ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆଙ୍କ ଭାବନାକୁ ପାଦରେ ଦଳି ଦେଉଛନ୍ତି ବଡ଼ ବଡ଼ କମ୍ପାନି। ଓଡ଼ିଶା ବଜାରକୁ ନବୁଝି ବିଜ୍ଞାପନ ମାଧ୍ୟମରେ ‘ପୂଜା’କୁ ‘ପୂଜୋ’ ବା ‘ରଜ’କୁ ‘ରାଜୋ’ ଲେଖି ୪ କୋଟି ଓଡ଼ିଆଙ୍କ ମାନସିକତାକୁ ଆଘାତ ଦେଉଛନ୍ତି ନାମୀ ଦାମୀ କମ୍ପାନିର କର୍ତ୍ତୃପକ୍ଷ। ପିଟର ଇଂଲଣ୍ଡ କମ୍ପାନି ଏକ ବିଜ୍ଞାପନରେ ‘ପୂଜା’ ବଦଳରେ ‘ ‘ପୂଜୋ’ଲେଖି ହଟହଟା ହୋଇଛି। ଏହାର ପ୍ରତିବାଦ କରାଯିବାରୁ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି କମ୍ପାନି କହିଛି।

ବିଜ୍ଞାପନରେ ଓଡ଼ିଆ ଭାଷାକୁ  କଦର୍ଥ କରିବା ‘ପିଟର ଇଂଲଣ୍ଡ’ କମ୍ପାନିକୁ ମହଙ୍ଗା ପଡ଼ିଛି। ଦଶହରା ଅବସରରେ ଓଡ଼ିଆ ଗଣମାଧ୍ୟମକୁ ଦେଇଥିବା ବିଜ୍ଞାପନରେ ‘ପୂଜା’ ବଦଳରେ ‘ପୂଜୋ’ ଲେଖି ଅପଦସ୍ତ ହୋଇଛି ଏହି ବ୍ରାଣ୍ଡେଡ କମ୍ପାନି। ବିଜ୍ଞାପନରେ ଓଡ଼ିଆ ଭାଷାକୁ ଅପଭ୍ରଂଶ କରାଯାଇଥିବାରୁ ଓଡ଼ିଶାର ସଚେତନ ନାଗରିକ ରୁଦ୍ର ପ୍ରସନ୍ନ ରଥ ‘ପିଟର ଇଂଲଣ୍ଡ’ କମ୍ପାନିର ଦୃଷ୍ଟିକୁ ଆଣିବା ପରେ କମ୍ପାନି କର୍ତ୍ତୃପକ୍ଷ କ୍ଷମା ମାଗିଛନ୍ତି। ଆଗାମୀ ଦିନରେ ଏହି ଅନିଚ୍ଛାକୃତ ପ୍ରତି ଧ୍ୟାନ ଦିଆଯିବ ବୋଲି କମ୍ପାନି କହିଛି।
ରୁଦ୍ର ପ୍ରସନ୍ନ ରଥ କହିଛନ୍ତି,”ବିଜ୍ଞାପନକୁ ଓଡ଼ିଆ ଭାଷାରେ କଦର୍ଥ କରି ୪ କୋଟି ଓଡ଼ିଆଙ୍କ ମାନସିକତାରେ ଗଭୀର ଆଘାତ ଦେଇଛି ପିଟର ଇଂଲଣ୍ଡ କମ୍ପାନି। ଓଡ଼ିଆଙ୍କ ଭାବାବେଗ ସହ କମ୍ପାନି କର୍ତ୍ତୃପକ୍ଷ ଖେଳିଛନ୍ତି। ଏହା ଆଦୌ କ୍ଷମଣୀୟ ନୁହେଁ। ଓଡ଼ଆ ଭାଷାକୁ କଦର୍ଥ କରାଗଲେ ଆଗାମୀ ଦିନରେ ପ୍ରତିବାଦ ଜାରି ରହିବ।”
