ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଂଗ୍ରେସ ଏକାଠି ଲଢ଼ିଲା, ପୂରା ଦମରେ ଲଢ଼ିଲା। କଂଗ୍ରେସର ରଣନୀତି ଆଗରେ ଫେଲ୍‌ ମାରିଲା ବିଜେପିର ସବୁ ଷ୍ଟ୍ରାଟେଜି।

କର୍ଣ୍ଣାଟକର ପ୍ରାକ୍ ନିର୍ବାଚନୀ ସର୍ଭେ କଂଗ୍ରେସ ସପକ୍ଷରେ ଥିଲା। ତଥାପି ବିଜେପି ପୂରା ଦମ୍ ଲଗାଇଦେଇଥିଲା କୌଣସି ମତେ କଂଗ୍ରେସକୁ କ୍ଷମତାକୁ ଦୂରରେ ରଖିବା ପାଇଁ। କିନ୍ତୁ ଭୋଟର ଏଥର କଂଗ୍ରେସ ଉପରେ ଭରସା କଲେ। ମୋଦୀଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି କର୍ଣ୍ଣାଟକର ଭୋଟର।

ଏକାଠି ଲଢ଼ିଲେ ଜିତିଲେ

କଂଗ୍ରେସ ସବୁ ବେଳେ ଅନ୍ତର୍ଦ୍ଵନ୍ଦ୍ଵ ପାଇଁ ନିନ୍ଦିତ। ସେଥିପାଇଁ ଅନେକ ସମୟରେ ଜିତିବା ବାଜି ବି ହାରିବାର ନଜରି ରହିଛି। କିନ୍ତୁ କର୍ଣ୍ଣାଟକ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ଥିଲା। କର୍ଣ୍ଣାଟକ ପୂର୍ବରୁ ହୋଇଥିବା ସବୁ ରାଜ୍ୟ ନିର୍ବାଚନଗୁଡ଼ିକରେ ବିଜେପି ଜିତିଥିବାରୁ କର୍ଣ୍ଣାଟକ ନିର୍ବାଚନ ବି ଜିତିବ ବୋଲି ଦୃଢ଼ ଆଶାବାଦୀ ଥିଲା। ଏଥର କଂଗ୍ରେସ ନଜର ପରିପକ୍ଵତା ଦେଖାଇଥିଲା ଏବଂ ନିର୍ବାଚନ ଜିତିବା ପାଇଁ କୌଣସି ସୁଯୋଗର ହାତଛଡ଼ା କରିନଥିଲା। କଂଗ୍ରେସ ଏଠାରେ ସବୁନେତାଙ୍କୁ ଏକାଠି କରି ଲଢ଼ିଥିଲା।

ନିର୍ବାଚନୀ ପ୍ରତିଶ୍ରୁତି ଉପରେ ଭରସା

କଂଗ୍ରେସର ନିର୍ବାଚନ ପ୍ରତିଶ୍ରୁତି କର୍ଣ୍ଣାଟକ ଭୋଟରଙ୍କୁ ବେଶ ପସନ୍ଦ ଆସିଥିଲା। ମହିଳା, ଯୁବକ ସବୁ ବର୍ଗକୁ ଗୁରୁତ୍ଵ ଦେଇ କଂଗ୍ରେସ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିଥିଲା। ଯେମିତି ଗୃହଜ୍ୟୋତି ଯୋଜନାରେ ସବୁ ଘରକୁ ୨୦୦ ୟୁନିଟ ମାଗଣା ବିଜୁଳି, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତି ଘରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କାର ସହାୟତା, ଅନ୍ନଭାଗ୍ୟ ଯୋଜନାରେ ପ୍ରତି ବିପିଏଲ୍ ପରିବାରକୁ ମାସିକ ୧୦ କେଜିର ଖାଦ୍ୟଶସ୍ୟ ପ୍ରଦାନ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା।

