଲା, ଉଦ୍ୟୋଗ ଠିଆ କରିବା ଆଗରୁ ନିଜ ପ୍ରିୟଜନମାନଙ୍କର ସମର୍ଥନ ଦରକାର। ସେମାନଙ୍କ ସଦିଚ୍ଛା ଏବଂ ସହଯୋଗ ଆମକୁ ମନର ଜୋର ଆଣି ଦେଇଥାଏ।

ତୃତୀୟ ଜିନିଷଟି ହେଲା, ଆକାଂକ୍ଷା ଏବଂ ଅଭିଳାଷ। ଜଣେ ଯୁବ ପାଇଁ ୨୦ରୁ ୩୦ ବର୍ଷ ବୟସ ସମୟ ଅତ୍ୟନ୍ତ ମୂଲ୍ୟବାନ। ପ୍ରତ୍ୟେକ ଯୁବକଯୁବତୀ ଏଇ ସମୟଟିକୁ ମୁଖ୍ୟତଃ ଉପଭୋଗର ସମୟ ବୋଲି ଭାବନ୍ତି। ଜୀବନକୁ ଉପଭୋଗ କରିବା ନିଶ୍ଚୟ ଦରକାର। କିନ୍ତୁ ଏହା ମୁଖ୍ୟତଃ ଉପଭୋଗର ସମୟ ନୁହେଁ, ବରଂ ସମ୍ଭାବନା ସୃଷ୍ଟି କରିବାର ସମୟ। କାରଣ ଥରେ ଅପସରି ଗଲେ ସେ ସମୟ ଆଉ କେବେ ହେଲେ ଫେରିଆସିବ ନାହିଁ। ଜୀବନର ଏହି ପର୍ଯ୍ୟାୟରେ ବାପା, ମା’ଙ୍କ ବ୍ୟତୀତ କର୍ମଜୀବନରେ ସ୍ଥିତି ଲାଭ କରିଥିବା ଲୋକମାନଙ୍କୁ ନିଜର ଉପଦେଷ୍ଟା ଭାବରେ ଗ୍ରହଣ କରନ୍ତୁ ଏବଂ ତାଙ୍କର ଅଭିଜ୍ଞତାରୁ ଜ୍ଞାନ ଆହରଣ କରନ୍ତୁ।

ସର୍ବଶେଷରେ କହିବି, ବହି ପଢ଼ନ୍ତୁ। ବହି ପଢ଼ିବା ଦ୍ୱାରା ହିଁ ଆପଣ ଅନ୍ୟମାନଙ୍କ ଜୀବନର ସଫଳତା ଏବଂ ବିଫଳତା ବିଷୟରେ ଜାଣିପାରିବେ। ସେମାନଙ୍କ ଜୀବନର କାହାଣୀରୁ ନିଜ ଜୀବନର ବାଟ ପରିଷ୍କାର ହୋଇଯିବ।

Tags: #StartupStory #StartupOdisha #AmritAcharya #Zetwerk #StartupIndia #ଜେଟ୍‌ୱର୍କ #ଷ୍ଟାର୍ଟଅପଷ୍ଟୋରି #ଅମୃତଆଚାର୍ଯ୍ୟ

Comment