କିଛିଦିନ ତଳେ ଶାରଦୀୟ ଦୁର୍ଗା ପୂଜା ଅବସରରେ ‘ପିଟର ଇଂଲଣ୍ଡ’ ସାର୍ଟର ଏକ ବିଜ୍ଞାପନ ଏକ ପ୍ରମୁଖ ଖବରକାଗଜର ପ୍ରଥମ ପଷ୍ଠାରେ ପ୍ରକାଶ ପାଇଥିଲା। ଏଥିରେ ‘ପୂଜା’ ବଦଳରେ ‘ପୂଜୋ’ ଉଲ୍ଲେଖ ରହିଥିଲା। ଏହାକୁନେଇ ଓଡ଼ିଆ ପାଠକ, ବୁଦ୍ଧିଜୀବୀ ଏବଂ ଭାଷାବିତ୍‌ମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ସଚେତନ ନାଗରିକ ରୁଦ୍ର ପ୍ରସନ୍ନ ରଥ ଏ ସମ୍ପର୍କରେ ଇମେଲ୍ ଜରିଆରେ କମ୍ପାନି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ‘ପିଟର ଇଂଲଣ୍ଡ’ର ବିଜ୍ଞାପନ ଦାୟିତ୍ବ ବୁଝୁଥିବା ଆଦିତ୍ୟ ବିର୍ଲା ଫ୍ୟାଶନ ଏବଂ ରିଟେଲ୍‌ ଲିମିଟେଡ ଶ୍ରୀ ରଥଙ୍କ ପ୍ରତିବାଦକୁ ଗ୍ରହଣକରି ପଦକ୍ଷେପ ନେଇଛନ୍ତି। ଏଣିକି ଆଗାମୀ ବିଜ୍ଞାପନରେ ‘ପୂଜୋ’ ବଦଳରେ ‘ପୂଜା’ ଶବ୍ଦ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ଏହି ମର୍ମରେ କମ୍ପାନି ତରଫରୁ ଏକ ଇମେଲ ଶ୍ରୀ ରଥଙ୍କ ହସ୍ତଗତ ହୋଇଛି। କମ୍ପାନି ନିଷ୍ପତ୍ତିକୁ ଶ୍ରୀ ରଥ ତାଙ୍କ ଫେସବୁକ୍‌ ପେଜ୍‌ରେ ପୋଷ୍ଟ କରିବା ପରେ ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳିଯାଇଛି। ତେବେ କମ୍ପାନି କର୍ତ୍ତୃପକ୍ଷ ଓଡ଼ିଆ ଶବ୍ଦକୁ ଅପଭ୍ରଂଶ କରିଥିବାରୁ ଭୁଲ୍‌ ମାଗିବାକୁ ସେ ଦାବି କରିଛନ୍ତି।
କେବଳ ‘ପିଟର ଇଂଲଣ୍ଡ’ ନୁହେଁ, କିଛିଦିନ ତଳେ ‘ଏଆର ଏସିଆ’ ପକ୍ଷରୁ ଓଡ଼ିଆ ଭାଷାକୁ ତାଚ୍ଛଲ୍ୟ କରାଯାଇ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା। ଇଂରାଜୀରେ ବଙ୍ଗଳା ଶବ୍ଦ ‘କେମନ୍‌ ଆଚ୍ଛୋ ଭୁବନେଶ୍ବର’ ଲେଖି ଅଡ଼ୁଆରେ ପଡିଥିଲା। ଏହାକୁନେଇ ଓଡ଼ିଶାର ପ୍ରମୁଖ ସାମ୍ବାଦିକ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏୟାର ଏସିଆର ବଙ୍ଗୀୟ ଆଭିମୁଖ୍ୟକୁ ନାପସନ୍ଦ କରାଯାଇ ସୋସିଆଲ ମିଡିଆରେ ନିନ୍ଦା କରାଯାଇଥିଲା। ଡିଜିଟାଲ ମିଡିଆ ‘ଓଡ଼ିଶାଲାଇଭ୍‌’ରେ ଏୟାର ଏସିଆ କର୍ତ୍ତୃପକ୍ଷଙ୍କ ବଙ୍ଗୀୟ ଆଭିମୁଖ୍ୟକୁ ପ୍ରତିବାଦ କରାଯାଇ ଏକ ମତାମତଭିତ୍ତିକ ଖବର ପ୍ରସାରଣ କରାଯିବା ପରେ କମ୍ପାନି ସାବାଡ଼ ହୋଇଥିଲା। ଏହି ବିମାନ ଉଡ଼ାଣ କମ୍ପାନି ‘କେମନ୍‌ ଆଛୋ ଭୁବନେଶ୍ୱର’ ଜାଗାରେ ‘ଚାଲ ଯିବା ଭୁବନେଶ୍ୱର’ ଲେଖାଥିବା ଆଉ ଏକ ବିଜ୍ଞାପନ ପ୍ରକାଶ କରି ନିଜ ଭୁଲ୍‌ ସ୍ୱୀକାର କରିଥିଲା।
‘ଓଡ଼ିଶାଲାଇଭ୍‌’ର ସିଇଓ ତଥା ଫାଉଣ୍ଡର ଏଡିଟର ନୀଳାମ୍ବର ରଥ କହିଛନ୍ତି, “କୌଣସି ଭାଷାରେ ବା କୌଣସି ମାଧ୍ୟମରେ ବିଜ୍ଞାପନ ପ୍ରସ୍ତୁତ କରାଯିବାବେଳେ ନିର୍ଦ୍ଦିଷ୍ଟ ଗ୍ରାହକଙ୍କୁ (ଟାର୍ଗେଟ୍‌ ଅଡିଅନ୍‌ସ) ନଜରରେ ରଖି ଭାଷା, ଭାବ ଓ ଷ୍ଟାଇଲ୍‌ର ପ୍ରୟୋଗ କରାଯିବା କଥା। ଆଡଭର୍ଟାଇଜିଂ ଓ କମ୍ୟୁନିକେସନ୍‌ ଦୃଷ୍ଟିରୁ ଦେଖିଲେ ଏହା ହେଉଛି ପ୍ରଥମ ଆବଶ୍ୟକତା। କିନ୍ତୁ ଓଡ଼ିଶା ବଜାରକୁ ନବୁଝି ବା ଅଣଦେଖା କରି ‘ପୂଜା’କୁ ‘ପୂଜୋ’ ବା ‘ରଜ’କୁ ‘ରାଜୋ’ ଲେଖାଯିବା ଘଟଣା ନିନ୍ଦନୀୟ। ବଡ଼ ବଡ଼ କମ୍ପାନି ଓଡ଼ିଆ ଭାଷା ଏବଂ ଭାବନାକୁ ପାଦରେ ଦଳି ଦେବା ଚରମ ଦୁର୍ଭାଗ୍ୟର କଥା, ବର୍ଷ ବର୍ଷ ଧରି ଆମେ ଆମ ଭାଷା ଓ ଭାବନାର ଏହି ଅପମାନକୁ ନୀରବରେ ସହି ଆସୁଛୁ।ଏହାର ପ୍ରତିବାଦ କରାଯିବା ଦରକାର।”
