ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୯ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୩୨ତମ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (ଏଚଏଲସିଏ) ବୈଠକରେ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ମିଳିଛି। ଏହାଦ୍ଵାରା ରାଜ୍ୟରେ ୧ଲକ୍ଷ ୧ହଜାର ୮୦୪ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଇସ୍ପାତ, ସବୁଜ ଶକ୍ତି, ତୈଳ ଆଦି ବିଭିନ୍ନ କ୍ଷେତ୍ରର ପ୍ରକଳ୍ପ ସାମିଲ ରହିଛି।

ସୋମବାର ଏଚଏଲସିଏ ବୈଠକରେ ଜଗତସିଂହପୁର ସ୍ଥିତ ଜେଏସଡବ୍ଲ୍ୟୁର ଉତ୍କଳ ଷ୍ଟିଲକୁ ସଂପ୍ରସାରଣ ପାଇଁ ମଞ୍ଜୁରୀ ଦିଆଯାଇଅଛି। ଏହି ପ୍ଲାଣ୍ଟର କ୍ଷମତାକୁ ବାର୍ଷିକ ୧୨ ମେଟ୍ରିକ ଟନରୁ ୨୪ ମେଟ୍ରିକ ଟନ କରାଯିବ। ଏଥିରେ କମ୍ପାନି ପକ୍ଷରୁ ୭୫ ହଜାର କୋଟି ଟଙ୍କା ନିବେଶ ହେବ। ଏହାଦ୍ଵାରା ୧୨ ହଜାର ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ସରକାର ଲକ୍ଷ ରଖାଯାଇଛି।

ସେହିପରି କଳିଙ୍ଗନଗରରେ ଜିନ୍ଦଲ ଫେରସ ଲିମିଟେଡର କାର୍ବନ ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ନୂଆ ପ୍ରକଳ୍ପ ଦ୍ଵାରା ୩,୪୪୯ କୋଟି ଟଙ୍କାର ନିବେଶ ହେବ। ଏହାସହ ପ୍ରାୟ ୧,୪୦୦ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ଝାରସୁଗୁଡ଼ାରେ ୧,୫୦୦ କୋଟି ଟଙ୍କାର ନିବେଶରେ ଏମଏସପି ମେଟାଲିକ୍ସର ଷ୍ଟିଲ ପ୍ଲାଣ୍ଟ ସଂପ୍ରସାରଣ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଏହାସହ ଖୋର୍ଦ୍ଧାର ହଳଦୀପଦାରେ ଆଭଦା କମ୍ପାନିର ନୂଆ ଇଲେକ୍ଟ୍ରୋନିକ୍ସ ପ୍ରକଳ୍ପକୁ ଏଚଏଲସିଏ ବୈଠକରେ ମଞ୍ଜୁରୀ ମିଳିଛି। ଏଥିରେ ୧୧ ହଜାର ୩୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ।

ଅନ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଖୋର୍ଦ୍ଧାରେ ବର୍ଜର ପେଣ୍ଟସ୍ ଇଣ୍ଡିଆ ଲିମିଟେଡ ନୂଆ ମାନୁଫାକ୍ଚରିଂ ପ୍ଲାଣ୍ଟ ନିର୍ମାଣକୁ ଅନୁମତି ମିଳିଛି। ଏଥିରେ ୧,୪୫୮ କୋଟି ଟଙ୍କାର ନିବେଶ ହେବ। ସେହିପରି ଏଲ ଆଣ୍ଡ ଟି ଏନର୍ଜି ଗ୍ରୀନ ଟେକ୍ ଲିମିଟେଡର ପାରାଦୀପରେ ପ୍ରସ୍ତାବିତ ଗ୍ରୀନ ଅମୋନିଆ ପ୍ଲାଣ୍ଟକୁ ମଧ୍ୟ ମଞ୍ଜୁରୀ ମିଳିଛି।

ସେହିପରି ଭଦ୍ରକରେ ଇଣ୍ଡିଆନ ଅଏଲ କର୍ପୋରେସନର ୪,୩୭୭ କୋଟି ଟଙ୍କାର ପଲିଷ୍ଟର ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ କୋରାପୁଟରେ ତୋଷାଳି ସିମେଣ୍ଟ ପ୍ଲାଣ୍ଟର ସମ୍ପ୍ରସାରଣକୁ ଅନୁମତି ମିଳିଛି। ଏହାଛଡ଼ା ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ପେଟ୍ରୋନେଟର ନୂଆ ଏଲଏନଜି ଟର୍ମିନାଲକୁ ମଞ୍ଜୁରୀ ମିଳିଛି। ଏଥିରେ ୨,୩୦୬ କୋଟି ଟଙ୍କାର ନିବେଶ ହେବାସହ ୬୬୦ ନୂଆ ନିଯୁକ୍ତି ସୃଷ୍ଟି ହେବ।

ସୋମବାର ହୋଇଥିବା ଏହି ଏଚଏଲସିଏ ବୈଠକରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ ଓ ଶିଳ୍ପ ବିଭାଗ ମୁଖ୍ୟ ସଚିବ ହେମନ୍ତ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

Tags: #Industries #Investment #Employment #HLCAOdisha #InvestOdisha

Comment