ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉପ-ନିର୍ବାଚନ ପୂର୍ବରୁ ବିଜେପୁରରେ ଗର୍ଜିଛି ବନ୍ଧୁକ। ବିଜେପି କର୍ମୀଙ୍କ ଘରକୁ ଗୁଳିମାଡ଼ ନେଇ ଆରମ୍ଭ ହୋଇଛି ରାଜନୀତି। ଏହି ଘଟଣାରେ ବିଜେଡିକୁ ଦାୟୀ କରିଛି ବିଜେପି। ବିଜେପି ଅଭିଯୋଗର ବିଜେଡି ଦେଇଛି ଦୃଢ଼ ଜବାବ।

“୨୦୧୯ ନିର୍ବାଚନ ଏବଂ ବିଜେପୁର ଉପ-ନିର୍ବାଚନରେ ବିଜେଡିକୁ ପରାଜୟ ଭୟ ଘାରିଛି। ୧୭ ବର୍ଷ ମଧ୍ୟରେ ଲୋକଙ୍କୁ ସ୍ୱଚ୍ଛ ପ୍ରଶାସନ ଦେବାରେ ବିଜେଡି ସରକାର ଫେଲ୍‌ ମାରିଛି। ଏଣୁ ବିଜେଡି ଭୟଭୀତ ହୋଇ ହିଂସାକାଣ୍ଡ ସୃଷ୍ଟି କରୁଛି”, ଏହି ଅଭିଯୋଗ କରିଛନ୍ତି ବିଜେପି ପ୍ରଭାରି ଅରୁଣ ସିଂ।

ଉପ-ନିର୍ବାଚନ ପୂର୍ବରୁ ବରଗଡ଼ ଜିଲ୍ଲା ବିଜେପୁରରେ ଦେଖାଦେଇଛି ପ୍ରାକ୍ ନିର୍ବାଚନୀ ହିଂସା। ବିଜେପୁର ପଡ଼ା ଗାଁର ବିଜେପି କର୍ମୀଙ୍କ ଘରକୁ ୩ ରାଉଣ୍ଡ ଗୁଳି ମାରି ଆତଙ୍କ ସୃଷ୍ଟି କରିଛନ୍ତି କିଛି ଅଜଣା ବ୍ୟକ୍ତି। ଏହାକୁ ନେଇ ରାଜନୀତି ସରଗରମ୍ ହୋଇଯାଇଛି। ଗୁଳିକାଣ୍ଡକୁ ନେଇ ବିଜେପି-ବିଜେଡି ମଧ୍ୟରେ କାଦୁଅଫିଙ୍ଗା ଆରମ୍ଭ ହୋଇଛି।

ବିଜେପି ପ୍ରଭାରି ଅରୁଣ ସିଂଙ୍କ ପରେ ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖପାତ୍ର ଗୋଲକ ମହାପାତ୍ର। ସେ କହିଛନ୍ତି ଯେ, “ପୋଲିସ ନରପେକ୍ଷ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ବିଜେପୁରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପଦକ୍ଷେପ ଗ୍ରହଣ କରୁ।”

ସ୍ଥାନୀୟ ବାସିନ୍ଦାଙ୍କ ମତରେ, ରବିବାର ସନ୍ଧ୍ୟାରେ ୩ ଜଣ ବ୍ୟକ୍ତି ମୁଖା ପିନ୍ଧି ପଡ଼ା ଗାଁକୁ ଅଚାନକ ଆସିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ଅତର୍କିତ ଭାବେ ଗୁଳି ଚାଳନା କରିଥିଲେ। ଏହାକୁନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

ବିଜେପିର ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ବିଜେଡି ଉପରେ ବିଜେପି ଅଯଥା ଦୋଷ ଲଦାଯାଉଥିବା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଅଭିଯୋଗ କରିଛନ୍ତି।

ସୁଶାନ୍ତ ସିଂ କହିଛନ୍ତି, “ଯେଉଁ ବ୍ୟକ୍ତିଙ୍କ ଘର ଉପରେ ମୁଳି ମାଡ଼ ହୋଇଛି ସେ ବ୍ୟକ୍ତି ପୂର୍ବରୁ ଅଞ୍ଚଳବାସୀଙ୍କୁ ବିଭିନ୍ନ ସମୟରେ ଧମକ ଦେଉଥିଲେ। ସ୍ଥାନୀୟ ଅଞ୍ଚଳର କିଛିଲୋକ ମଧ୍ୟ ଏନେଇ ପୂର୍ବରୁ ଥାନାରେ ଅଭିଯୋଗ କରିଛନ୍ତି। ସତ୍ୟାସତ୍ୟ ସାମ୍ନାକୁ ଆସିବା ପାଇଁ ପୋଲିସ ଉପଯୁକ୍ତ ତଦନ୍ତ କରିବା ଦରକାର।”

ବିଜେଡି ବିଜେପୁର ଉପ-ନିର୍ବାଚନରେ ବିଜୟୀ ହେବ। ଏଥିରେ ସନ୍ଦେହ ନାହିଁ। ଉପ-ନିର୍ବାଚନ ପୂର୍ବରୁ ବିଜେପି ବିଜେଡି ବିରୋଧରେ ମିଛ ଅଭିଯୋଗ ଆଣୁଥିବା ଶ୍ରୀ ସିଂ କହିଛନ୍ତି।

ସୁବଳ ସାହୁଙ୍କ ଦେହାନ୍ତ ପରେ ଅଗଷ୍ଟ ୨୨ରୁ ବିଜେପୁର ଆସନ ଖାଲି ପଡ଼ିଛି। ଏହି ଆସନରେ ଉପ-ନିର୍ବାଚନ ହେବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ପାଗ ଭିଡ଼ିଛନ୍ତି। ହେଲେ ସୁବଳଙ୍କ ଦେହାନ୍ତକୁ ୪ ମାସ ପୂରିଥିଲେ ବି ନିର୍ବାଚନ କମିଶନ ତାରିଖ ଘୋଷଣା କରୁ ନାହାନ୍ତି।

ଏହାକୁ ନେଇ ବିଜେପି-ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି। ଡିସେମ୍ବର ୩୧ରେ ବିଜେପି ବିଜେପୁରର ୨୭୦ଟି ବୁଥ୍‌ରେ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ପୂର୍ବରୁ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ।

ମନ୍‌ କି ବାତ୍ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ବିଜେଡି ଚେଷ୍ଟା କରୁଥିବା ବିଜେପି ଅଭିଯୋଗ କରିଥିଲା।

LEAVE A REPLY

Please enter your comment!
Please enter your name here