ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ପ୍ରତିଷ୍ଠା ହେବ ଦ୍ୱିତୀୟ ଟ୍ରାଫିକ ଥାନା। ଏଠାରେ ଥିବା ଟ୍ରାଫିକ ୟୁନିଟକୁ ଥାନାରେ ପରିଣତ କରିବା ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି”, ଏହା କହିଛନ୍ତି ଭୁବନେଶ୍ୱର ପୋଲିସ କମିଶନର ୱାଇ.ବି ଖୁରାନିଆ।
ସେ ମଧ୍ୟ କହିଛନ୍ତି ଯେ ଭୁବନେଶ୍ୱରର କଳେବର ବୃଦ୍ଧି ପାଉଛି। ବର୍ତ୍ତମାନ ସହରରେ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଗାଡ଼ି ଚଳାଚଳ କରୁଛି। ଏହାକୁ ନିୟନ୍ତ୍ରଣ କରିବା ଟ୍ରାଫିକ ପୋଲିସଙ୍କ ପାଇଁ କାଠିକର ପାଠ ହେଉଛି। ତ୍ରିଶୁଳିଆ ବ୍ରିଜ ଖୋଲିବା ପରେ କଟକରୁ ଅଧିକ ସଂଖ୍ୟକ ଗାଡ଼ି ଯାତାୟାତ କରୁଛି। ଏହା ଇନଫୋସିଟି, ଚନ୍ଦ୍ରଶେଖରପୁର ଏବଂ ନନ୍ଦନକାନନ ଥାନା ପାଇଁ କାଠିକର ହେଉଛି। ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଚନ୍ଦ୍ରଶେଖରପୁର ଟ୍ରାଫିକ ୟୁନିଟକୁ ଥାନାରେ ପରିଣତ କରାଯିବ। ଏଠାରେ ଜଣେ ଇନ୍‌‍ସପେକ୍ଟରଙ୍କ ସମେତ ୧୭୦ ଷ୍ଟାଫ ରହିବେ। ଏଥିସହ ଟ୍ରାଫିକ ଥାନାରେ ୨ଟି ଜିପ୍ ଏବଂ ୧୫ ବାଇକ ରହିବ।
ଏଥିପାଇଁ ୧ କୋଟି ୯୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ଟ୍ରାଫିକ ଥାନା ଅଧୀନରେ ୮ଟି ଥାନା ରହିବ। ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କମିଶନର ଖୁରାନିଆ କହିଛନ୍ତି।
ସେହିପରି ଡ୍ୟୁଟିରେ ଖିଲାପ କରୁଥିବା ପୋଲିସ ବାବୁଙ୍କ ପାଇଁ ସତର୍କଘଣ୍ଟି ବଜାଇଛନ୍ତି କମିଶନର। ଏମାନଙ୍କୁ ସାବାଡ୍ କରିବା ପାଇଁ ଏଣିକି ଥାନାରେ ସକାଳ ସାଢ଼େ ୯ଟାରେ ଥାନାରେ ହାଜିରା ନିଆଯିବ।
ହାଜିରା ନେବାକୁ ପ୍ରତିଦିନ ଉପରିସ୍ଥ ଅଧକାରୀଙ୍କୁ ପଠାଯିବ। ହାଜିରା ବେଳେ ପୂର୍ବଦିନର ଘଟଣା ସମ୍ପର୍କରେ କର୍ମଚାରୀଙ୍କୁ ଅବଗତ କରାଯିବ।

Tags: Y B Khurania, Police Commissionerate, Traffic Police, Traffic in Bhubaneswar, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment