ଓଡ଼ିଶାଲାଇଭ୍ ବ୍ୟୁରୋ

ଚାହୁଁ ଚାହୁଁ ମାତ୍ର କିଛି ସମୟ ମଧ୍ୟରେ ସବୁକିଛି ଛାରଖାର କରିଦେଲା ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା। ଏହି ଦୁର୍ଘଟଣା ଅନେକ ଜୀବନ ନେଲା, ଅନେକଙ୍କୁ ଆହତ ମଧ୍ୟ କଲା। ଏବେ ଶବ କୁଢ଼ରୁ ନିଜ ପ୍ରିୟଜନଙ୍କୁ ଖୋଜିବାକୁ ପ୍ରୟାସ ଚଳାଇଛନ୍ତି ପରିବାର ଲୋକ।

କିଏ ପରିବାର ସହ ଫୋନରେ କଥା ହେଉଥାଏ, ଆଉ କିଏ ଟ୍ରେନରୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଥାଏ। କିଏ ଜାଣିଥିଲା କିଛି କ୍ଷଣ ମଧ୍ୟରେ ସବୁକିଛି ଓଲଟପାଲଟ ହୋଇଯିବ। ହସଖୁସିରେ ଯାଉଥିବା ମଣିଷ ଶବ ପାଲଟିଯିବ।

ଏହି ଦୁର୍ଘଟଣା ପରେ କିଏ ନିଜ ସ୍ଵାମୀକୁ ଖୋଜୁଛି ତ ଆଉ କିଏ ନିଜ ପୁଅକୁ। ହୃଦୟ ଫଟା କାନ୍ଦବୋବାଳିରେ ଫାଟିପଡ଼ୁଛି ଶବାଗାର ପରିସର। ରକ୍ତ ଜୁଡ଼ୁବୁଡ଼ ଜରିଗୁଡ଼ା ମରଶରୀରଗୁଡ଼ିକ ଭିତରୁ ନିଜର ଲୋକଙ୍କୁ ଖୋଜିବାରେ ଲାଗିପଡ଼ିଛନ୍ତି ପରିବାର ଲୋକ।

ହାତରେ ଜରି ବ୍ୟାଗ ଗୋଟେ ଧରି ଅସହାୟ ବାପାଟିଏ ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ରହିଥିବା ମୃତଦେହ ମଧ୍ୟରୁ ନିଜ ପୁଅକୁ ଖୋଜି ଚାଲିଥିଲେ। ନା କୋହ ସମ୍ଭାଳୁଥିଲା ନାଁ ଲୁହ। ଗୋଟିଏ ଅସହାୟ ବୃଦ୍ଧ ବାପାର ଅବସ୍ଥା ଦେଖି ଦେଖଣାହାରୀଙ୍କ ଆଖିରେ ମଧ୍ୟ ଲୁହ ଜକେଇ ଆସୁଥିଲା।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଗୋ ଗ୍ରାମର ଜଣେ ବୃଦ୍ଧ ନିଜ ପୁଅକୁ ଖୋଜିବାକୁ ପହଞ୍ଚିଥିଲେ ବାହାନଗାରେ। ମୃତଦେହ ରଖାଯାଇଥିବା ସ୍କୁଲ ଘରକୁ ଯାଇ ପୁଅକୁ ଖୋଜିଥିଲେ। କାନ୍ଦି କାନ୍ଦି କହୁଥିଲେ “କେତେ ଖୋଜିଲିଣ ମୋ ପୁଅକୁ ପାଉନି।”

