ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବା ଓ ପରେ ସେମାନଙ୍କୁ ହତ୍ୟା କରିବା ଏବେ ଭିଡିଓ ଭାଇରାଲ ହେଲା ଭଳି ହୋଇଛି। ବିଗତ କିଛିଦିନ ଭିତରେ କଳାହାଣ୍ଡିଠାରୁ କଟକ ପର୍ଯ୍ୟନ୍ତ କେତେ ଯେ ବଳାତ୍କାର ଘଟଣା ସାମ୍ନାକୁ ଆସିଛି ତାର ହିସାବ ନାହିଁ।
ଦୁଷ୍କର୍ମ ଭଳି ବର୍ବର କାଣ୍ଡରେ ଗୋଟିଏ ନିୟମିତ ଚିତ୍ର ଆଖିରେ ପଡ଼ୁଛି। ପୀଡ଼ିତାଙ୍କ ବୟସ ୧୨ ବର୍ଷରୁ କମ। ଝିଅଟି ଚକୋଲେଟ କି ବିସ୍କୁଟ କିଣିବାକୁ ଘରପାଖ ଦୋକାନକୁ ଯାଇଥିବ। ଅପରାଧୀ ତାକୁ ପ୍ରୋଲୋଭିତ କରି କାବୁ କରିନେଇଥିବ। ଶାରୀରିକ ନିର୍ଯାତନା ଦେବା ପରେ କାହା ଆଗରେ ପ୍ରକାଶ ନ କରିବା ପାଇଁ ଧମକ ଦିଆଯାଇଥିବ। ତାକୁ ରାସ୍ତାରେ ପକାଇ ଦିଆଯାଇଥିବ ଅଥବା ତାର ତଣ୍ଟି ଚିପି ମାରି ଦିଆଯାଇଥିବ। ଏହିଭଳି ଘଟଣାର ଅନ୍ୟ ଏକ ଦିଗ- ବରଂ ଗୁରୁତ୍ୱପୂର୍ଣ୍ଣ ଦିଗ କହିଲେ ଭୁଲ ହେବନି- ତାହା ହେଉଛି ପୀଡ଼ିତାକୁ ଅପରାଧୀ ନିଶ୍ଚିତ ଭାବରେ ଜାଣିଥିବ, ଛୁଆର ଘରକୁ ସେ ଯିବା ଆସିବା କରୁଥିବ।
ଆହୁରି ସ୍ପଷ୍ଟ ଭାବରେ କହିଲେ ଦୁଷ୍କର୍ମ ପୀଡ଼ିତା କନ୍ୟାର ସେ ସମ୍ପର୍କିୟ ମଧ୍ୟ ହୋଇଥିବ। ଅଧିକନ୍ତୁ,କମ ବୟସ ଯୋଗୁଁ ଯେତେବେଳେ ଝିଅଟିକୁ ଦୁଷ୍କର୍ମ ଉଦ୍ଦେଶ୍ୟରେ ଉଠେଇ ନିଆଯାଏ ଅପରାଧୀର କବଳରୁ ଖସି ଆସିବା ତା ପକ୍ଷେ ସମ୍ଭବ ହୁଏନାହିଁ। ପୋଲିସର ମତ ମଧ୍ୟ ସେୟା। ପୋଲିସ ଡିଜି ଆର ପି ଶର୍ମା କହିଛନ୍ତି ଯେ ରାଜ୍ୟରେ ଘଟୁଥିବା ନାବାଳିକା ବଳାତ୍କାର ଘଟଣାରେ ପ୍ରାୟତଃ ଏହା ଦେଖାଯାଇଛି। ପୀଡ଼ିତା ଓ ଅପରାଧୀ ପରସ୍ପରକୁ ଜାଣିଥାନ୍ତି କିମ୍ବା ଦୁହେଁ ଗୋଟିଏ ସାମାଜିକ ଗୋଷ୍ଠିର ହୋଇଥାନ୍ତି।
ରାଜ୍ୟରେ ଘଟୁଥିବା ୯୨ ପ୍ରତିଶତ ଦୁଷ୍କର୍ମ ଘଟଣାରେ ପୂର୍ବ ପରିଚୟ ଏକ ସାଧାରଣ କଥା। ସମାଜ ବିଜ୍ଞାନୀ ଓ ଯେଉଁମାନେ ଶିଶୁ ନିର୍ଯାତନା ଓ ଶିଶୁ ସୁରକ୍ଷା କ୍ଷେତ୍ରରେ କାମ କରୁଛନ୍ତି ସେମାନେ ଏହି କଥା ଉପରେ ବରାବର ଗୁରୁତ୍ୱ ଦିଅନ୍ତି ଯେ ପରିଚିତ ଲୋକଙ୍କ ଉପରେ ସବୁବେଳେ ନଜର ରଖିବା ଉଚିତ। ଏପରିକି ନିଜ ସମ୍ପର୍କୀୟମାନଙ୍କୁ ମଧ୍ୟ ନାବାଳିକାଙ୍କଠାରୁ ଦୂରେଇ ରଖାଯିବା ଦରକାର। ତେବେ ଏହା ଅନେକ ସମୟରେ ସମ୍ଭବ ହୁଏନା।
