ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ପ୍ରଚାର ସରିଛି ଏବଂ ପ୍ରସ୍ତୁତି ମଧ୍ୟ ସରିଛି। ଆସନ୍ତାକାଲି ସକାଳ ୭ଟାରୁ ଉପନିର୍ବାଚନ ପାଇଁ ମତଦାନ କରିବେ ପଦ୍ମପୁର ଭୋଟର।

ଡିସେମ୍ବର ୫ ତାରିଖ ସକାଳ ୭ଟାରୁ ଆରମ୍ଭ ହେବ ପଦ୍ମପୁର ପରୀକ୍ଷା। ସୋମବାର ଦିନ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ ପାଇଁ ମୋଟ ୩୧୯ଟି ବୁଥ ବ୍ୟବସ୍ଥା କରାଯାଇଛି। ଏଥିରେ ୬ଟି ପିଙ୍କ ବୁଥ୍ ଏବଂ ୧୫ଟି ମଡେଲ ବୁଥ ରହିଛି। ମୋଟ ବୁଥ ମଧ୍ୟରୁ ଝାରବନ୍ଧ ବ୍ଲକରେ ୭୪ଟି, ପାଇକମାଳରେ ୧୧୦ଟି, ରାଜବୋଡାସମ୍ବରରେ ୧୨୨ଟି ଏବଂ ପଦ୍ମପୁର ଏନଏସିରେ ୧୩ଟି ବୁଥରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି। ପଦ୍ମପୁର ଉପନିର୍ବାଚନ ପରିଚାଳନା ନିମନ୍ତେ ୩୬୦ ପୋଲିଂ ପାର୍ଟିକୁ ନିଯୁକ୍ତ କରାଯାଇଛି।

ପଦ୍ମପୁର ଉପନିର୍ବାଚନର ପ୍ରସ୍ତୁତିକୁ ନେଇ ରବିବାର ଦିନ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ। ଉପନିର୍ବାନ ଲାଗି ୧,୨୭୬ ପୋଲିଂ ଅଧିକାରୀ ବୁଥରେ ନିଯୁକ୍ତ ହୋଇସାରିଛନ୍ତି। ଚେକିଂ କାର୍ଯ୍ୟ କଡ଼ାକଡ଼ି କରିବାକୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯାଇଛି। କିଛି ବୁଥର ନାମକୁ ପରିବର୍ତ୍ତନ କରାଯାଇଛି। ଏହି ଉନିର୍ବାଚନରେ ଭୋଟିଂ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସୋମବାର ସକାଳ ୭ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ କରିବେ ପଦ୍ମପୁର ଭୋଟର। ନିର୍ବାଚନ ପାଇଁ ସମସ୍ତ ମଦ କାଉଣ୍ଟର ବନ୍ଦ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ମତଦାନ କରିବା ଲାଗି ୧୨ଟି ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟପତ୍ରର ଆବଶ୍ୟକତା ରହିଛି। ଭିନ୍ନକ୍ଷମ ଭୋଟରଙ୍କୁ ଘରୁ ଆଣିବା ଏବଂ ଛାଡ଼ିବା ଲାଗି ଗାଡ଼ିର ବ୍ୟବସ୍ଥା କରାଯାଇଛି। ୧୨୦ଟି ବୁଥରେ ୱେବ କାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ବୁଥଗୁଡ଼ିକରେ ୧,୪୧୩ ପୋଲିସ ଏବଂ ୯ ସିଆରପିଏଫ କମ୍ପାନି ନିଯୁକ୍ତ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ଡିସେମ୍ବର ୫ ତାରିଖରେ ଭୋଟ ଗ୍ରହଣ ଏବଂ ୮ ତାରିଖରେ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ। ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି।

Tags: #Politics #OdishaPolitic #PadampurByElection #Voting

Comment