ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କର୍ଣ୍ଣାଟକ ବିଜେପି ହାତରୁ ଚାଲିଯିବା ସହ ବିଜେପିର ‘ଦକ୍ଷିଣ ଯୋଜନା’କୁ ଲାଗିଛି ବଡ଼ ଝଟକା।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଜେପି ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ଥିଲା। କର୍ଣ୍ଣାଟକରେ ପ୍ରତି ନିର୍ବାଚନରେ ସରକାର ବଦଳିବାର ରେକର୍ଡ ଥିଲେ ମଧ୍ୟ ବିଜେପି ଏହାକୁ କୌଣସି ମତେ ହାସଲ କରିବା ପାଇଁ ଚାହୁଁଥିଲା। ମୋଦୀଙ୍କ ମେଗା ରାଲି, ଅମିତ ଶାହ ଓ ଜେପି ନଡ୍ଡାଙ୍କ ରଣନୀତି କିନ୍ତୁ କାମ ଦେଲାନାହିଁ।

କର୍ଣ୍ଣାଟକ ବିଜେପି ହାତରୁ ଚାଲିଯିବା ସହ ବିଜେପିର ‘ଦକ୍ଷିଣ ଯୋଜନା’କୁ ଲାଗିଛି ବଡ଼ ଝଟ୍‌କା।

ପୁରୁଣା ନେତାଙ୍କ ପାଇଁ ସରକାର ବିରୋଧୀ ଅନ୍ତଃସ୍ରୋତ ଥିବା ବିଜେପି ଶୀର୍ଷ ନେତୃତ୍ଵ ଅନୁଭବ କରିଥିଲେ। ସେଥିପାଇଁ ପାଖାପାଖି ୬୦ ଜଣ ପୁରୁଣା ନେତାଙ୍କ ଟିକଟ କାଟି ଦେଇଥିଲା ବିଜେପି। ନୂଆ ଚେହେରାଙ୍କ ଉପରେ ଭରସା କରିଥିଲେ ମଧ୍ୟ ଦଳକୁ ଏଥିରୁ ସଫଳତା ମିଳିନାହିଁ। ବରଂ ରାହୁଲ, ପ୍ରିୟଙ୍କା ଓ ସୋନିଆଙ୍କ ସମେତ ରାଜ୍ୟର ନେତାମାନଙ୍କ ପାଇଁ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିଛି।

କର୍ଣ୍ଣାଟକ ନିର୍ବାଚନ ଜିତିଥିଲେ ଆଗକୁ ଥିବା ବିଧାନସଭା ନିର୍ବାଚନଗୁଡ଼ିକ କଂଗ୍ରେସ ସହ ମୁକାବିଲା କରିବା ବିଜେପି ପାଇଁ ସହଜ ହୋଇଥାନ୍ତା। କାରଣ କର୍ଣ୍ଣାଟକ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ଗୋଟିଏ କରିଡରରେ ଥିବାବେଳେ ଏହି ବିଧାନସଭା ନିର୍ବାଚନଗୁଡ଼ିକୁ ଯେମିତି ହେଲେ ବି ଜିତିବାକୁ ଚାହୁଁଥିଲା ବିଜେପି। ସେହି ଅନୁସାରେ ପ୍ଲାନ୍ ପ୍ରସ୍ତୁତ କରିଥିଲା ବିଜେପି। କର୍ଣ୍ଣାଟକ ହାତରୁ ଚାଲିଗଲା ପରେ ଆପାତତଃ ସେ ପୁରୁଣା ପ୍ଲାନ ଆଉ କାମ କରିବ ନାହିଁ ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଇଛନ୍ତି।

ନଭେମ୍ବରରେ ତେଲେଙ୍ଗାନାରେ ବିଧାନସଭା ନର୍ବାଚନ

ଆଉ ଏକ ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ଆସନ୍ତା ନଭେମ୍ବରରେ ବିଧାନସଭା ନିର୍ବାଚନ ହେବ। ଏଠାରେ ଟିଆର୍‌ଏସର ସରକାର ରହିଛି। କର୍ଣ୍ଣାଟକରେ ଯଦି ବିଜେପି ଜିତିଥାନ୍ତା ତେବେ ତେଲେଙ୍ଗାନାରେ ଅନ୍ୟ ଦଳର ନେତାଙ୍କୁ ନିଜ ଦଳରେ ସାମିଲ କରାଇବା ସହଜ ହୋଇଥାନ୍ତା। କିନ୍ତୁ କର୍ଣ୍ଣାଟକରେ ବିଜେପି ହାରିବା ପରେ ଅନ୍ୟ ଦଳର ନେତାଙ୍କୁ ଆକର୍ଷିତ କରିବା ବିଜେପି ପାଇଁ ବହୁତ କଷ୍ଟ ହେବ।

