ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନରେ ଗଠନ ହେବାକୁ ଯାଉଛି ପାକିସ୍ତାନ ତହରିକ୍-ଇ-ଇନ୍ସାଫ୍ ସରକାର। ସାଧାରଣ ନିର୍ବାଚନରେ ପୂର୍ବତନ କ୍ରିକେଟର୍ ଇମ୍ରାନ୍ ଖାନ୍ଙ୍କ ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍ (ପିଟିଆଇ) ସମସ୍ତଙ୍କୁ ପଛରେ ପକାଇ ସର୍ବବୃହତ୍ ଦଳ ଭାବେ ସରକାର ଗଢ଼ିବାକୁ ଯାଉଛି।
ଫଳରେ ଇମ୍ରାନ ଖାନ୍ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି। ନିର୍ବାଚନ ମୈଦାନରେ ଜିତିବା ପରେ ପ୍ରଥମଥର ପାଇଁ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ଇମ୍ରାନ ଖାନ୍।
ଇମ୍ରାନ ନିଜ ପ୍ରଥମ ଭାଷଣରେ କହିଛନ୍ତି, “ଦୀର୍ଘ ୨୨ବର୍ଷର ସଂଘର୍ଷ କରିବା ପରେ ପାକିସ୍ତାନର ସେବା କରିବା ପାଇଁ ସୁଯୋଗ ମିଳିଛି। ପାକିସ୍ତାନକୁ ଏକ ମାନବିକତା ସମ୍ପନ୍ନ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଛି। ଆମ ସରକାର ନିଷ୍ପେସିତଙ୍କ ପାଇଁ କାମ କରିବ”।
ଭାରତ ସମ୍ପର୍କରେ ସେ କହିଛନ୍ତି, “କାଶ୍ମୀର ସମସ୍ୟା ଦୁଇଦେଶର ସମ୍ପର୍କ ମଧ୍ୟରେ ବଡ଼ ପ୍ରତିବନ୍ଧକ ହୋଇ ରହିଥିବା ସତ୍ତ୍ୱେ ଆମକୁ ସମ୍ପର୍କକୁ ଆଗେଇ ନେବାକୁ ହେବ। ଭାରତ ଗୋଟିଏ ପାଦ ଆଗକୁ ଆସିଲେ ଆମେ ଦୁଇପାଦ ଆଗେଇବାକୁ ପ୍ରସ୍ତୁତ ଅଛୁ। ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେଲେ ବେପାର ବାଣିଜ୍ୟ ବୃଦ୍ଧି ପାଇବ। ଏହାଦ୍ୱାରା ପାକିସ୍ତାନରେ ଆର୍ଥିକ ପ୍ରଗତି ଆସିପାରିବ।”
ଭାରତୀୟ ଗଣମାଧ୍ୟମକୁ ସମାଲୋଚନା କରି ସେ କହିଛନ୍ତି, ‘ଭାରତୀୟ ଗଣମାଧ୍ୟମ ମୋତେ ବଲିଉଡର ଖଳନାୟକ ଭାବେ ଚିତ୍ରଣ କରିଛି। ଅନ୍ୟପକ୍ଷରେ ପାକିସ୍ତାନର ସବୁ ପଡ଼ୋଶୀ ଓ ଆମେରିକା ସହିତ ସୁସମ୍ପର୍କ ରଖିବ।”
ଏହାସହ ଇମ୍ରାନ ବିଦେଶ ନୀତି ଉପରେ ଯୋର ଦେଇଛନ୍ତି। ପଡୋଶୀ ରାଷ୍ଟ୍ରମାନଙ୍କ ସହ ଭଲ ସମ୍ପର୍କ ରଖିବା ତାଙ୍କ ସରକାର ପାଇଁ ବଡ଼ ଚ୍ୟାଲେଞ୍ଜିଂ ହେବ ବୋଲି ଇମ୍ରାନ ନିଜ ଭାଷଣରେ କହିଛନ୍ତି।