ଓଡ଼ିଶାଲାଇଭ୍ ବ୍ୟୁରୋ
ଆଦାନୀ ଗ୍ରୁପ ବିରୋଧରେ ସେୟାର ଜାଲିଆତି ଅଭିଯୋଗ ଆଣିଥିବା ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ବନ୍ଦ ହୋଇଛି। ପ୍ରତିଷ୍ଠାତା ନାଟ ଆଣ୍ଡରସନ୍ ଗୁରୁବାର ଏହି ସର୍ଟ ସେଲିଂ ଫାର୍ମକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ବିଭିନ୍ନ କର୍ପୋରେଟ୍ କମ୍ପାନିଗୁଡ଼ିକୁ ଦୋହଲାଇବା ଏବଂ କୋଟି କୋଟି ଟଙ୍କା ଆର୍ଥିକ ଠକେଇର ଅଭିଯୋଗ କରିବା ପରେ ସଂସ୍ଥା ନିଜର ଯାତ୍ରା ଶେଷ କରିଛି।
‘ପର୍ସନାଲ ନୋଟ୍ ଫ୍ରମ୍ ଆୱାର ଫାଉଣ୍ଡର’ ଶୀର୍ଷକ ଏକ ହୃଦୟସ୍ପର୍ଶୀ ବ୍ଲଗ୍ ପୋଷ୍ଟରେ ଆଣ୍ଡରସନ୍ ଏହି ସଂସ୍ଥାକୁ ଭାଙ୍ଗିବା ନିଷ୍ପତ୍ତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହି ପଦକ୍ଷେପ ପଛରେ କୌଣସି ବାହ୍ୟ ଚାପ, ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ବିପଦ ନାହିଁ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ବରଂ ତାଙ୍କ ଜୀବନର ଏହି ପର୍ଯ୍ୟାୟରେ ଏହା ଏକ ସ୍ୱାଭାବିକ ନିଷ୍ପତ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି।
ନାଟ୍ ଆଣ୍ଡରସନ୍ କହିଛନ୍ତି, “ବର୍ଷ ବର୍ଷ ଧରି ହିଣ୍ଡେନବର୍ଗ ମୋ ଜୀବନରେ ସବୁଠାରୁ ଅଧିକ ଫୋକସରେ ରହିଆସିଛି। କିନ୍ତୁ ଏବେ ଆଗକୁ ବଢ଼ିବା ଏବଂ ନୂଆ ସୁଯୋଗ ଖୋଜିବାର ସମୟ ଆସିଛି।”
ତେବେ ଅଚାନକ ହିଣ୍ଡେନବର୍ଗ ରିସର୍ଚ୍ଚ ବନ୍ଦ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ସଂସ୍ଥା ବନ୍ଦ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏବେ କାହିଁକି ହେଲା ବନ୍ଦ?
ନାଟ୍ ଆଣ୍ଡରସନଙ୍କ କହିବା ଅନୁସାରେ ହିଣ୍ଡେନବର୍ଗ ନିକଟରେ କରୁଥିବା ସମସ୍ତ ମାମଲାର ଚୂଡ଼ାନ୍ତ ତଦନ୍ତ ଶେଷ କରିଛି। ତଦନ୍ତ ରିପୋର୍ଟକୁ ବିଭିନ୍ନ ଦେଶର ନିୟାମକମାନଙ୍କୁ ମଧ୍ୟ ହସ୍ତାନ୍ତର କରାଯାଇ ସାରିଛି। ଏହି ପରିପପ୍ରେକ୍ଷୀରେ ସଂସ୍ଥାକୁ ବନ୍ଦ କରିବା ପାଇଁ ଉପଯୁକ୍ତ ସମୟ ବୋଲି ସେ କହିଛନ୍ତି।
ହିଣ୍ଡେନବର୍ଗ ରିସର୍ଚ୍ଚ, ୧୧ ଜଣିଆ ଏକ ଟିମ୍ ସହିତ, ଆର୍ଥିକ ଅନୁସନ୍ଧାନ କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ବଡ଼ ପରିଚୟ ସୃଷ୍ଟି କରିଥିଲା। ସଂସ୍ଥାର ପ୍ରମାଣ ଭିତ୍ତିକ ତଦନ୍ତ ରିପୋର୍ଟ ଯୋଗୁଁ ପାଖାପାଖି ୧୦୦ ଜଣ ବ୍ୟକ୍ତି ଅଭିଯୋଗର ସମ୍ମୁଖୀନ ହୋଇଥିଲେ।
ପରବର୍ତ୍ତୀ ସମୟରେ କ‘ଣ?
