ଓଡ଼ିଶାଲାଇଭ୍ ବ୍ୟୁରୋ
ସରୁନି ଚାବେରୀ ନଦୀ ଉପରେ ପୋଲ ନିର୍ମାଣ କାମ। ୩ ବର୍ଷରୁ ଅଧିକ ସମୟ ହେବ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ କାମ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ଫଳରେ ସାଧାରଣ ଲୋକଙ୍କଠାରୁ ରୋଗୀ ପର୍ଯ୍ୟନ୍ତ ପାଣି ଭିତରେ ପଶି ନଦୀ ପାରହେଉଛନ୍ତି। କେତେବେଳେ ଗର୍ଭବତୀ ମହିଳାଙ୍କୁ ହଣ୍ଡାରେ ବସାଇ ତ, କେତେବେଳେ ରୋଗୀକୁ ଷ୍ଟ୍ରେଚରରେ ଧରି ଭରା ନଦୀ ପାର କରିବାକୁ ପଡ଼ୁଛି। ଏଭଳି ଅଭାବନୀୟ ଘଟଣା ବାରମ୍ବାର ଦେଖିବାକୁ ମିଳୁଛି କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ହରଡ଼ାଗୁଡ଼ା ଗ୍ରାମରେ।
ଦୁଇ ଦିନ ତଳେ ମଧ୍ୟ ଜଣେ ଗର୍ଭବତୀ ମହିଳାଙ୍କୁ ହଣ୍ଡାରେ ବସାଇ ଏବଂ ଅନ୍ୟ ଜଣେ ରୋଗୀଙ୍କୁ ଷ୍ଟ୍ରେଚର ଯୋଗେ ନଦୀପାର କରି ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କେବଳ ଏହି ଘଟଣା ନୁହେଁ ଛାତ୍ରଛାତ୍ରୀ ମଧ୍ୟ ଏହି ବିପଦପୂର୍ଣ୍ଣ ଅବସ୍ଥାରେ ନଦୀ ହେଉଛନ୍ତି। ବାରମ୍ବାର ପୋଲ ନିର୍ମାଣ କରିବା ଲାଗି ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ ପୋଲ କାମ ଆଗକୁ ବଢ଼ୁନାହିଁ ବୋଲି ହରଡ଼ାଗୁଡ଼ା ଗ୍ରାମର ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ପୋଲ ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
Tags: #Koraput #bridge #Patient #River #ChaberiRiver