ଓଡ଼ିଶାଲାଇଭ୍ ବ୍ୟୁରୋ

ଲଗାଣ ବର୍ଷାରେ ଭୁଶୁଡ଼ି ଗଲା ସ୍କୁଲ ଘର, ସୌଭାଗ୍ୟ ବସତଃ ଅଳ୍ପକେ ବଞ୍ଚିଗଲା ୫୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କ ଜୀବନ।

(ଫୁଲବାଣୀରୁ ସଦାଶିବ ପାତ୍ର): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ସିନ୍ଦ୍ରିଗାଁ ଗ୍ରାମପଞ୍ଚାୟତର କିଲୁପଡ଼ା ପ୍ରାଥମିକ ସ୍କୁଲର ଶ୍ରେଣୀଗୃହ ଭୁଶୁଡ଼ିଯାଇଛି। ସୌଭାଗ୍ୟ ଯୋଗୁଁ ଅଳ୍ପକେ ବଞ୍ଚିଯାଇଛି ୫୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କ ଜୀବନ।

ଗୁରୁବାର ସକାଳ ପ୍ରାୟ ୧୦ଟା ସମୟରେ କିଲୁପଡ଼ା ପ୍ରଥମିକ ସ୍କୁଲକୁ ଛାତ୍ରଛାତ୍ରୀ ଆସିଥିଲେ। କିନ୍ତୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନରେ ସାମିଲ ହେବାକୁ ଯାଇଥିବାରୁ ସ୍କୁଲ ଗେଟରେ ତାଲା ପଡ଼ିଥିଲା। ଫଳରେ ଛାତ୍ରଛାତ୍ରୀ ସ୍କୁଲ ବାହାରେ ଅପେକ୍ଷା କରି ରହିଥିଲେ।

କିଛି ସମୟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଆଖିଆଗରେ ଭୁଶୁଡ଼ି ପଡ଼ିଲା ଶ୍ରେଣୀଗୃହ। ଆଜି ସ୍କୁଲ ଖୋଲିନଥିବାରୁ ଅନେକ ଛାତ୍ରଛାତ୍ରୀ ବଡ଼ ଅଘଟଣରୁ ରକ୍ଷା ପାଇଯାଇଛନ୍ତି।

ଦୀର୍ଘ ବର୍ଷ ହେଲା ସମ୍ପୃକ୍ତ ସ୍କୁଲର ଶ୍ରେଣୀଗୃହ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଶ୍ରେଣୀଗୃହର ମରାମତି ନକରି ବିପଦସଙ୍କୁଳ ଅବସ୍ଥାରେ ପାଠପଢ଼ା ଚାଲୁ ରହିଥିଲା। ଶ୍ରେଣୀଗୃହ ମରାମତି କରିବାକୁ ଅଭିଭାବକ, ଗ୍ରାମବାସୀ ଏବଂ ସ୍କୁଲର ପ୍ରଧାନଶିକ୍ଷକ ବାରମ୍ବାର ସରପଞ୍ଚ, ବାଲିଗୁଡ଼ା ବିଧାୟକ, ବିଇଓ ଏବଂ ବିଡିଓଙ୍କୁ ଅବଗତ କରିଥିଲେ ମଧ୍ୟ ଏଥିପ୍ରତି କୌଣସି ଗୁରୁତ୍ଵ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

Tags: #Phulbani #Schoolcollapsed #Kiluparaprimaryschool

LEAVE A REPLY

Please enter your comment!
Please enter your name here