ଓଡ଼ିଶାଲାଇଭ୍ ବ୍ୟୁରୋ

ତାମିଲନାଡୁ ସରକାରଙ୍କ ଏକ ୧୫ ଜଣିଆ ଦଳ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ରାଜ୍ୟରେ ହେଉଥିବା ବର୍ଜ୍ୟବସ୍ତୁ ପରିଚାଳନା (ସ୍ୱେରେଜ ଟ୍ରିଟମେଣ୍ଟ) ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଏଥିସହ ଏହି ଦଳର ସଦସ୍ୟମାନେ ସ୍ୱେରେଜ ପରିଚାଳନା କରୁଥିବା ମିଶନ ଶକ୍ତି ଗ୍ରୁପ୍ ମହିଳା ଓ କିନ୍ନରମାନଙ୍କ ସହ ଅଲୋଚନା କରିଥିଲେ। ଏହି ଗସ୍ତ ସମୟରେ ସେମାନେ ଓଡ଼ିଶାର ୨୪ ଘଣ୍ଟିଆ ଟ୍ୟାପ ପାଣି ଯୋଗାଣ ଯୋଜନା ବିଷୟରେ ସେମାନେ ଅବଗତ ହୋଇଥିଲେ।

ତାମିଲନାଡୁର ଏହି ଟିମ୍ ଶନିବାର ଦିନ ଖାରବେଳ ଭବନରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାଥାନନଙ୍କ ସହ ଆଲୋଚନା କରିଥିଲେ। ଏଥିରେ ସେମାନେ ଓଡ଼ିଶାରେ ସେମାନଙ୍କ ଅନୁଭୂତିକୁ କହିବା ସହ ଗାରିମା ଯୋଜନା ଅନ୍ତର୍ଗତ ଗୋଷ୍ଠୀ ସହଭାଗିତାରେ ଚାଲିଥିବା ସ୍ୱେରେଜ ଟାଙ୍କିର ସୁରକ୍ଷା ଓ ସଫେଇକୁ ପ୍ରଶଂସା କରିଥିଲେ।

ଏହି ଦଳ ଶୁକ୍ରବାର ଦିନ ଗୃହ ଓ ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ଏଥିରେ ଅଧିକାରୀମାନେ ସେମାନଙ୍କୁ ଓଡ଼ିଶାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ରାଜ୍ୟରେ ସହରାଞ୍ଚଳ-ଗ୍ରାମାଞ୍ଚଳ ସମ୍ମିଶ୍ରଣ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ କହିଥିଲେ। ଏହି ବୈଠକ ପରେ ଦଳ ଭୁବନେଶ୍ୱରର ବାସୁଆଘାଇରେ ଥିବା ଓଡିଶା ଅର୍ବାନ ଏକାଡେମୀ ଏବଂ ଏଫଏସଟିପି ପରିଦର୍ଶନ କରିଥିଲେ।

ଏହାପରେ ଦ୍ୱିତୀୟ ଦିନରେ ଦଳ କଟକ ମହାନଗର ନିଗମ ପରିଦର୍ଶନ କରି ସ୍ୱେରେଜ ଡିସଲୋଡିଂ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ। ସେମାନେ ଗାରିମା ଗୃହ, ସଫେଇ କର୍ମୀଙ୍କ ବିଶ୍ରାମ ଘରକୁ ପରିଦର୍ଶନ କରିଥିଲେ। ଏହାଛଡ଼ା ସ୍ୱେରେଜ ଏବଂ ସେପ୍ଟିକ୍ ଟ୍ୟାଙ୍କ ସଫା କରିବାରେ ବ୍ୟବହୃତ ପିପିଇ, ସୁରକ୍ଷା ଉପକରଣ ଏବଂ ସଫେଇ ଉପକରଣଗୁଡ଼ିକ ଦେଖିଥିଲେ।

ଶନିବାର ଗୃହ ଓ ରାଜ୍ୟ ନଗର ଉନ୍ନୟନ ସଚିବଙ୍କ ସହ ହୋଇଥିବା ବୈଠକରେ ତାମିଲନାଡୁ ପୌର ପ୍ରଶାସନର ଅତିରିକ୍ତ କମିଶନର ଆର ଲଲିତାଙ୍କ ସହ ଦଳର ନେତୃତ୍ଵ ନେଇଥିବା ତାମିଲନାଡୁ ଗ୍ରାମୀଣ ବିକାଶ ନିର୍ଦେଶକ ପ୍ରଶାନ୍ତ ଏମ ଏସ୍‍ ଯୋଗ ଦେଇଥିଲେ। ଏଥିରେ ଓଡ଼ିଶା ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‍ ନାୟକ, ଅତିରିକ୍ତ ପୌର ସଚିବ ଦୁର୍ଗେଶ ନନ୍ଦିନୀ ସାହୁ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #SewageTreatment #FSTP #TamilnaduTeam #HousingandUrbanDevelopment #Odisha

Comment