ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟ୍ୟାକ୍ସି ଏଗ୍ରିଗେଟର ଓଲା କମ୍ପାନି ନିକଟରେ ଭଲ କାମଟିଏ କରିଦେଖାଇଛି। ଦେଶର ବିଭିନ୍ନ ସହରରେ ଯାତାୟତକୁ ସୁଗମ କରୁଥିବା ଏହି କମ୍ପାନିର ଏକ ଟ୍ୟାକ୍ସିରେ ସନ୍ତାନ ପ୍ରସବ କରିଥିବା ଜଣେ ମହିଳାଙ୍କୁ କମ୍ପାନି ତରଫରୁ ଏକ ବଡ଼ ଉପହାରଟିଏ ଦିଆଯାଇଛି। ଘଟଣାଟି କିଛି ଏହିଭଳି:ପୁନେର ଜଣେ ମହିଳା ଗର୍ଭଯନ୍ତ୍ରଣା ଆରମ୍ଭ ହେବା ପରେ ଓଲା କ୍ୟାବ୍ ମଗାଇ ହସ୍ପିଟାଲକୁ ଯାଉଥିଲେ। କିନ୍ତୁ ଅଧା ବାଟରେ ହିଁ ମହିଳାଜଣଙ୍କ ଛୁଆକୁ ଜନ୍ମ ଦେଇଥିଲେ। ମହିଳାଙ୍କ ଗର୍ଭ ଯନ୍ତ୍ରଣା ଦେଖି କ୍ୟାବର ଡ୍ରାଇଭର ସବୁପ୍ରକାର ସାହାଯ୍ୟ କରିବାକୁ ଲାଗିଲେ ଓ ସନ୍ତାନଟି ଅନାୟାସରେ ଭୂମିଷ୍ଠ ହୋଇଥିଲା।

ଅଧିକ କାଳ ବିଳମ୍ବ ନକରି ଡ୍ରାଇଭର ପ୍ରସୂତି ଈଶ୍ୱରୀ ଓ ତାଙ୍କ ନବଜାତକୁ ହସ୍ପିଟାଲ ନେଇଯାଇଥିଲେ। ଡାକ୍ତରମାନେ ପ୍ରାଥମିକ ଚିକିଛା କରିବା ପରେ ମା’ ଓ ଶିଶୁକୁ ବିପଦଶୂନ୍ୟ ବୋଲି ଘୋଷଣା କରିଥିଲେ।

ଏହି ଘଟଣା ପରେ ସମ୍ପୃକ୍ତ ମହିଳା ଓ ତାଙ୍କ ପରିବାର ତ ଓଲା କ୍ୟାବର ଚାଳକଙ୍କୁ ତାଙ୍କର ହୃଦୟଭରା କୃତଜ୍ଞତା ଜଣାଇଲେ। ତେଣେ ଓଲା କମ୍ପାନି ମଧ୍ୟ ଏହି ଘଟଣାରେ ଅଭିଭୂତ ହୋଇ ମା’ ଓ ଶିଶୁ କୁ ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ମାଗଣାରେ ନେବା ଆଣିବ ବୋଲି ଘୋଷଣା କରିଛି।

କ୍ୟାବର ଚାଳକ ଜସୱନ୍ତ କହନ୍ତି,”ଈଶ୍ୱରୀଙ୍କୁ ହସ୍ପିଟାଲ ନେବା ବେଳେ ମୁଁ ଅତ୍ୟନ୍ତ ଭୟ ପାଇଯାଇଥିଲି, କାଳେ କିଛି ଅଘଟଣ ଘଟିଯିବ। ହେଲେ ସେଭଳି କିଛି ଘଟି ନଥିବାରୁ ମୁଁ ଖୁସି। ମୁଁ ଆହୁରି ଖୁସି ହୋଇଗଲି ଯେ ଡ୍ୟୁଟିରେ ଥିବା ବେଳେ ମୁଁ ଜଣେ ଗର୍ଭବତୀ ମହିଳାଙ୍କ ସାହାଯ୍ୟରେ ଆସିପାରିଲି।”

Comment