ଏହା ସହିତ ଯୁବନିଧି ଯୋଜନାରେ ବେକାର ଯୁବକଯୁବତୀଙ୍କୁ ମାସିକ ୩ ହଜାର ଟଙ୍କାର ଆର୍ଥିକ ସହାୟତା ଓ ଶକ୍ତି ଯୋଜନା ଅନୁସାରେ ମହିଳାଯାତ୍ରୀଙ୍କୁ ସରକାରୀ ବସ୍‌ରେ ମାଗଣାଯାତ୍ରା ସୁବିଧା ଭୋଟରଙ୍କୁ ପସନ୍ଦ ଆସିଥିଲା। ଏହି ପ୍ରତିଶ୍ରୁତି ପାଇଁ କଂଗ୍ରେସକୁ ଗତ ନିର୍ବାଚନ ତୁଳନାରେ ୩ ପ୍ରତିଶତ ଅଧିକ ଭୋଟ୍ ଦେଇଛନ୍ତି। ଏହି ୩ ପ୍ରତିଶତ ଭୋଟ୍ ପାଖାପାଖି ୫୦ ଭୋଟ୍ ଅଧିକ ଆସନରେ ପରିଣତ କରିଛି।

ଦଳ ବଦଳ ଓ ଲିଙ୍ଗାୟତ ରାଜନୀତି

ବିଜେପିର ତ୍ରୁଟି ପାଇଁ କଂଗ୍ରେସକୁ ଅଧିକ ଶକ୍ତି ମିଳିଥିଲା। କଂଗ୍ରେସ ବିଜେପିର ତ୍ରୁଟିକୁ ସୁଯୋଗ ଭାବେ ଗ୍ରହଣ କରିଥିଲା। ୨୦୦୭ରେ ଜେଡିଏସ୍ ବିଜେପିକୁ ଧୋକ୍କା ଦେଇଥିଲା। ଫଳରେ ଲିଙ୍ଗାୟତ ନେତା ୟେଦିୟୁରପ୍ପାଙ୍କୁ ଅପମାନିତ ହେବାକୁ ପଡ଼ିଥିଲା। ଫଳରେ ପର ନିର୍ବାଚନରେ ଲିଙ୍ଗାୟତଙ୍କ ସମର୍ଥନ ବିଜେପି ପ୍ରତି ବଢ଼ିବା ସହ ପୂର୍ଣ୍ଣ ବହୁମତରେ ବିଜେପି ସରକାର କରିଥିଲା।

କିନ୍ତୁ ଏହି ନିର୍ବାଚନରେ ବିଜେପି ଲିଙ୍ଗାୟତ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର, ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସବାଡ଼ି ଓ କାର୍ଡି ସଙ୍ଗାମ୍ନାଙ୍କୁ ଟିକଟ ଦେବାକୁ ମନା କରିଦେଇଥିଲା। ସେମାନଙ୍କୁ କଂଗ୍ରେସ ଟିକଟ ଓ ସମ୍ମାନ ଦେଇ ସ୍ଵାଗତ କରିଥିଲା। ସେମାନେ କଂଗ୍ରେସର ଶକ୍ତି ବୃଦ୍ଧି କରିଥିଲେ।

ମୁସଲିମ୍ କୋଟା

ଜାତି ସହ ଧର୍ମ ଆଧାରରେ ବି ଭୋଟ୍ ହୁଏ କର୍ଣ୍ଣାଟକ ନିର୍ବାଚନରେ। ମୁସ୍‌ଲିମ କୋଟା ଉଚ୍ଛେଦ ବିଜେପି ପାଇଁ ଘାଟା ହୋଇଥିଲା। ମୁସ୍‌ଲିମ୍‌ଙ୍କ ପାଇଁ ଉଦ୍ଦିଷ୍ଟ ୪ ପ୍ରତିଶତ କୋଟା ଉଚ୍ଛେଦ କରିଦେଇଥିଲେ କର୍ଣ୍ଣାଟକର ବିଜେପି ସରକାର। କଂଗ୍ରେସ ଏହାକୁ ପୁନଃକାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଏଥିପାଇଁ କଂଗ୍ରେସ ସପକ୍ଷରେ ଭୋଟ୍ ପଡ଼ିଛି ବୋଲି ଅନୁମାନ କରାଯାଉଛି।

