ଭାସ୍କର ପରିଚ୍ଛା 

ଭାରତରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ଜୋର ଧରିଛି ଚର୍ଚ୍ଚା। ଆସନ୍ତୁ ଜାଣିବା। 

ଦେଶରେ ଏକକ ନିର୍ବାଚନକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହାକୁ କୁହାଯାଉଛି: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ। ମୋଦୀ ସରକାର ଏ ନେଇ ଏକ କମିଟି ଗଠନ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି।

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବାସ୍ତବରେ କ’ଣ ? ଏହା ହେଉଛି ସେହି ପ୍ରସ୍ତାବ ଯାହା ଦ୍ଵାରା ଲୋକସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ପାଇଁ ଏକକାଳୀନ ନିର୍ବାଚନ ପାଇଁ ପଦକ୍ଷେପ। ଅର୍ଥାତ୍ ସମଗ୍ର ଦେଶରେ ଗୋଟିଏ ପର୍ଯ୍ୟାୟରେ ସବୁ ନିର୍ବାଚନ ହେବ।

ଖର୍ଚ୍ଚ ହ୍ରାସ

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ହେଲେ ଏହାଦ୍ୱାରା ନିର୍ବାଚନରେ ଖର୍ଚ୍ଚ ହ୍ରାସ ପାଇବ ବୋଲି ଯୁକ୍ତି କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ ଲୋକସଭା ନିର୍ବାଚନରେ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ନିର୍ବାଚନ ଲଢ଼ୁଥିବା ରାଜନୈତିକ ଦଳମାନେ ଖର୍ଚ୍ଚ କରିଥିବା ଅର୍ଥ ଏବଂ ନିର୍ବାଚନ ପରିଚାଳନାରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଖର୍ଚ୍ଚ କରିଥିବା ଅର୍ଥ ଏଥିରେ ଅନ୍ତର୍ଭୁକ୍ତ ।

ଦେଶର ପ୍ରଥମ ନିର୍ବାଚନ ହୋଇଥିଲା ୧୯୫୧-୧୯୫୨ ମସିହାରେ। ସେହି ଲୋକସଭା ନିର୍ବାଚନରେ ୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏ ସଂକ୍ରାନ୍ତରେ ଆଇନ ଆୟୋଗ କହିଥିଲେ ଯେ ଯଦି ୨୦୧୯ରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହୁଏ, ତେବେ ଖର୍ଚ୍ଚ ୪୫୦୦ କୋଟି ଟଙ୍କା ବୃଦ୍ଧି ପାଇବ। ଏହି ଖର୍ଚ୍ଚ ଇଭିଏମ୍ କିଣିବାରେ ହେବ।

ଅନ୍ୟପଟେ ୨୦୨୪ରେ ଏକକାଳୀନ ନିର୍ବାଚନ ପାଇଁ ଖର୍ଚ୍ଚ  ମାତ୍ର ୧୭୫୧ କୋଟି ଟଙ୍କା ବୃଦ୍ଧି ପାଇବ। ଏହାଦ୍ୱାରା ଧୀରେ ଧୀରେ ଏହି ଅତିରିକ୍ତ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। ଏହାଦ୍ୱାରା ସମଗ୍ର ଦେଶରେ ପ୍ରଶାସନିକ ବ୍ୟବସ୍ଥାରେ ଦକ୍ଷତା ବୃଦ୍ଧି ପାଇବ ବୋଲି ଏକକାଳୀନ ନିର୍ବାଚନ ସମର୍ଥକମାନେ ଯୁକ୍ତି ବାଢ଼ିଛନ୍ତି ।

