ଭାସ୍କର ପରିଚ୍ଛା

ଓଡ଼ିଶା ରାଜନୀତିର ପିତାମହ ଭୀଷ୍ମ ଭାବେ ପରିଚିତ ଥିଲେ ଡାକ୍ତର ଦାମୋଦର ରାଉତ। ସେ ୭ ଥର ବିଧାୟକ ଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ।

ଡାକ୍ତର ଦାମୋଦର ରାଉତ ୧୯୭୭ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୪୨ ମସିହା ଜୁଲାଇ ୨ ତାରିଖରେ ଜନ୍ମ ଗ୍ରହଣ କରିଥିବା ଦାମୋଦର ରାଉତ ୧୯୭୭ ମସିହାରେ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଜନତା ପାର୍ଟି ଟିକେଟରେ ଏରସମା ଆସନରୁ ୧୯୭୭ରୁ ୧୯୮୦ ମସିହା ପର୍ଯ୍ୟନ୍ତ ବିଧାୟକ ହୋଇଥିଲେ ସେ। ପରେ ୧୯୮୦ ମସିହାରେ ଜନତା ପାର୍ଟି-ସେକ୍ୟୁଲାର ଟିକେଟରେ ବିଧାନସଭାକୁ ଏରସମାରୁ ବିଜୟୀ ହୋଇଥିଲେ। ୧୯୯୦ ମସିହାରେ ପୁନଶ୍ଚ ଜନତା ଦଳ ଟିକେଟରେ ଏରସମାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ରାଜ୍ୟ ରାଜନୀତିର ଆଗଧାଡ଼ିର ଟାଣୁଆ ନେତା ଥିଲେ ଦାମୋଦର। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ଵପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ୧୯୭୯ ମସିହା ଅକ୍ଟୋବର ୨୫ ତାରିଖରୁ ୧୯୮୦ ମସିହା ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ସେ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଥିଲେ। ପରେ ୧୯୯୩ରୁ ୧୯୯୫ ମସିହା ପର୍ଯ୍ୟନ୍ତ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଥିଲେ ଡାକ୍ତର ଦାମୋଦର ରାଉତ। ମହିଳା ଓ ଶିଶୁ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି।

ନବୀନଙ୍କ ମନ୍ତ୍ରିମଣ୍ଡଳରେ ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ, କୃଷି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ସ୍ଵାସ୍ଥ୍ୟ, ଅବକାରୀ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ ଦାମୋଦର ରାଉତ। ଏହାଛଡ଼ା ବିଧାନସଭାର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କମିଟିରେ ମଧ୍ୟ ଦାମୋଦର ରାଉତ ସ୍ଥାନ ପାଇଥିଲେ। ବିଜୁ ବାବୁଙ୍କ ସହିତ ତାଙ୍କର ଅତି ଘନିଷ୍ଠତା ଥିଲା। ବିଜୁ ବାବୁଙ୍କ ପରାମର୍ଶରେ ସେ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ। ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ଅଥଚ ସାହସିକ ମନ୍ତବ୍ୟ ଦେଇ ସେ ଚର୍ଚ୍ଚାରେ ରହୁଥିଲେ। ଜଣେ ସ୍ପଷ୍ଟବାଦୀ ନେତା ରୂପେ ସେ ନିଜ ପାଇଁ ଏକ ପରିଚୟ ସୃଷ୍ଟି କରିଯାଇଛନ୍ତି।

ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ ଓଡ଼ିଶା ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Tags: #DrDamodarRout #OdishaPolitics #DamodarRoutPassedAway #Odisha

Comment