ବଢ଼ିଲା ରାହୁଲଙ୍କ ଗ୍ରହଣୀୟତା

ସ୍ଥାନୀୟ ପ୍ରସଂଗକୁ ନେଇ ନିର୍ବାଚନ ଲଢ଼ିଥିଲା କଂଗ୍ରେସ। ମୋଦୀ ବିଶାଳ ରାଲିରେ ଲୋକଙ୍କୁ ସମ୍ବୋଧିତ କରିଥିବା ବେଳେ ରାହୁଲ ଲୋକଙ୍କ ଭିତରେ ଓହ୍ଲାଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ବସ୍‌ରେ ଯାତ୍ରା କରି ମହିଳାମାନଙ୍କ ସହ ଅସୁବିଧା ପଚାରିଥିଲେ। କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ସେ ବୁଲିବୁଲି କହିଥିଲେ।

କଲେଜ ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କ ପାଇଁ  କଂଗ୍ରେସ କ’ଣ କରିବାକୁ ଚାହୁଁଛି ତାହା ବୁଝାଇଥିଲେ ଓ ସେମାନଙ୍କ ମନ ଜିତିଥିଲେ। ମୋଦି ମେଗାରୋଡ୍ ସୋ’ କରି ଫେରିବା ପରେ ରାହୁଲ କିନ୍ତୁ ରାସ୍ତାକଡ଼ ସିସିଡିରେ କଫି ପିଇବା ଅବସରରେ ଭୋଟରଙ୍କ ସହ ପ୍ରତ୍ୟକ୍ଷ ଭାବେ କଥା ହୋଇଥିଲେ। ରାହୁଲଙ୍କ ଏହି ବ୍ୟକ୍ତିତ୍ଵ ଭୋଟରଙ୍କୁ ବେଶ ପସନ୍ଦ ଆସିଥିଲା।

ତ୍ରୁଟିର ତତ୍‌କାଳ ସଂଶୋଧନ

ବଜରଙ୍ଗବଲୀଙ୍କୁ କଂଗ୍ରେସ ବ୍ୟାନ କରିଥିବା ପ୍ରସଂଗକୁ ନେଇ ବିଜେପି ହିନ୍ଦୁ ଭୋଟ୍‌ର ଧ୍ରୁବୀକରଣ କରିବାକୁ ଚେଷ୍ଟା କରିଥିଲା। ଏହାକୁ ନେଇ ବିଜେପି ସପକ୍ଷରେ ହାଓ୍ଵା ବହିବା ଆରମ୍ଭ ହୋଇଥିଲା। କିନ୍ତୁ କଂଗ୍ରେସ ତା’ର ତ୍ରୁଟିକୁ ତତ୍କାଳ ସଂଶୋଧନ କରିବାକୁ ଚେଷ୍ଟା କରିଥିଲା। କଂଗ୍ରେସ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ ଯେ କଂଗ୍ରେସ ସରକାରକୁ ଆସିଲେ ସବୁ ଜିଲ୍ଲାରେ ବଜରଙ୍ଗବଲୀ ମନ୍ଦିର ତିଆରି କରିବ। ଏହା ପରେ ବଜରଙ୍ଗବଲୀ ବିବାଦ ଥମିଯାଇଥିଲା।

ବିଜେପି ବିରୋଧରେ ଦୁର୍ନୀତିର ପାହାଡ଼

ବିଜେପି ବିରୋଧରେ ଭୋଟ୍ ଯିବାର ବଡ଼ କାରଣ ହେଉଛି ଦୁର୍ନୀତି ଅଭିଯୋଗ। କଂଗ୍ରେସ ବିଜେପି ସରକାର ବିରୋଧରେ ୪୦ ପ୍ରତିଶତ ଦୁର୍ନୀତିର ଅଭିଯୋଗ ଆଣିଥିବା ବେଳେ ଅନେକ କ୍ଷେତ୍ରରେ ଲୋକେ ଏହି ଅଭିଯୋଗକୁ ବିଶ୍ଵାସ କରିଥିଲେ। ୪୦ ପ୍ରତିଶତର ପିସି ଦେବାକୁ ପଡୁଛି ବୋଲି ବହୁ ଠିକାଦାର ଅଭିଯୋଗ କରିଆସିଥିଲେ। ଦୁର୍ନୀତି ପ୍ରସଂଗ ସରକାର ବିରୋଧୀ ଜନ ଅସନ୍ତୋଷକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥିଲା।

Tags: #Politics #IndianPolitics #KarnatakPolitics #BJP #Congress

Comment