ବାରମ୍ଵାର ନିର୍ବାଚନ ଯୋଗୁଁ ଓ ବିଭିନ୍ନ ସମୟରେ ମତଦାନ ପ୍ରଶାସନିକ ବ୍ୟବସ୍ଥାର ଗତିକୁ ଯଥେଷ୍ଟ ମନ୍ଥର ହୋଇଯାଏ ବୋଲି କୁହାଯାଉଛି। ଅଧିକାରୀମାନେ ମତଦାନ କାର୍ଯ୍ୟରେ ନିୟୋଜିତ ହେଉଥିବାରୁ ସାଧାରଣ ପ୍ରଶାସନିକ କାମ ଘୋର ପ୍ରଭାବିତ ହୋଇଥାଏ। ସୁତରାଂ ଗୋଟିଏ ନିର୍ବାଚନ ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମରେ ନିରନ୍ତରତା ସୁନିଶ୍ଚିତ କରିବାରେ ସହାୟକ ହେବ ବୋଲି କୁହାଯାଉଛି।

ବର୍ତ୍ତମାନ ଯେତେବେଳେ ବି ଦେଶ ଓ ରାଜ୍ୟମାନେ ନିର୍ବାଚନର ସମ୍ମୁଖୀନ ହେଉଛନ୍ତି ସେତେବେଳେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଉଛି। ଫଳରେ ସେହି ସମୟ ମଧ୍ୟରେ ଜନକଲ୍ୟାଣ ପାଇଁ ନୂତନ ପ୍ରକଳ୍ପ ଆରମ୍ଭ ଉପରେ ପ୍ରତିବନ୍ଧକ ଲଗାଯାଉଛି। ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଦେଶର ସମ୍ବଳକୁ ବଞ୍ଚାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏଥିସହିତ ବିକାଶର ଗତି ମଧ୍ୟ ତା  ବାଟରେ ଚାଲିବ।

ସହଜ ନୁହେଁ

ଲୋକସଭା ଓ ବିଧାନସଭା ପାଇଁ ଏକାସାଙ୍ଗରେ ନିର୍ବାଚନ କରାଇବା କ୍ଷେତ୍ରରେ ଅନେକ ଆହ୍ୱାନ ମଧ୍ୟ ରହିଛି। ଏଥିପାଇଁ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ଲୋକସଭା ସହ ଯୋଡ଼ିବା ପାଇଁ ସାମ୍ବିଧାନିକ ସଂଶୋଧନର ଆବଶ୍ୟକତା ପଡ଼ିବ। ଏହାବ୍ୟତୀତ ଜନପ୍ରତିନିଧି ଆଇନ ସହ ଅନ୍ୟାନ୍ୟ ସଂସଦୀୟ ପ୍ରକ୍ରିୟାରେ ସଂଶୋଧନ ଆଣିବାକୁ ପଡ଼ିବ।

ଏକାସାଙ୍ଗରେ ନିର୍ବାଚନ କରାଇବା ନେଇ ଆଞ୍ଚଳିକ ଦଳଗୁଡ଼ିକର ବଡ ଭୟ ହେଉଛି ଯେ ଜାତୀୟ ପ୍ରସଙ୍ଗକୁ ନେଇ ସାଧାରଣ ନିର୍ବାଚନ ଲଢ଼ାଯିବାବେଳେ ସେମାନେ ସେମାନଙ୍କ ସ୍ଥାନୀୟ ପ୍ରସଙ୍ଗକୁ ଦୃଢ଼ତାର ସହ ଉଠାଇପାରିବେ ନାହିଁ। ଏଥିସହିତ ନିର୍ବାଚନ ଖର୍ଚ୍ଚ ଓ ନିର୍ବାଚନ ରଣନୀତି ଦୃଷ୍ଟିରୁ ସେମାନେ ଜାତୀୟ ଦଳସହ ପ୍ରତିଦ୍ୱନ୍ଦ୍ୱିତା କରିବାରେ ମଧ୍ୟ ଅସମର୍ଥ ହେବେ।

