ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଭୁବନେଶ୍ଵରରେ ଖୋଲିଲା ‘ଟ୍ରୁ ଟୋନ ସ୍ପିଚ୍ ଆଣ୍ଡ ହିୟରିଂ କେୟାର’ର ଆଉ ଏକ ନୂଆ କ୍ଲିନିକ୍। ସହିଦ ନଗରଠାରେ ଥିବା ଏହି କ୍ଲିନିକକୁ ମଙ୍ଗଳବାର ଦିନ ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ ଉଦଘାଟନ କରିଛନ୍ତି। ଏଠାରେ ବାକ୍ ଏବଂ ଶ୍ରବଣଜନିତ ସମସ୍ୟା ଭୋଗୁଥିବା ବ୍ୟକ୍ତି ଅତ୍ୟାଧୁନିକ ଢାଞ୍ଚାରେ ଉନ୍ନତ ମାନର ଚିକିତ୍ସା ସେବା ପାଇ ପାରିବେ।

ଶ୍ରବଣ ଯନ୍ତ୍ର ପ୍ରସ୍ତୁତି କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ବିଶେଷ ପରିଚୟ ହାସଲ କରିଥିବା କମ୍ପାନି ‘ଫୋନାକ’ର ଏକ ଏକ୍ସକ୍ଲୁସିଭ ସେଣ୍ଟର ଭାବେ ଏହି କ୍ଲିନିକ୍ କାର୍ଯ୍ୟ କରୁଛି। ସାନ ସାନ ପିଲା ଏବଂ ବରିଷ୍ଠ ନାଗରିକଙ୍କ ସହିତ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖାଦେଉଥିବା ଶ୍ରବଣ ସମସ୍ୟାର ଉପଚାର ପାଇଁ ଏଠାରେ ବିଶେଷ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

ଏହି ଅତ୍ୟାଧୁନିକ କ୍ଲିନିକକୁ ଉଦଘାଟନ କରି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ‘‘ଲୋକମାନଙ୍କ ବାକ୍ ଓ ଶ୍ରବଣଜନିତ ସମସ୍ୟାର ଉପଚାର କ୍ଷେତ୍ରରେ ‘ଟ୍ରୁ ଟୋନ’ ରାଜ୍ୟରେ ଏକ ଭଲ ପରିଚୟ ସୃଷ୍ଟି କରିଛି। ଏଠାରେ ଲୋକମାନେ ସୁବିଧାରେ ଉନ୍ନତମାନର ଚିକିତ୍ସା ପାଇ ନିଜ ସମସ୍ୟାକୁ ଦୂର କରିପାରୁଛନ୍ତି। ଟ୍ରୁ ଟୋନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ନୂଆ କ୍ଲିନିକ ରାଜ୍ୟର ଲୋକମାନଙ୍କୁ ଆହୁରି ଉତ୍ତମ ଚିକିତ୍ସା ସେବା ଯୋଗାଇବ ବୋଲି ମୋର ବିଶ୍ଵାସ।

ଏହି ଅବସରରେ ଟ୍ରୁ ଟୋନ ସ୍ପିଚ୍ ଆଣ୍ଡ ହିୟରିଂ କେୟାରର କ୍ଲିନିକାଲ ଡାଇରେକ୍ଟର ଡାକ୍ତର ବିଭୁ ପ୍ରସାଦ ହୋତା କହିଛନ୍ତି, ‘‘ଭୁବନେଶ୍ୱରରେ ବର୍ଷେ ହେଲା ଆମେ ଲୋକମାନଙ୍କର ବାକ୍ ଓ ଶ୍ରବଣ ସମସ୍ୟାର ଉପଚାର କରିଆସୁଛୁ। ଅନ୍ତର୍ଜାତୀୟ ମାନର ବିଭିନ୍ନ ଉପକରଣ ବ୍ୟବହାର କରି ଆମେ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେଉଛୁ। ଏବେ ସହିଦ ନଗରରେ ଖୋଲିଥିବା ନୂଆ କ୍ଲିନିକ ମାଧ୍ୟମରେ ଆମେ ଚିକିତ୍ସା ସେବାକୁ ଆହୁରି ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛୁ।’’

ଏହି କ୍ଲିନିକରେ ଅଟିଜିମ, ଏଡିଏସଡି ଏବଂ ସେରିବ୍ରାଲ ପାଲସି ଭଳି ସମସ୍ୟାରେ ପୀଡ଼ିତ ପିଲାମାନଙ୍କ ପାଇଁ ସ୍ଵତନ୍ତ୍ର ଚିକିତ୍ସା ବ୍ୟବସ୍ଥା ରହିଛି। ସ୍ପିଚ୍ ଓ ଭଏସ୍ ଥେରପି ମାଧ୍ୟମରେ ପିଲାମାନଙ୍କର ବାକ୍ ସମସ୍ୟା ଦୂର କରାଯାଇପାରୁଛି। ଏହା ଫଳରେ ପିଲାମାନଙ୍କର କଥା କହିବାର ଶୈଳୀରେ ବିକାଶ ହୋଇପାରୁଛି।

ଶ୍ରବଣ ସମସ୍ୟାର ଚିକିତ୍ସା ପାଇଁ ଅତ୍ୟାଧୁନିକ ମେସିନ ବ୍ୟବହାର କରାଯାଉଛି। ଏହାସହ ଏଠାରେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ‘ଫୋନାକ୍’ କମ୍ପାନି ଦ୍ଵାରା ନିର୍ମିତ ଉନ୍ନତ ଧରଣର ‘ହିୟରିଂ ଏଡ୍’ ଦିଆଯାଉଛି।

ଟ୍ରୁ ଟୋନ ପକ୍ଷରୁ ବର୍ତ୍ତମାନ ଭୁବନେଶ୍ଵରରେ ଦୁଇଟି ସ୍ପିଚ୍ ଓ ହିୟରିଂ କ୍ଲିନିକ୍ କାର୍ଯ୍ୟକ୍ଷମ ରହିଛି। ଆଗାମୀ ଦିନରେ ଓଡ଼ିଶାର ଭଦ୍ରକ ଏବଂ ଆନ୍ଧ୍ର ପ୍ରଦେଶର ବିଶାଖାପଟଣାରେ ଗୋଟିଏ ଲେଖାଏଁ କ୍ଲିନିକ ଖୋଲାଯିବ। ତା’ଛଡ଼ା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କ୍ଲିନିକ ଖୋଲିବାକୁ ସଂସ୍ଥା ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

ଏହି ନୂଆ କ୍ଲିନିକର ଉଦଘାଟନ ଅବସରରେ ରାଜ୍ୟ ବିଜେପି ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଫୋନାକ ଇଣ୍ଡିଆର ନାସନାଲ ସେଲ୍ସ ମ୍ୟାନେଜର ମୁକେଶ ମିଶ୍ର, ଟ୍ରୁ ଟୋନ କ୍ଲିନିକର ଅଡିଓଲୋଜିଷ୍ଟ ଡାକ୍ତର ବିମ୍ବାଧର ସାମନ୍ତରାୟ,  ଓଡ଼ିଆ ହାସ୍ୟ ଅଭିନେତା ଭକ୍ତ ପ୍ରହ୍ଲାଦ ଚରଣ ପଟ୍ଟନାୟକ ଏବଂ ଅଭିନେତ୍ରୀ ଜସ୍ମିନ ରଥ ପ୍ରମୁଖ ଯୋଗ ଦେଇଥିଲେ।

Tags: #TrueTonespeechandhearingclinic #Bhubaneswar #Inauguration

Comment