ବିଶେଷକରି ଗ୍ରାମାଞ୍ଚଳରେ ଏକ ଖୋଲା ସମାଜ ଭିତରେ ଆମେ ବସବାସ କରୁଥିବାରୁ ଅପରାଧୀମାନେ ନାବାଳିକାଙ୍କ ଅସହାୟତାର ସୁଯୋଗ ନେଇଥାନ୍ତି। ଖାଲି ସେତିକି ନୁହେଁ, ଅଭିଭାବକମାନଙ୍କ ସରଳ ବିଶ୍ୱାସର ଫାଇଦା ମଧ୍ୟ ସେମାନେ ଉଠାନ୍ତି। ସଚେତନତାର ଅଭାବ ଓ ଶିଶୁ/ନାବାଳିକା ସମ୍ପର୍କିତ ଅଧିକାର ବିଷୟରେ ନ ଜାଣିବା ବି ଏକ ପ୍ରରୋଚନା ଭାବରେ କାମ କରିଥାଏ।
ପରିଚିତଙ୍କ ଦ୍ୱାରା ଅପରାଧ ଘଟିଲେ ଏଥିରେ ଅନେକ ସମସ୍ୟା ସୃଷ୍ଟି ହୁଏ। ପ୍ରଥମତଃ, ନିଜ ପରିବାର ଓ ଗୋଷ୍ଠୀ ଭିତରେ ଘଟୁଥିବା ଅପରାଧକୁ ରୋକିବା ଅତ୍ୟନ୍ତ କଠିନ। ଦ୍ଵିତୀୟରେ, ତଦନ୍ତ ଦୃଷ୍ଟିରୁ ପୋଲିସ ପାଇଁ ଏହିଭଳି ମାମଲାକୁ ଆଗେଇ ନେବାରେ ଅସୁବିଧା ଦେଖା ଦେଇଥାଏ। ତେବେ ସବୁଠାରୁ ବଡ଼ କଥା ହେଉଛି ପୋଲିସର ଉଦାସୀନତା।
ଓଡ଼ିଶା ପୋଲିସ ପକ୍ଷରୁ ନାବାଳିକା ଦୁଷ୍କର୍ମ ସମେତ ବିଭିନ୍ନ ଅପରାଧକୁ ରୋକିବା ପାଇଁ ବହୁ କଥା ଚିନ୍ତା କରାଯାଉଛି ଓ ବହୁ ଯୋଜନା ତିଆରି ହେଉଛି। କିନ୍ତୁ କାର୍ଯ୍ୟକାରିତା କ୍ଷେତ୍ରରେ ଏହିସବୁ ଯୋଜନାର ଫଳ ଶୂନ। ଅପରାଧ ଘଟିବା କ୍ଷଣି ଯଦି ଥାନା କର୍ମଚାରୀମାନେ ତତ୍ପରତା ପ୍ରଦର୍ଶନ କରନ୍ତେ ଓ ଅପରାଧୀଙ୍କୁ ଧରିବା ପାଇଁ ଜାଲ ବିଛାନ୍ତେ ଏହିଭଳି ଘଟଣାକୁ ଢ଼େର ମାତ୍ରାରେ ରୋକାଯାଇ ପାରନ୍ତା।
ଏତଲା ଗ୍ରହଣ କରିବା ଠାରୁ ଆରମ୍ଭ କରି ଡାକ୍ତରୀ ପରୀକ୍ଷା ଓ ପୀଡ଼ିତାର ବୟାନ ରେକର୍ଡ କରିବା ଏସବୁ ୨୪ ଘଣ୍ଟା ମଧ୍ୟରେ ହେବା ଦରକାର ବୋଲି ପୋଲିସ ମାନୁଏଲରେ ଅଛି। କିନ୍ତୁ ଅନେକ ସମୟରେ ଥାନାରେ ଏଥିରେ ଢ଼ିଲା କରାଯାଏ। ଯାହାଫଳରେ କୋର୍ଟରେ ମାମଲାଗୁଡ଼ିକ ଫେଲ ମାରିଥାନ୍ତି। ପୋଲିସ କାନକୁ ଅପରାଧ ଘଟଣାଟି ଆସିବା ମାତ୍ରେ ତତକ୍ଷଣାତ୍ ତଦନ୍ତ ଆରମ୍ଭ କରିବା ଓ ଅପରାଧୀଙ୍କୁ ଧରି କମ ସମୟ ମଧ୍ୟରେ ଦଣ୍ଡ ବିଧାନ କରାଗଲେ ହୁଏତ ଦୁଷ୍କର୍ମ ଘଟଣା ଉପରେ କିଞ୍ଚିତ ରୋକ ଲଗାଯାଇପାରନ୍ତ।