ସଂଘୀୟ ବ୍ୟବସ୍ଥା

୨୦୧୫ରେ ଆଇଡିଏଫସି ଇନଷ୍ଟିଚ୍ୟୁଟ୍ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯଦି ଲୋକସଭା ଏବଂ ରାଜ୍ୟ ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହୁଏ, ତେବେ ଭୋଟରମାନେ ସମାନ ରାଜନୈତିକ ଦଳ ବା ମେଣ୍ଟ ଚୟନ କରିବାର ୭୭ ପ୍ରତିଶତ ସମ୍ଭାବନା ରହିଛି। ତେବେ ୬ ମାସ ବ୍ୟବଧାନରେ ନିର୍ବାଚନ ହେଲେ ମାତ୍ର ୬୧ ପ୍ରତିଶତ ଭୋଟର ସେହି ଦଳକୁ ବାଛିବେ। ଦେଶର ସଂଘୀୟ ବ୍ୟବସ୍ଥା ଉପରେ ମଧ୍ୟ ଏକକାଳୀନ ନିର୍ବାଚନ ଦ୍ୱାରା ଆହ୍ୱାନର ମଧ୍ୟ ଆଶଙ୍କା ରହିଛି। ଏଥିପାଇଁ ସମ୍ବିଧାନରେ ସଂଶୋଧନ ଆଣିବାକୁ ପଡ଼ିବ।

୧୯୯୯ ମସିହାରେ ଆଇନ ଆୟୋଗ ନିଜର ଏକ ରିପୋର୍ଟରେ ଏକକ ନିର୍ବାଚନକୁ ସମର୍ଥନ କରିଥିଲେ। ୨୦୧୮ ଅଗଷ୍ଟ ମାସରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ନେଇ ଆଇନ ଆୟୋଗଙ୍କ ରିପୋର୍ଟ ଆସିଥିଲା। ଦେଶରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ ବୋଲି ଆଇନ କମିଶନଙ୍କ ରିପୋର୍ଟରେ ଦର୍ଶାଯାଇଥିଲା।

ଏକକାଳୀନ ନିର୍ବାଚନ କରାଇବା ପାଇଁ ଅତି କମରେ ୫ଟି ସାମ୍ବିଧାନିକ ସୁପାରିସ ଆବଶ୍ୟକ ହେବ ବୋଲି ଆଇନ ଆୟୋଗ କହିଥିଲେ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସଂସଦରେ କହିଥିଲେ ଯେ ସମଗ୍ର ଦେଶରେ ଏକକାଳୀନ ନିର୍ବାଚନ କରିବା ପାଇଁ ସମ୍ବିଧାନରେ ସଂଶୋଧନ କରିବାକୁ ପଡ଼ିବ। ଏଥିପାଇଁ ସମ୍ବିଧାନର ଧାରା ୮୩, ୮୫, ୧୭୨, ୧୭୪ ଓ ୩୫୬ରେ ସଂଶୋଧନ ଉଲ୍ଲେଖ କରାଯାଇଥିଲା।

ଆଗରୁ ହୋଇଛି

ଉଲ୍ଳେଖ କରାଯାଇପାରେ ଯେ,୧୯୬୭ ମସିହା ପର୍ଯ୍ୟନ୍ତ ଭାରତରେ ରାଜ୍ୟ ବିଧାନସଭା ଓ ଲୋକସଭାର ଏକକାଳୀନ ନିର୍ବାଚନ ହେବା ଏକ ସାଧାରଣ କଥା ଥିଲା। ସ୍ୱାଧୀନତା ପରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୯୬୭ ପରେ ବିଭିନ୍ନ ସମୟରେ ଲୋକସଭା ଓ ବିଧାନସଭା ଭଙ୍ଗ ହେବାରୁ ଏହି ଧାରା ଭାଙ୍ଗି ଯାଇଥିଲା। ୧୯୬୮ ଓ ୧୯୬୯ରେ କେତେକ ବିଧାନସଭା ଏବଂ ୧୯୭୦ରେ ଲୋକସଭା ନିର୍ଦ୍ଧାରିତ ସମୟ ପୂର୍ବରୁ ଭଙ୍ଗ ହୋଇଥିଲା।

