ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଧ୍ରପ୍ରଦେଶର ଜଣେ ବାବୁଙ୍କ ଓ୍ବାଶିଂ ମେସିନ୍‌ରୁ ଟଙ୍କା, ସୁନା, ହୀରା ଜବତ ହେବା ଚର୍ଚ୍ଚା ନଥମୁଣୁ ଓଡ଼ିଶାର କୋରାପୁଟ ଜିଲ୍ଲାରୁ ପାଇଖାନା ଟାଙ୍କିରୁ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରୁଛି। ହେଲେ ଏତେ ପରିମାଣର ଗୁଳିଗୋଳା କିଏ ଏବଂ କାହିଁକି ପାଇଖାନା ଟାଙ୍କିରେ ରଖିଲା ତାକୁ ନେଇ ସସ୍‌ପେନ୍ସ ଲାଗି ରହିଛି।
ଜୟପୁର ଜିଲ୍ଲା ଶିଳ୍ପ ଅଧିକାରୀ(ଡିଆଇସି)ଙ୍କ କାର୍ଯ୍ୟାଳୟ ପଛପଟେ ରହିଛି ପରିତ୍ୟକ୍ତ ପାଇଖାନା ଟାଙ୍କି। ଗୁରୁବାର ସନ୍ଧ୍ୟାରେ ସଫେଇ କର୍ମଚାରୀ ଟାଙ୍କି ସଫା କରିବା ପାଇଁ ଆସିଥିଲେ। ତେବେ ଟାଙ୍କି ଭିତରେ ଏକ ପ୍ଲାଷ୍ଟିକ ଡ଼ବା ରହିଥିବା ଦେଖିଥିଲେ। ସନ୍ଦେହକରି ଏହି ଡ଼ବାକୁ ଖୋଲିବାପରେ ବିପୁଳ ପରିମାଣର ଗୁଳି ରହିଥିବା ଦେଖିବାକୁପାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁଳି ଜବତ କରିଛି। ଏହି ଗୁଳି ଉପରେ ‘ମେକ୍‌ ଇନ୍‌ ଇଂଲଣ୍ଡ’ ଉଲ୍ଲେଖ ରହିଥିବାରୁ ସନ୍ଦେହ ବଢ଼ିଛି। ଇଂଲଣ୍ଡରେ ତିଆରି ଗୁଳି ପରିତ୍ୟକ୍ତ ପାଇଖାନା ଟାଙ୍କିରେ କିଏ ଏବଂ କାହିଁକି ରଖିଛି ତାକୁ ନେଇ ସସ୍‌ପେନ୍ସ ବଢ଼ିଛି।
ଜୟପୁର ଅତିରିକ୍ତ ଏସ୍‌ପି ପ୍ରଭାତ କୁମାର ପ୍ରଧାନ କହିଛନ୍ତି,”ପରିତ୍ୟକ୍ତ ପାଇଖାନା ଟାଙ୍କିରେ ଗୁଳି ଥିବା ସମ୍ପର୍କରେ ଗୁରୁବାର ସନ୍ଧ୍ୟାରେ ଆମେ ଜାଣିବାକୁ ପାଇଲୁ। ଘଟଣାସ୍ଥଳକୁ ଯାଇ ଆମେ ତଦନ୍ତ କରିଥିଲୁ। ଶୁକ୍ରବାର ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଏହି ଗୁଳି ପାଇଖାନା ଟାଙ୍କିରୁ ଉଦ୍ଧାର କରାଯାଇଛି।”
ଜୟପୁର ରାଜବାଟୀରୁ ପ୍ରାୟ ୩୦ ବର୍ଷ ତଳେ ଗୁଳି ଚୋରି ହୋଇଥିଲା। ଏଣୁ ଚୋରି ହୋଇଥିବା ଗୁଳି ସହ ପାଇଖାନା ଟାଙ୍କିରୁ ଜବତ ହୋଇଥିବା ଗୁଳିର ସମ୍ପର୍କ ଥାଇପାରେ ବୋଲି ପୋଲିସ ଅନୁମାନ କରୁଛି।
 

LEAVE A REPLY

Please enter your comment!
Please enter your name here