ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୧୦ଟି ଜିଲ୍ଲାର ୪୨ଟି ପୌରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ କର୍ମତତ୍ପରତା ଅଭିଯାନ ବା ମୁକ୍ତା ଯୋଜନାର ଦ୍ଵିତୀୟ ପର୍ଯ୍ୟାୟରେ ୧୮୩.୮୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ଦକ୍ଷିଣାଞ୍ଚଳ ଆରଡିସି ଡିଭିଜନରେ ଥିବା ଗଞ୍ଜାମ, ଗଜପତି, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ୨୦୨୩-୨୪ ବର୍ଷରେ ଏହି ପାଣ୍ଠିରୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବ।

ମୁକ୍ତା ଯୋଜନାରେ ଏହି ସବୁ ଜିଲ୍ଲାରେ ଥିବା ମ୍ୟୁନିସିପାଲିଟି ଏବଂ ଏନଏସିର ବିକାଶ ପାଇଁ ବାର୍ଷିକ ରୋଡ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଏହି ପାଣ୍ଠିର ଅର୍ଥ ମାଧ୍ୟମରେ ଏଠାରେ ବିଭିନ୍ନ ପରିବେଶ ଅନୁକୂଳ ଭିତ୍ତିଭୂମି ଯଥା ମିନି ପାର୍କ, ମୁକ୍ତାକାଶ ଜିମ୍, ଛୋଟ ପିଲାଙ୍କ ପାଇଁ ଖେଳ ପଡ଼ିଆ, ଶୌଚାଳୟ ଓ ଭେଣ୍ଡିଂ ଜୋନ୍ ଆଦି ନିର୍ମାଣ କରାଯିବ। ଏହାଛଡ଼ା ଏହି ଟଙ୍କା ବିଭିନ୍ନ ଜଳାଶୟର ବିକାଶ ଓ ବହୁମୁଖୀ ଗୋଷ୍ଠୀ ଉନ୍ନୟନ କେନ୍ଦ୍ର ଆଦି ନିର୍ମାଣ କରିବାରେ ବିନିଯୋଗ କରାଯିବ।

ଏହିସବୁ ପ୍ରକଳ୍ପ ପାଇଁ ଆବଶ୍ୟକତା ଅନୁସାରେ ପରିବେଶକୁ ନଜରରେ ରଖାଯିବ। ଏଥିପାଇଁ ସବୁ ପ୍ରକଳ୍ପର ଉପଯୁକ୍ତ ସମୀକ୍ଷା କରାଯିବ। ମଞ୍ଜୁର ହେଉଥିବା ପ୍ରକଳ୍ପଗୁଡ଼ିକ ମିଶନ ଶକ୍ତି ମହିଳାଙ୍କ ଦ୍ଵାରା ପରିଚାଳିତ ହେବ।

ଓଡ଼ିଶାର ସହରାଞ୍ଚଳରେ ଥିବା ଗରିବ ଓ ବେରୋଜଗାର ଲୋକଙ୍କୁ କାମ ଦେବା ଲକ୍ଷ୍ୟରେ ୨୦୨୦ ମସିହା ଏପ୍ରିଲ ମାସରେ ରାଜ୍ୟ ସରକାର ମୁକ୍ତା ଯୋଜନାର ଆରମ୍ଭ କରିଥିଲେ। ଏହାର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୧୦ଟି ଜିଲ୍ଲାର ୩୭ଟି ପୌରାଞ୍ଚଳ ପାଇଁ ୪୨୩ କୋଟି ୮୭ ଲକ୍ଷ ମଞ୍ଜୁର କରଯାଇଥିଲା। ଆଗକୁ ବାକିଥିବା ଆଉ ୧୦ଟି ଜିଲ୍ଲାର ପୌରାଞ୍ଚଳ ପାଇଁ ରାଜ୍ୟ ସରକାର ଟଙ୍କା ମଞ୍ଜୁର କରିବେ।

Tags: #MUKTAScheme #UrbanLocalBodies #Employmentgeneration #Odisha

Comment