ପ୍ରମୁଖ ପ୍ରତିନିଧି, ଓଡ଼ିଶାଲାଇଭ୍‌

ଦୀର୍ଘ ସମୟ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ଶେଷ ହୋ‍ଇଛି। ଏବେ ସମସ୍ତଙ୍କ ନଜର ଘଟଣା ମୂଳ କାରଣ ଉପରେ। ଏ ଦୁର୍ଘଟଣା ପଛରେ କିଏ? କିଏ ଦୋଷୀ, କିଏ ଦଣ୍ଡ ପାଇବ?

ଭୁବନେଶ୍ୱର ବମିଖାଲ ଅଞ୍ଚଳରେ କାମ ଚାଲିଥିବା ବେଳେ ଫ୍ଲାଏଓଭର ଭୁଶୁଡିବା ଘଟଣା ଏକ ଦୁର୍ଘଟଣା ନା ଏହା  ପଛରେ ରହିଛି କାହାର ଦାୟିତ୍ୱହୀନତା? ଏହ କାର୍ଯ୍ୟ ନିମ୍ନମାନର ହେଉଥିଲା କି? ଫ୍ଲାଏଓଭର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସୁପରଭାଇଜର, ଇଞ୍ଜିନିୟର ଏବଂ ସେମାନଙ୍କ ଉପରେ ଥିବା ଅଧିକାରୀମାନେ ଏହି ଘଟଣାପଛରେ କିଭଳି ଦାୟୀ? ଜନସାଧାରଣଙ୍କ ମନରେ ଆଜି ଏହି ପ୍ରଶ୍ନ ଉଠିଛି।
ସୋମବାରଠାରୁ ଏହି ଘଟଣାର ତଦନ୍ତ ଆରମ୍ଭ ହେବ। ଦୋଷୀକୁ କଠୋର ଦଣ୍ଡବିଧାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ତେବେ ଏହି ତଦନ୍ତ କିଏ କରିବ, ତାହା କେବେ ସରିବ, ସେଥିରୁ କ’ଣ ଫଳ ବାହାରିବ ଏବଂ ସେହି ଫଳକୁ ଆଧାର କରି ସରକାର କି ପଦକ୍ଷେପ ନେବେ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। କିନ୍ତୁ ଆଜିର ଦିନରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ଘଟଣାରେ ଯେଉଁ ନୀରିହ ଲୋକଙ୍କ ଜୀବନ ଗଲା ଏବଂ ଯେଉଁମାନେ ଗୁରୁତର ଭାବେ ଆହତ ହେଲେ ଏବଂ କୌଣସି ପ୍ରକାର ମରଣ ମୁହଁରୁ ବଞ୍ଚି ଯାଇଛନ୍ତି, ସେମାନଙ୍କର ଯେଉଁ କ୍ଷତି ହୋଇଛି ତା’କୁ କ’ଣ ଭରଣା କରାଯାଇପାରିବ?
ଆଜି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଏହି କାର୍ଯ୍ୟରେ ଫାୟାର ସର୍ଭିସ୍ ସହ ଓଡ୍ରାଫ୍ ଏବଂ ଏନଡିଆରଏଫ ଯବାନମାନେ ସାମିଲ୍ ହୋଇଥିଲେ। ହଜାର ହଜାର ଲୋକ ସେଠାରେ ଭିଡ଼ କରିଥିବା କାରଣରୁ ଉଦ୍ଧାର କାର୍ଯ୍ୟରେ କିଛି ସମୟ ପାଇଁ ଅସୁବିଧା ଦେଖାଦେଇଥିଲା। ଗୋଟିଏ ପଟେ ଉଦ୍ଧାରକାରୀ ଦଳ ଧସି ହୋଇପଡ଼ିଥିବା ଲୁହା ବିମ୍, ଛଡ଼ ଏବଂ କଂକ୍ରିଟ୍ ଉଠାଇ ଚାଲିଥିବା ବେଳେ ଉପସ୍ଥିତ ଥିବା ଜନତାଙ୍କ ମଧ୍ୟରେ ବାରମ୍ବାର ଗୋଟିଏ ପ୍ରଶ୍ନ ଖେଳୁଥିଲା- କେମିତି  ଘଟିଲା ଏ ଦୁର୍ଘଟଣା?
ଘଟଣାସ୍ଥଳ ପରିଦର୍ଶନ, ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ଏବଂ ଘଟଣାର ମୋଟାମୋଟି ଆକଳନ କରି ଓଡ଼ିଶାଲାଇଭ୍ ନ୍ୟୁଜ୍ ଟିମ୍‌କୁ ଯେଉଁ ପ୍ରାଥମିକ ତଥ୍ୟ ମିଳିଛି ତାହା ହେଉଛି ଯେ ସେଣ୍ଟ୍ରିଂ ଧସିଯିବା ଫଳରେ ଏହି ଦୁର୍ଘଟଣା ଘଟିଥାଇପାରେ। ସ୍ଥାନୀୟ ଲୋକଙ୍କ କହିବା କଥା ହେଉଛି ରବିବାର ଦିନ ଓଭରବ୍ରିଜ୍ର ସେହି ଅଂଶରେ ଛାତ ପଡ଼ୁଥିଲା। ସେଠାରେ ଶ୍ରମିକ, ସୁପରଭାଇଜର ଏବଂ ଅନ୍ୟମାନେ ମିଶି ପ୍ରାୟ ୩୦ ଜଣ କାମ କରୁଥିଲେ। ହଠାତ୍ ସେଣ୍ଟ୍ରିଂ ଦବିଯିବା ଫଳରେ ଓଭରବ୍ରିଜ୍‌ର ସଦ୍ୟ ଛାତ ପଡ଼ୁଥିବା ଓଭରବ୍ରିଜ୍‌ର ସେହି ଅଂଶ ଧସି ତଳେ ପଡ଼ିଥିଲା। ଫଳରେ ଉପରେ କାମ କରୁଥିବା ଶ୍ରମିକମାନେ ତଳକୁ ଖସିପଡ଼ିଥିଲେ। ଅନେକ ଶ୍ରମିକ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ ଓ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ସେହିପରି ସେହି ବାଟ ଦେଇ ବାଇକ୍‌ରେ ଯାଉଥିବା ସତ୍ୟବ୍ରତ ପଟ୍ଟନାୟକ ଓ ଗାଡ଼ିରେ ବସିଥିବା ତାଙ୍କ ଝିଅଙ୍କ ଉପରେ ଲୁହାଛଡ଼ ସହ କଂକ୍ରିଟ୍ ମାଡ଼ିବସିଥିଲା। ଘଟଣାସ୍ଥଳରେ ସତ୍ୟବ୍ରତଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କ ଝିଅ ଶୀତଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରଶ୍ନ ଉଠୁଛି ଯେ ଓଭରବ୍ରିଜ୍‌ର ସେଣ୍ଟ୍ରିଂ ଧସିଲା କିପରି? ଏହାର ଉତ୍ତରରେ ଯେଉଁ ତଥ୍ୟ ମିଳୁଛି ତାହା ଅଧିକ ଅନୁସନ୍ଧାନ, ଅନୁଧ୍ୟାନର ଅପେକ୍ଷା ରଖେ। ସୂଚନା ଅନୁଯାୟୀ ଓଭରବ୍ରିଜ୍‌ର ଯେଉଁ ଅଂଶ  ରବିବାର ଦିନ ଧସିପଡ଼ିଲା ଠିକ୍ ତା’ ତଳ ଦେଇ ଆଗରୁ ଏକ ଡ୍ରେନ୍ ଯାଇଥିଲା। କିଛି ମାସ ତଳେ ସେହି ଡ୍ରେନ୍‌କୁ ପୋତି ତା’କୁ ସମତଳ କରାଯାଇଥିଲା। ସେହି ଅଂଶରେ ସେଣ୍ଟ୍ରିଂର ଅନେକ ଖୁଣ୍ଟ ରହିଥିଲା। ତା’ ଭିତରୁ କୌଣସି ଏକ ବା ଏକାଧିକ ସେଣ୍ଟ୍ରିଂ ଖୁଣ୍ଟ ଧସିଯିବା ଫଳରେ ଏହି ଘଟଣା ଘଟିଥାଇପାରେ।
ବମିଖାଲ ଓଭରବ୍ରିଜ୍‌ର କାମ କରୁଥିଲା ପଣ୍ଡା ଇନ୍‌ଫ୍ରା କମ୍ପାନି। ଏହି କାମ ଦୀର୍ଘ ଦିନ ଧରି ଚାଲିଥିଲା। ଏହି ଅହେତୁକ ବିଳମ୍ବକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ବାରମ୍ବାର ପ୍ରତିବାଦ କରିଥିଲେ। କେବଳ ସେତିକି ନୁହେଁ ଏଠାରେ ନିମ୍ନମାନର କାର୍ଯ୍ୟ ହେଉଥିବାର ମଧ୍ୟ ଅଭିଯୋଗ ହୋଇଥିଲା। ତେବେ ଏହିସବୁ ଅଭିଯୋଗକୁ ପୂର୍ତ୍ତ ବିଭାଗ ଗୁରୁତ୍ୱର ସହ ନେଇଥିଲେ ଆଜି ହୁଏତ ଏପରି ଘଟଣା ଘଟିନଥାନ୍ତା।
ନିର୍ମାଣାଧୀନ ଅବସ୍ଥାରେ ଏଭଳି ଓଭରବ୍ରିଜ୍‌ ଧସିବା ଏକ ସାଧାରଣ କଥା ନୁହେଁ। ଏହାକୁ ଦୁର୍ଘଟଣା କହି ଏଡ଼ାଇ ଦିଆଯାଇନପାରେ। ତେବେ ଦେଖିବା କଥା ଯେ ଏ ବାବଦରେ ତଦନ୍ତ କୁଆଡକୁ ଯାଉଛି ଏବଂ ବାସ୍ତବିକ କେଉଁ କେଉଁମାନେ ଦୋଷୀ, ସେମାନଙ୍କୁ ଚିହ୍ନଟ କରାଯାଉଛି ନା ଏହାକୁ ଅତୀତର ଅନ୍ୟ ଅନେକ ଦୁର୍ଘଟଣା ଭଳି ଆଉ ଏକ ଦୁର୍ଘଟଣା କହି ସରକାର ଫାଇଲରେ ଫିତା ବାନ୍ଧିବାକୁ ଯାଉଛନ୍ତି!
Tags: Bhubaneswar News, Bomikhal Overbridge, Bomikhal Overbridge Collapse, Breaking News, construction work, Latest News, media, Odisha Breaking News, Odisha News, Odisha Stories, Odisha Top Stories, Overbridge Collapse, rescue operation, Top Stories, tragic incident

Comment