ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଧାୟକ-ତହସିଲଦାର ଗଣ୍ଡଗୋଳରେ ନୂଆମୋଡ଼। ବାବୁଲି ଷଡ଼ଙ୍ଗୀଙ୍କୁ ନେଇ ଚର୍ଚ୍ଚା ଜୋର୍‌।

ନୀଳଗିରି ବିଧାୟକ ଏବଂ ତହସିଲଦାରଙ୍କ ଭିତରେ ଦେଖାଦେଇଥିବା ବିବାଦ ଆଜି ନୂଆ ମୋଡ଼ ନେଇଛି। ଏହି ଗଣ୍ଡଗୋଳର ସୂତ୍ରଧର ବାବୁଲି ଷଡ଼ଙ୍ଗୀ ବୋଲି ନିଜେ ତହସିଲଦାର ଅଭିଯୋଗ କରିଛନ୍ତି। ହେଲେ ବାବୁଲି ଏହି ଅଭିଯୋଗକୁ ଫୁତ୍‌କାର ମାରି ଉଡ଼ାଇ ଦେଇଛନ୍ତି।

ତେବେ ବିଧାୟକ ଏବଂ ତହସିଲଦାର ଗଣ୍ଡଗୋଳ ଭିତରେ ଏ ବାବୁଲି କିଏ ବୋଲି ଚର୍ଚ୍ଚା ବଢ଼ିଛି। ତେବେ କୁହାଯାଉଛି ଯେ ବାବୁଲି ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଭାଇ। ଏବେ ସେ ନୀଳଗିରି ବିଜେଡି ଲିଗାଲ୍‌ ସେଲର ଆବାହକ ଅଛନ୍ତି।

କେମିତି ପଶିଲେ ବାବୁଲି?

ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସହ ତହସିଲଦାରଙ୍କ ପାଟିତୁଣ୍ଡ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓରେ ବିଧାୟକ-ତହସିଲଦାର ତୁତୁ ମେମେ ପୂର୍ବରୁ ଆଉ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ଏହି ବ୍ୟକ୍ତିଙ୍କୁ ତହସିଲଦାର ମନଇଚ୍ଛା ଗାଳି ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ବ୍ୟକ୍ତି ଜଣଙ୍କ ହିଁ ବାବୁଲି ଷଡ଼ଙ୍ଗୀ ବୋଲି କୁହାଯାଉଛି।

ତହସିଲ ଅଫିସ ପରିସରରୁ ବୁଲ୍‌ଡୋଜର ଲଗାଇ ମୋହରିଙ୍କ ଚାଳିଆ ଉଚ୍ଛେଦ କରିଥିଲେ ତହସିଲଦାର। ଏହି ଉଚ୍ଛେଦ ପରେ ବାବୁଲି କୁଆଡ଼େ ତହସିଲଦାରଙ୍କୁ ବହେ ଝାଡ଼ିଥିଲେ। ଏହାକୁ ପ୍ରତିବାଦ କରିଥିଲେ ତହସିଲଦାର।

ବାବୁଲି ଏବଂ ତହସିଲଦାରଙ୍କ ଭିତରେ ତେରୀମେରୀ ଚାଲିଥିବା ବେଳେ ଘଟଣାସ୍ଥଳକୁ ଆସିଥିଲେ ବିଧାୟକ ସୁକାନ୍ତ ନାୟକ। ବିଧାୟକ ଆସିବା ପରେ ଘଟଣା ଭିନ୍ନ ମୋଡ଼ ନେଇଥିଲା। ଚାଳିଆ ଉଚ୍ଛେଦକୁ ନେଇ ବିଧାୟକ-ତହସିଲଦାର ମୁହାଁମୁହିଁ ହୋଇଥିଲେ।

ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ନୀଳଗିରି ପୋଲିସ ୪ଟି ମାମଲା ରୁଜୁ କରି ତଦନ୍ତ କରୁଛି। ଗତକାଲିର ଗଣ୍ଡଗୋଳ ପରେ ବିଧାୟକ ତହସିଲ ଅଫିସରେ ନିଜ ସମର୍ଥକଙ୍କୁ ନେଇ ଧାରଣାରେ ବସିଥିଲେ। ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ୧୫ ଘଣ୍ଟା ଧାରଣାରେ ବସିବା ପରେ ଜିଲ୍ଲାପାଳ ଘଟଣାସ୍ଥଳକୁ ଆସିଥିଲେ। ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ ବିଧାୟକ।

ଏହି ଘଟଣାରେ ପୋଲିସ ହସ୍ତକ୍ଷେପ ପରେ ବିବାଦ ଥଣ୍ଡା ପଡ଼ିଥିଲା। ହେଲେ ଆଜି ବାବୁଲି ଷଡ଼ଙ୍ଗୀଙ୍କ ନାଁ ଉଠିବା ପରେ ପୁଣିଥରେ ଏହି ଘଟଣା ତାଜା ହୋଇଛି।

‘‘ମୁଁ ପ୍ରଥମେ ଜଣେ ମହିଳା ଏବଂ ପରେ ତହସିଲଦାର। ବିଧାୟକ ଏବଂ ତାଙ୍କ ସାଙ୍ଗରେ ଥିବା ବାବୁଲି ଷଡ଼ଙ୍ଗୀ ମୋ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହା ମୋ’ ସମ୍ମାନରେ ଆଞ୍ଚ ଆଣିଛି’’, ଏହା କହିଛନ୍ତି ତହସିଲଦାର ସୁଶ୍ରିତା ଟୁଡୁ।

ତହସିଲଦାରଙ୍କ ଏହି ଅଭିଯୋଗ ପରେ ବାବୁଲି ମୁହଁ ଖୋଲିଛନ୍ତି। ତହସିଲଦାର ଯାହା କରିବାକୁ କଥା କରନ୍ତୁ ବୋଲି କହିଛନ୍ତି।

‘‘ମୋ ନାଁରେ ୩୨ଟି ଅଭିଯୋଗ ଅଛି। ତହସିଲଦାରଙ୍କ ଅଭିଯୋଗକୁ ମୁଁ କେୟାର କରେନି। ଅଭିଯୋଗର ତଦନ୍ତ ହେବ। ଆଇନ୍ ତା’ ବାଟରେ ଯିବ’’, କହିଛନ୍ତି ବାବୁଲି।

ସେ ଆହୁରି କହିଛନ୍ତି, ‘‘ପ୍ରତାପ ଷଡ଼ଙ୍ଗୀ ମୋ’ ବଡ଼ ଭାଇ। ସେ ମୋର ନମସ୍ୟ। ହେଲେ ତାଙ୍କ ସହିତ ମୋର କିଛି ବ୍ୟକ୍ତିଗତ ସମ୍ପର୍କ ନାହିଁ।’’

ଏହି ମାମଲାରେ କିନ୍ତୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

ଏପଟେ ଏହି ବିବାଦ ପରେ ତହସିଲଦାର ଲମ୍ବା ଛୁଟିରେ ଯାଇଛନ୍ତି। ସେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଛୁଟିରେ ଯାଇଛନ୍ତି। ତହସିଲଦାରଙ୍କ ଏହି ଲମ୍ବା ଛୁଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here