ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ପରିଚାଳନା କରିବା ପାଇଁ ମିଶନ ଶକ୍ତି ଏସଏଚଜି ମହିଳାଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ। ଏଥିପାଇଁ ଜୁନ ୨୨ ତାରିଖରୁ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ (ସିବିଟି) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାସ୍ତରୀୟ ସହରୀ ପରିଚାଳନା କେନ୍ଦ୍ରର ବୈଷୟିକ ସହାୟତାରେ ଏସଏଚଜି ମହିଳାଙ୍କୁ ଏହି ତାଲିମ ଦିଆଯିବ। ଏନେଇ ରାଜ୍ୟ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

“ମୁକ୍ତା ଯୋଜନା ଅନ୍ତର୍ଗତ ଅନୁମୋଦିତ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ମିଶନ ଶକ୍ତି ମହିଳାଙ୍କ ଜ୍ଞାନକୌଶଳ ଏବଂ ଦକ୍ଷତାର ବିକାଶ ହେବା ଗୁରୁତ୍ୱପୂର୍ଣ୍ଣ। ଏହାଦ୍ଵାରା ସେମାନଙ୍କର ପ୍ରକଳ୍ପ ପରିଚାଳନାର ଦକ୍ଷତା ବୃଦ୍ଧି ସହ ବାହ୍ୟ ସହାୟତା ଉପରେ ନିର୍ଭରତା କମିବ। ଏହା ସେମାନଙ୍କୁ ପ୍ରକଳ୍ପ ପରିଚଳନାରେ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ ଖୋଜିବା ପାଇଁ ସଶକ୍ତ କରିବ”, କହିଛନ୍ତି ମୁକ୍ତା ଯୋଜନାର ନୋଡାଲ ଅଧିକାରୀ ସାରଦା ପ୍ରସାଦ ପଣ୍ଡା।

ମୁକ୍ତା ଯୋଜନା ଅନ୍ତର୍ଗତ ହେବାକୁଥିବା ପ୍ରକଳ୍ପଗୁଡ଼ିକ ମିଶନ ଶକ୍ତି ଏସଏଚଜି ମହିଳା ଓ ବସ୍ତି ବିକାଶ ସଂଘର ମହିଳାଙ୍କ ଦ୍ଵାରା ପରିଚାଳିତ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୨୩ ଡିସେମ୍ବର ମାସ ସୁଦ୍ଧା ସବୁ ଅନୁମୋଦିତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଯୋଜନା ରଖିଛନ୍ତି।

ଓଡ଼ିଶାର ସହରାଞ୍ଚଳରେ ଥିବା ଗରିବ ଲୋକଙ୍କୁ ରୋଜଗାର କ୍ଷମ କରିବା ଲକ୍ଷ୍ୟରେ ୨୦୨୦ ମସିହା ଏପ୍ରିଲ ମାସରେ ରାଜ୍ୟ ସରକାର ମୁକ୍ତା ଯୋଜନାର ଆରମ୍ଭ କରିଥିଲେ। ଏହି ଯୋଜନା ଅନ୍ତର୍ଗତ ରାଜ୍ୟର ୧୧୫ଟି ପୌରାଞ୍ଚଳ ପାଇଁ ୩ଟି ପର୍ଯ୍ୟାୟରେ ୮୩୩.୨୧ କୋଟି ମଞ୍ଜୁର କରାଯାଇଛି। ଏହି ଅର୍ଥ ବିନିଯୋଗ କରି ଚଳିତ ଆର୍ଥିକ ବର୍ଷରେ ସବୁ ପୌରାଞ୍ଚଳରେ ୧୦ ହଜାର ୯୪୫ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

Tags: #MUKTAScheme #MissionShaktiWomens #SkillDevelopmentTraining #Employmentgeneration #Odisha

 

Comment