ବିଜେପିର ପରାଜୟ ଦକ୍ଷିଣର ଆଞ୍ଚଳିକ ଦଳକୁ ଅଧିକ ବଳ ଦେବ, ବିଜେପି ସହ ବାର୍ଗେନିଂ କରିବା ପାଇଁ। ଏହା ସହିତ ଯେଉଁମାନେ ବିଜେପିରେ ମିଶିବା ପାଇଁ ଚାହୁଁଥିବେ, ଏବେ କଂଗ୍ରେସର ବିଜୟ ସେମାନଙ୍କ ପାଦ ପଛକୁ ଟାଣିବ। ଏଠାରେ କେସିଆର୍‌ଙ୍କୁ ହରାଇବା ବିଜେପି ପାଇଁ ସହଜ ହେବନାହିଁ ବୋଲି ରାଜନୀତି ସମୀକ୍ଷକଙ୍କ ମତ। ଏହା ସହିତ ବିଜେପିର ହିନ୍ଦୁତ୍ଵ ଏଜେଣ୍ଡା ଦକ୍ଷିଣରେ ବେଶୀ ପ୍ରଭାବଶାଳୀ ନୁହେଁ।

ଆଞ୍ଚଳିକ ଦଳଗୁଡ଼ିକ ସ୍ଥାନୀୟ ପ୍ରସଂଗକୁ ନେଇ ରାଜନୀତି କରୁଥିବାରୁ ସେମାନଙ୍କ ପ୍ରଭାବ ଅଧିକ। କର୍ଣ୍ଣାଟକ ବିଜୟ ପରେ କଂଗ୍ରେସକୁ କିଛି ମାତ୍ରାରେ ଆଗକୁ ବଢ଼ିବାର ଗତି ମିଳିବାର ସମ୍ଭାବନା ରହିଛି। ବିଜେପିର କର୍ଣ୍ଣାଟକ ପରାଜୟ ତାମିଲନାଡୁରେ ମଧ୍ୟ ଦଳର ସ୍ଥିତିକୁ ଦୁର୍ବଳ କରିବ। ଉତ୍ତର ଓ ଉତ୍ତରପୂର୍ବ ଭାରତୀୟ ରାଜ୍ୟଗୁଡ଼ିକରେ ବିଜେପି ଶୀର୍ଷରେ ପହଞ୍ଚିସାରିଛି।

ଆଗକୁ ଖସିବାର ସମୟ ଥିବାରୁ ଦକ୍ଷିଣରୁ ଉତ୍ତରର କ୍ଷତି ଭରଣା ପାଇଁ ବିଜେପି ଚିନ୍ତା କରୁଥିଲା। କିନ୍ତୁ କର୍ଣ୍ଣାଟକ ବଡ଼ ଝଟକା ଦେବା ସହ ମୋଦୀଙ୍କ ଲୋକପ୍ରିୟତାକୁ ପ୍ରତ୍ୟାଖ୍ୟାନ କରିଥିବାରୁ ତାହା ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି। ସାଧାରଣ ନିର୍ବାଚନ ପାଇଁ ଅନ୍ୟ କିଛି ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଇଛନ୍ତି।

କର୍ଣ୍ଣାଟକରେ ଗତ ସାଧାରଣ ନିର୍ବାଚନରେ ୨୮ ଆସନରୁ ବିଜେପି ୨୫ଟି ଆସନ ଜିତିଥିଲା। ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କର୍ଣ୍ଣାଟକ ନିର୍ବାଚନ ଜିତିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା ବିଜେପି। ଏବେ କର୍ଣ୍ଣାଟକରେ କଂଗ୍ରେସର ସଫଳତା ପରେ ଏଠାରେ ଶାସନ କ୍ଷମତାକୁ ଫେରିବା ସହ ଦକ୍ଷିଣରେ ନିଜର ଆଧିପତ୍ୟ ପୁଣି ବିସ୍ତାର କରିବା ଆଶାରେ ରହିଛି ଦଳ।

Tags: #Politics #IndianPolitics #KarnatakPolitics #BJP #Congress

Comment