ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜି ସାରିଲାଣି ବିଗୁଲ୍‍। ଏଥିପାଇଁ ଓଡ଼ିଶାର ପ୍ରମୁଖ ବିଶ୍ୱବିଦ୍ୟାଳୟ ଏବଂ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇ ଉଠିଲାଣି। ବାଣିବିହାରରୁ ଭଞ୍ଜବିବିହାର ଏବଂ ରେଭେନ୍‌ସାରୁ ଉତ୍ତର ଓଡ଼ିଶା ସବୁଠି ପ୍ରାର୍ଥୀ ଖୋଜା ଆରମ୍ଭ ହୋଇ ଗଲାଣି। ତେବେ ଏସବୁ ଭିତରେ ଛାତ୍ର ବିଜେଡି ଏବଂ ଛାତ୍ର କଂଗ୍ରେସ ଉପରେ ସମସ୍ତଙ୍କ ନଜର ରହିଛି।

ପ୍ରମୁଖ କଲେଜଗୁଡିକୁ ଅକ୍ତିଆର କରିବା ପାଇଁ ଉଭୟ ସଙ୍ଗଠନ ଜୋରଦାର ରଣନୀତି ପ୍ରସ୍ତୁତ କରୁଛନ୍ତି। ୨୦୧୬ ନିର୍ବାଚନରେ ଛାତ୍ର ବିଜେଡି ପ୍ରାର୍ଥୀ ୬୨୪ କଲେଜରେ ବାଜିମାତ କରିଥିବାରୁ ଏହି ଦୁର୍ଗକୁ ଭାଙ୍ଗିବା ପାଇଁ ଛାତ୍ର କଂଗ୍ରେସ ପୂର୍ଣ୍ଣମାତ୍ରାରେ ପ୍ରୟାସ କରୁଛି। ଏପଟେ ଏବିଭିପି ମଧ୍ୟ ଏହି ଦୁଇ ଦଳର ଛାମୁଆ ସଙ୍ଗଠନକୁ ଟକ୍କର ଦେବା ପାଇଁ ଅଭିଯାନ ଆରମ୍ଭ କରିଛି।

ସେପ୍ଟେମ୍ବର ୨୩ରେ ଛାତ୍ର ସଂସଦ ନିର୍ବାଚନ ହେବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ୧୫ ତାରିଖରୁ ଆରମ୍ଭ ହେବ। ୧୬ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ୨୨ରେ ‘ହ୍ୱାଟ ଆଇ ଷ୍ଟାଣ୍ଡ ଫର୍‍’ ସଭା ହେବ ବୋଲି ସ୍ଥିର ହୋଇଛି। ୨୩ରେ ନିର୍ବାଚନ ସହ ସେହିଦିନ ଅପରାହ୍ନରେ ଫଳ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି।

ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଶାୟୀ ପ୍ରାର୍ଥୀ ବିଭିନ୍ନ କ୍ୟାମ୍ପସରେ ହୋର୍ଡିଂ ମାରି ପିଲାଙ୍କୁ ଆକୃଷ୍ଟ କରୁଛନ୍ତି। ବିଶେଷକରି ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ, ରେଭେନ୍‌ସା, ଫକୀରମୋହନ, ବ୍ରହ୍ମପୁର ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ନିର୍ବାଚନ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି। କେଉଁ ଦଳର ପ୍ରାର୍ଥୀ ଏହି ପ୍ରମୁଖ ବିଶ୍ୱବିଦାଳୟରେ ପ୍ରଭାବ ସୃଷ୍ଟି କରୁଛନ୍ତି ତାକୁ ହିଁ ଦେଖିବାକୁ ବାକି ରହିଲା।

୨୦୧୬: କିଏ କେଉଁଠି ଜିତିଥିଲା ?

