ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଟଙ୍କା ଲୁଟ ଅଭିଯୋଗରେ ଜୟପୁର ସଦର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୩ ଲକ୍ଷ ଟଙ୍କା ଏବଂ ଗୋଟିଏ ବାଇକ୍ ଜବତ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମର ଏ. ତରୁଣ ଓ ପ୍ରେମ ଦାଶ। ଏ ନେଇ ଶୁକ୍ରବାର ଦିନ ଜୟପୁର ସଦର ଥାନାରେ ଏସଡିପିଓ ଅରୂପ ଅଭିଷେକ ବେହେରା ସାମ୍ବାଦିକ ସମ୍ମିଳନି କରି ସୂଚନା ଦେଇଛନ୍ତି।

ଜୟପୁର ଓସିସି କୋଲନୀର ସନ୍ତୋଷ କୁମାର ଗୌଡ଼ ବ୍ୟାଙ୍କରୁ ୩ ଲକ୍ଷ ୩୦ ହଜାର ଟଙ୍କା ଉଠାଇ ନିଜ ପୁଅ ସହ ବାଇକରେ ଯାଉଥିବା ସମୟରେ ଏଲୋ ବ୍ରିଜ ନିକଟରେ ଉଭୟ କୌଣସି କାରଣରୁ କିଛି ସମୟ ପାଇଁ ଅଟକି ଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ସନ୍ତୋଷଙ୍କ ବାଇକ୍ ଡିକିରେ ଥିବା ଟଙ୍କା ଲୁଟି ଚମ୍ପଟ ମାରିଥିଲେ। ସନ୍ତୋଷ ଏବଂ ତାଙ୍କ ପୁଅ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ କିଛି ଲୋକ ଏବଂ ଦୁଇ ଜଣ ପୋଲିସ କର୍ମଚାରୀ ଲୁଟେରାଙ୍କ ପିଛା କରିଥିଲେ।

ଟଙ୍କା ନେଇ ଚମ୍ପଟ ମାରୁଥିବା ଦୁଇ ଅଭିଯୁକ୍ତ କୌଣସି ଉପାୟ ନପାଇ ରାସ୍ତା କଡ଼ରେ ଥିବା ଡ୍ୟାମକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଦୁଇ ଜଣଙ୍କୁ ଉଦ୍ଧାର କରିବା ପରେ ଗିରଫ କରିଥିଲା। ଅଭିଯୁକ୍ତମାନେ ବାହାର ଜିଲ୍ଲାର ହୋଇଥିବାରୁ ସେମାନଙ୍କର ସ୍ଥାନୀୟ ସହଯୋଗୀ ରହିଥିବା ପୋଲିସ ସନ୍ଦେହ କରୁଛି।

Tags: #Jeypure #TwoArrest #MoneyRobbery #PoliceSeized3lakhs

Comment