ଏହି ଘୋଷଣା ପରେ ଆଣ୍ଡରସନ୍ ହିଣ୍ଡେନବର୍ଗ ନିଜର ଅନୁସନ୍ଧାନ ପଦ୍ଧତି ଅନ୍ୟକୁ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇଛି। ଏହି ଉଦ୍ଦେଶ୍ୟରେ ଆଗାମୀ ଛଅ ମାସ ମଧ୍ୟରେ ସମସ୍ତ ତଦନ୍ତ ପଦ୍ଧତି, ସାମଗ୍ରୀ ଏବଂ ଭିଡିଓ ଜାରି କରିବାକୁ ଯୋଜନା କରିଛନ୍ତି। ଏହି କାର୍ଯ୍ୟ ଜାରି ରଖିବା ଘଟଣା ଏଥିପାଇଁ ଅନ୍ୟମାନଙ୍କୁ ପ୍ରେରଣା ଦେବେ ବୋଲି ସେ ଆଶା ରଖିଛନ୍ତି।
ଇତିମଧ୍ୟରେ ସେ ତାଙ୍କ ଦଳକୁ ପରବର୍ତ୍ତୀ ଭୂମିକା ଗ୍ରହଣ ପାଇଁ ସାହାଯ୍ୟ କରିବା ଉପରେ ଧ୍ୟାନ ଦେଉଛନ୍ତି। କିଛି ସଦସ୍ୟ ନିଜର ଗବେଷଣା ସଂସ୍ଥା ଆରମ୍ଭ କରିବାକୁ ଯୋଜନା କରୁଥିବା ବେଳେ ଅନ୍ୟମାନେ ନୂଆ ସୁଯୋଗ ଖୋଜୁଛନ୍ତି।
ଆଦାନୀ ଓ ଅନ୍ୟ କମ୍ପାନି ବିରୋଧରେ ରିପୋର୍ଟ
ହିଣ୍ଡେନବର୍ଗ ସଂସ୍ଥା ୨୦୨୩ ମସିହାରେ ଆଦାନୀ ଗ୍ରୁପ୍ ବିରୋଧରେ ଏହାର ରିପୋର୍ଟ ପ୍ରକାଶ କରି ଚର୍ଚ୍ଚାକୁ ଆସିଥିଲା। ଯେଉଁଥିରେ ଗ୍ରୁପ ବିରୋଧରେ ଠକେଇ ଏବଂ ଷ୍ଟକ୍ ହେରଫେର ଅଭିଯୋଗ କରାଯାଇଥିଲା। ଏହି ରିପୋର୍ଟ ଯୋଗୁଁ ଆଦାନୀ ଗ୍ରୁପର ବଜାର ମୂଲ୍ୟ ୧୫୦ ବିଲିୟନ ଡଲାର ହ୍ରାସ ପାଇଥିଲା।
ଏହାବାଦ ହିଣ୍ଡେନବର୍ଗ ୨୦୨୦ରେ ନିକୋଲା କର୍ପୋରେସନରେ ହୋଇଥିବା ଠକେଇର ଅଭିଯୋଗ କରିଥିଲା। ଯାହା ଫଳରେ ଏହାର ପ୍ରତିଷ୍ଠାତା ଟ୍ରେଭର ମିଲ୍ଟନ୍ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ୨୦୧୯ରେ ଆର୍ଥିକ ଅବ୍ୟବସ୍ଥା ଯୋଗୁଁ ଇରୋସ୍ ଇଣ୍ଟରନ୍ୟାସନାଲର ପତନ ଘଟିବ ବୋଲି ପୂର୍ବାନୁମାନ କରିଥିଲା ହିଣ୍ଡେନବର୍ଗ।
Tags: #HindenburgResearch #Investigation #FinancialReport #AdaniGroup