୨୦୧୬ ଛାତ୍ର ସଂସଦ ନିର୍ବାଚନରେ ପ୍ରମୁଖ କ୍ୟାମ୍ପସରେ ଛାତ୍ର ବିଜେଡି ପ୍ରାର୍ଥୀ ବିପୁଳ ମାତ୍ରାରେ ବିଜୟୀ ହୋଇଥିଲେ ବୋଲି ଦଳ ଦାବି କରିଥିଲା। ବିଶେଷକରି ଉକ୍ରଳ ବିଶ୍ୱବିଦ୍ୟାଳୟକୁ ଏହି ସଙ୍ଗଠନ ଦୀର୍ଘ ବର୍ଷ ପରେ ଅକ୍ତିଆର କରିବାକୁ ସମର୍ଥ ହୋଇଥିଲା। ଛାତ୍ର କଂଗ୍ରେସର ଗଡ କୁହାଯାଉଥିବା ବାଣିବିହାରକୁ ଛାତ୍ର ବିଜେଡି ଛଡ଼ାଇ ଆଣିଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୟ ଛାତ୍ର ବିଜେଡିକୁ ଖୁସି କରିଥିବା ବେଳେ ରମାଦେବୀ କିନ୍ତୁ ବିଜେଡିକୁ ନିରାଶ କରିଥିଲା। ଛାତ୍ରୀମାନଙ୍କ ଦ୍ୱାରା ଗଠିତ ଷ୍ଟୁଡେଣ୍ଟ ଭଏସ ଗ୍ରୁପ୍‍ ସଙ୍ଗଠନ ଛାତ୍ର ବିଜେଡି ବିଜୟରେ ପ୍ରତିବନ୍ଧକ ସାଜିଥିଲା। ୟୁନଭର୍ସିଟି ଲ’ କଲେଜରେ ମଧ୍ୟ ବିଜେଡି ବାଜିମାତ୍‍ କରିଥିଲା। କଟକ ରେଭେନ୍ସାରେ ଛାତ୍ର ବିଜେଡି ଝଟକା ଖାଇଥିଲା।

ସେହିପରି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ସଭାପତି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର କଂଗ୍ରେସ ଏବଂ ଏବିଭିପି ବିଜୟୀ ହୋଇଥିଲା। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ବିଜେଡିର ସମସ୍ତ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲେ। ସମ୍ବଲପୁର ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦକୁ ଛାତ୍ର ବିଜେଡି ଅକ୍ତିଆର କରିବାକୁ ସଫଳ ହୋଇଥିଲା।

ଆମ ଆଦମୀ ପାର୍ଟିର ଛାତ୍ର ଶାଖା ବଲାଙ୍ଗୀର ରାଜେନ୍ଦ୍ର  ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଖାତା ଖୋଲିଥିବା ବେଳେ ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଖାତା ଖୋଲିଥିବା ଦାବି କରିଥିଲା।

୨୦୧୭ରେ ଭିନ୍ନ ପରିସ୍ଥିତି

୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ବିଜେଡି ଏବଂ କଂଗ୍ରେସ ଛାତ୍ର ସଙ୍ଗଠନକୁ ଗୁରୁତ୍ୱ ଦେଉଛନ୍ତି। ନିକଟରେ ବିଜେଡି ଛାତ୍ର ସଙ୍ଗଠନ ଦାୟିତ୍ୱ ବିଧାୟକ ବ୍ୟୋମକେଶ ରାୟଙ୍କ ହାତରୁ କାଢ଼ିଆଣି ନବାଗତ ରାଣା ପ୍ରତାପ ପାତ୍ରଙ୍କ ହାତରେ ଦାୟିତ୍ୱ ନ୍ୟସ୍ତ କରିଛି। ଏହାସହ ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ବୈଠକ ମଧ୍ୟ ଇତି ମଧ୍ୟରେ ଶେଷ ହୋଇଛି।

ଛାତ୍ରମାନେ ହିଁ ଆଗାମୀ ନିର୍ବାଚନରେ ଗୁରୁଦାୟିତ୍ୱ ନିଭାଇବାର ଆଶା ରହିଥିବାରୁ ଚଳିତ ଛାତ୍ର ସଂସଦ ନିର୍ବାଚନ ବିଜେଡି ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଣୁ ପୂର୍ବବର୍ଷର ସ୍ଥିତି ଜାହିର କରିବାକୁ ପୁଣି ଥରେ ଛାତ୍ର ବିଜେଡି ପ୍ରୟାସ କରୁଛି। ସେହିପରି ଛାତ୍ର କଂଗ୍ରେସ ଇତି ମଧ୍ୟରେ ଶାସକ ଦଳର ବହୁ ଦୋଷ ଦୁର୍ବଳତାକୁ ପଦାରେ ପକାଇବାରେ ସମର୍ଥ ହୋଇଛି। ପୂର୍ବର ତ୍ରୁଟିକୁ ସୁଧାରି ଦଳ ବିଭିନ୍ନ କ୍ୟାମ୍ପସରେ ସ୍ଥିତି ଜାହିର କରିବାକୁ ଉଦ୍ୟମ ଚଳାଇଛି।

(ପ୍ରସ୍ତୁତି: ସରୋଜ)

Tags: Campus Election, Congress, BJP, BJD, Student Election, Campus Election 2017, Politics, Odisha Politics

Comment