ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ମଧ୍ୟ ମିଳିବ ‘ମୋ ବସ’ ସେବା। ଏବେ ରାଜ୍ୟ ସରକାର ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରୁ ନିକଟସ୍ଥ ବ୍ଲକ ଯାଏଁ ‘ମୋ ବସ’ ସେବା ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ଏନେଇ ବୁଧବାର ଦିନ ରାଜ୍ୟ ବାଣିଜ୍ୟ ଓ ସଡ଼କ ପରିବହନ ବିଭାଗ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି।

“ଓଡ଼ିଶାର ଗ୍ରାମାଞ୍ଚଳର ଲୋକମାନଙ୍କୁ ଉତ୍ତମ ପରିବହନ ସେବା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଲକ୍ଷ୍ମୀ ଯୋଜନା’ ଆରମ୍ଭ କରାଯିବ। ଏଥିରେ ପ୍ରତି ବ୍ଲକରୁ ଏହା ଅଧିନରେ ଥିବା ଗ୍ରାମ ପଞ୍ଚାୟତଗୁଡ଼ିକୁ ‘ମୋ ବସ’ ସେବା ଯୋଗାଇ ଦିଆଯିବ। ଏହାଦ୍ଵାରା ଗ୍ରାମାଞ୍ଚଳର ସହରାଞ୍ଚଳ ସହ ଯୋଗାଯୋଗ ଆହୁରି ଭଲ ହୋଇପାରିବ”, କହିଛନ୍ତି ଉଷା ପାଢ଼ୀ।

ସେ ଆହୁରି ମଧ୍ୟ କହିଛନ୍ତି, “ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬ଟି ଜିଲ୍ଲାରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଏଥିରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ସାମିଲ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିରେ ଏହି ଯୋଜନା ଲାଗୁ କରାଯିବ।”

ତେବେ ପ୍ରଥମ ପର୍ଯ୍ୟାୟରେ ବ୍ଲକଗୁଡ଼ିକୁ ପଞ୍ଚାୟତ ସହ ସଂଯୋଗ କରିବା ପାଇଁ କେତେ ବସ ଚାଲିବ ଏବଂ ଏହାର ଭଡ଼ା କେତେ ରହିବ ସେନେଇ ପରିବହନ ବିଭାଗ ପକ୍ଷରୁ କିଛି ଘୋଷଣା କରାଯାଇନାହିଁ।

ଓଡ଼ିଶାରେ ଏବେ ଭୁବନେଶ୍ଵର, କଟକ, ପୁରୀ, ରାଉରକେଲା ଭଳି ବଡ଼ ବଡ଼ ସହରରେ ‘ମୋ ବସ’ ସେବା ମିଳୁଛି। ଅନ୍ୟପଟେ ଆଗକୁ ଗଞ୍ଜାମ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଏହି ବସ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଓଡ଼ିଶାରେ ୩୦ଟି ଜିଲ୍ଲାରେ ୩୧୪ଟି ବ୍ଲକ ରହିଛି। ଏହି ବ୍ଲକଗୁଡ଼ିକ ଅଧିନରେ ମୋଟ ୬,୭୯୮ଟି ପଞ୍ଚାୟତ ଅଛି। ତେବେ ଏହି ପଞ୍ଚାୟତଗୁଡ଼ିକରେ ‘ମୋ ବସ’ ସେବା ମିଳିଲେ ଲୋକଙ୍କ ଯିବା ଆସିବା ସୁବିଧାଜନକ ହୋଇପାରିବ ବୋଲି ଆଶା କରାଯାଉଛି।

Tags: #MOBusService #Grampanchayats #LaxmiScheme #Commerce&TransportDept #Odisha

Comment