ଏହାର ଏକ ଦଶନ୍ଧି ପରେ ୧୯୮୩ ମସିହାରେ ନିର୍ବାଚନ ଆୟୋଗ ଏକକାଳୀନ ନିର୍ବାଚନ ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ତତ୍କାଳୀନ ସରକାର ଏହା ବିରୋଧରେ ନିଷ୍ପତ୍ତି ନେଇଥିଲେ ବୋଲି କମିଶନ ତାଙ୍କ ବାର୍ଷିକ ରିପୋର୍ଟରେ ଦର୍ଶାଇଛନ୍ତି। ୨୦୧୯ର ଆଇନ ଆୟୋଗ ରିପୋର୍ଟରେ ମଧ୍ୟ ଏକାସାଙ୍ଗରେ ନିର୍ବାଚନ କରାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଭାରତୀୟ ଜନତା ପାର୍ଟି ଏହି ପ୍ରସଙ୍ଗକୁ ଜୋର ଦେଇଆସିଛି।

୨୦୧୪ ଲୋକସଭା ନିର୍ବାଚନ ପାଇଁ ବିଜେପି ତା’ର ନିର୍ବାଚନୀ ଇସ୍ତାହାରରେ କହିଥିଲା ଯେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରମାନଙ୍କ ପାଇଁ ଏକକାଳୀନ ନିର୍ବାଚନ କରିବାପାଇଁ ଏକ ଉପାୟ ବିକଶିତ କରିବାକୁ ଚେଷ୍ଟା କରିବ।

ପ୍ରସ୍ତୁତି ପର୍ବ

୨୦୨୨ରେ ତତ୍କାଳୀନ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର କହିଥିଲେ ଯେ ଗୋଟିଏ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ନିର୍ବାଚନ ଆୟୋଗ ଏକାସାଙ୍ଗରେ ନିର୍ବାଚନ କରିବାକୁ ସକ୍ଷମ ବୋଲି ସେ କହିଥିଲେ। ତେବେ ଏହି ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ବିଧାନରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି ଏବଂ ଏହା ସଂସଦରେ ସ୍ଥିର ହେବା ଦରକାର ବୋଲି ସେ କହିଛନ୍ତି।

୨୦୨୨ ଡିସେମ୍ବରରେ ଆଇନ ଆୟୋଗ ଦେଶରେ ଏକକାଳୀନ ନିର୍ବାଚନ କରିବା ପ୍ରସ୍ତାବ ଉପରେ ଜାତୀୟ ରାଜନୈତିକ ଦଳ, ଭାରତୀୟ ନିର୍ବାଚନ ଆୟୋଗ, ଅମଲା, ଶିକ୍ଷାବିତ୍ ଏବଂ ବିଶେଷଜ୍ଞଙ୍କ ସମେତ ଅଂଶୀଦାରଙ୍କ ମତାମତ ଲୋଡ଼ିଥିଲେ।

ଏହି ଲକ୍ଷ୍ୟ ନେଇ ଯେଉଁ କମିଟି ଗଠିତ ହୋଇଛି ତା’ର ଉଦ୍ଦେଶ୍ୟ ହେଉଛି ଏହା ଦଳ, ନେତା ଓ ସାଧାରଣ ଜନତାଙ୍କ ସହ ପରାମର୍ଶ କରିବ। ସେମାନଙ୍କ ମତାମତ ନେଇ ଏକ ଚିଠା ପ୍ରସ୍ତୁତ କରାଯିବ। ଏହାପରେ ସରକାର ଆଇନ ପ୍ରଣୟନ କରି ସଂସଦରେ ବିଲ ଆଣିବାକୁ ପଦକ୍ଷେପ ନେବେ।

Tags: #OneNationOneElection #ElectionSystem #MultipartyDemocracy #India

Comment