ସେହପରି ଆଉ ଜଣେ ମହିଳା କାନ୍ଦି କାନ୍ଦି ନିଜ ସ୍ଵାମୀଙ୍କୁ ଖୋଜୁଥିଲେ। ତାଙ୍କ ସ୍ଵାମୀ ସିଆରପିଏଫରେ ଚାକିରି କରନ୍ତି। ଟ୍ରେନିଂ ପାଇଁ କରମଣ୍ଡଳ ଏକ୍ସପ୍ରେସରେ ଖଡ଼ଗପୁର ଯାଉଥିଲେ। ଟିଭିରେ ଦୁର୍ଘଟଣା ଖବର ଦେଖି ମହିଳା ଜଣକ ନିଜ ସ୍ଵାମୀଙ୍କୁ ବହୁତ ବାର କଲ୍ କରିଥିଲେ, କିନ୍ତୁ ସେ ଉତ୍ତର ଦେଇନଥିଲେ। ଦୁର୍ଘଟଣାର ପରଦିନ(ଶନିବାର) ତାଙ୍କ ନିକଟକୁ ଫୋନ କଲ୍ ଆସିଥିଲା ବାହାନଗା ଆସିବାକୁ।

ମହିଳା ଜଣକ ବାହାନଗାରେ ପହଞ୍ଚି ସ୍ଵାମୀଙ୍କୁ ବହୁତ ଖୋଜିଲେ କେବଳ ତାଙ୍କ ବ୍ୟାଗ ଏବଂ ଫୋନ ପାଇଲେ, ହେଲେ ସ୍ଵାମୀଙ୍କୁ ପାଇଲେ ନାହିଁ। ସମସ୍ତଙ୍କୁ କାନ୍ଦି କାନ୍ଦି ନେହୁରା ହେଇ କହୁଥିଲେ, “କିଏ ଟିକେ ମୋ ସ୍ଵାମୀଙ୍କୁ ଖୋଜି ଆଣିଦିଅ।”

ଛାତି ଥରାଇ ଦେଲାଭଳି କରଣୁଦୃଶ୍ୟ ଆଜି ଭୁବନେଶ୍ଵରର ବିଭିନ୍ନ ଶବାଗାର ସାମ୍ନାରେ ଦେଖିବାକୁ ମିଳିଛି। ଟେବୁଲ ଉପରେ ରଖାଯାଇଥିବା ମୃତକଙ୍କ ଫୋଟ ଧରି ନିଜ ନିଜର ଲୋକଙ୍କୁ ଖୋଜୁଛନ୍ତି ପରିବାର ଲୋକ। କାନ୍ଦ ବୋବାଳିରେ ଫାଟିପଡ଼ୁଛି ପରିସର।

ଶୁକ୍ରବାର ଦିନ ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ୨୭୫ ଜଣ ପ୍ରାଣ ହରାଇଛନ୍ତି। ୧୦୦୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୮୮ ଜଣଙ୍କର ମୃତଦେହ ଚିହ୍ନଟ ହୋଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଏହା ମଧ୍ୟରୁ ୧୭୨ ଜଣଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ଵରକୁ ଅଣାଯାଇଛି। ବିଭିନ୍ନ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ମୃତଦେହ ରଖାଯାଇଛି।

ରାଜ୍ୟ ବାହାରୁ ନିଜ ପ୍ରିୟଜନଙ୍କୁ ଖୋଜିବା ପାଇଁ ଭୁବନେଶ୍ଵର ଆସୁଛନ୍ତି ପରିବାର ଲୋକ।

ମୃତଦେହ ଚିହ୍ନଟ କରିବା ପାଇଁ ବିଏମସି ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ଏହା ସହ ୩ଟି ଓ୍ଵେବସାଟରେ ମୃତକଙ୍କ ଫଟୋ ଅପଲୋଡ କରାଯାଇଛି।

ଏହି ଓ୍ଵେବସାଟରେ ଜାରି ହୋଇଥିବା ଅଧିକାଂଶ ଫଟୋ ଚିହ୍ନିବା ସମ୍ଭବ ହେଉନାହିଁ। ତଥାପି ନିଜ ଲୋକଙ୍କୁ ଖୋଜିବାକୁ ପ୍ରୟାସ ଚଳାଇଛନ୍ତି।

Tags: #DeadBodyIdentification #BalasoreBahanagaTrainTragedy #Emotion

Comment