ବିଜ୍ଞାପନ ବଜାରରେ ଓଡ଼ିଆ ଭାଷାର ତୃଟିପୂର୍ଣ୍ଣ ପ୍ରୟୋଗ ପଛରେ ଏକ ଐତିହାସିକ କାରଣ ରହିଛି। ଆମ ଦେଶରେ ଯେତେବେଳେ ପ୍ରିଣ୍ଟ ଏବଂ ଆଉଟ୍‌‍ଡୋର ମିଡିଆ ପାଇଁ ବିଜ୍ଞାପନର ବଜାର ଖୋଲିଲା ସେତେବେଳେ ବମ୍ବେ, ଚେନ୍ନାଇ, ବାଙ୍ଗାଲୋର ଏବଂ କଲିକତା ଏହାର ମୁଖ୍ୟକେନ୍ଦ୍ର ଭାବେ ଗଢି ଉଠିଥିଲା। ଅର୍ଥାତ୍‌ ଏହିସବୁ ସ୍ଥାନରୁ ଦେଶର କେଉଁ କେଉଁ ରାଜ୍ୟ ବା ଭାଷାରେ କ’ଣ ବିଜ୍ଞାପନ ଦିଆଯିବ ତାହା ସ୍ଥିର କରାଯାଉଥିଲା। କେବଳ ସେତିକି ନୁହେଁ, ବିଭିନ୍ନ ଆଞ୍ଚଳିକ ଭାଷାରେ ବିଜ୍ଞାପନ ପ୍ରସ୍ତୁତି (ପ୍ରଡକ୍‌ସନ) ମଧ୍ୟ ଏହିସବୁ ଜାଗାରୁ ଏକପ୍ରକାର ନିୟନ୍ତ୍ରଣ କରାଗଲା। ହେଲେ ମୂଳ ଇଂଲିଶ ବା ହିନ୍ଦୀ ଭାଷାରେ ପ୍ରସ୍ତୁତ ବିଜ୍ଞାପନକୁ ଓଡ଼ିଆ ଭାଷାରେ ପ୍ରସ୍ତୁତ କରିବା ପାଇଁ ଗଲାବେଳେ ବାଟରେ ଯିଏ ମିଳିଲା ‘କାଣୀ ଝିଅକୁ ବୁଢ଼ା ବର’ ଭଳି ବିଜ୍ଞାପନ ଏଜେନ୍ସିମାନେ ଉଠାଇନେଲେ। ତେଣୁ ଓଡ଼ିଆ ଭାଷାରେ ଅନୁବାଦ କରିବା ହେଉ କି ଅକ୍ଷର ସଜ୍ଜୀକରଣ ବା ଲେଆଉଟ୍‌ ଆଦି ମାମଲାରେ ଅଧା-ଓଡ଼ିଆ ବା ଅଣ-ଓଡ଼ିଆମାନେ ପାଲଟିଲେ ବିଶିଷ୍ଟ ଭାଷାବିତ ଏବଂ ଅନୁବାଦକ!
ଓଡ଼ିଆ ଭାଷା ‘ଶାସ୍ତ୍ରୀୟ’ ମାନ୍ୟତା ପାଇଛି। ଓଡ଼ିଆକୁ ସରକାରୀ କ୍ଷେତ୍ରରେ ବ୍ୟବହାର କରିବାକୁ ବହୁ ଭାଷାବିତ୍‌ ଏବଂ ବୁଦ୍ଧିଜୀବୀ ଦାବି କରି ଆସୁଛନ୍ତି। ହେଲେ ଏପରିସ୍ଥଳେ ବଡ଼ ବଡ଼ କମ୍ପାନି ଓଡ଼ିଆ ଭାଷାକୁ କଦର୍ଥ କରି ବିଜ୍ଞାପନ ପ୍ରକାଶ କରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଉଛି। କେବଳ ‘ପିଟର ଇଂଲଣ୍ଡ’ କି ‘ଏୟାର ଏସିଆ’ ନୁହନ୍ତି, ଏମିତି ବହୁ ନାମୀଦାମୀ କମ୍ପାନି ଓଡ଼ିଆ ଭାଷାକୁ ଅପଭ୍ରଂଶ କରୁଥିବା ନଜିର ରହିଛି। ଏମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ ଏବଂ ସେମାନଙ୍କୁ ସାବାଡ଼ କରିବାର ସମୟ ଉପନୀତ ହୋଇଛି।
 

Comment